ନୂଆଦିଲ୍ଲୀ: ଦେଶରେ ପାଗ ବଦଳିଛି। ରବିବାର ସାରା ଦେଶରେ ହୋଇଥିବା ବର୍ଷା ଓ ଝଡ଼ତୋଫାନ ବଢି ଚାଲିଥିବା ତାପମାତ୍ରାରେ ବ୍ରେକ୍ ଲଗାଇଛି। ଏଣୁ ପାଣି ପାଗ ବିଭାଗ ଦେଶରେ ହିଟ୍ ୱେଭ୍ ଏକପ୍ରକାର ସମାପ୍ତ ହୋଇଥିବା କହିଛନ୍ତି। ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ପଞ୍ଜାବ ଓ ହରିୟାଣର ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଲକ୍ଷ୍ନୌର ଏବେ ଅଧିକତମ ତାପମାତ୍ରା ୩୬.୩ ଡିଗ୍ରି ସେଲସିୟସକୁ କମିଛି, ଯାହା ସ୍ୱଭାବିକରୁ ୩.୯ ଡିଗ୍ରି ସେଲସିୟସ କମ।

ରାଜସ୍ଥାନର ଅନେକ ଅଞ୍ଚଳରେ ରବିବାର ଦ୍ୱିତୀୟ ଦିନ ଧୂଳି ଝଡ଼ ହୋଇଛି। ଏଣୁ ବଢିଚାଲିଥିବା ତାପମାତ୍ରା ନିୟନ୍ତ୍ରଣକୁ ଆସିଛି। ଏବେ କେବଳ ରାଜ୍ୟର ଫଲୌଦୀରେ ତାପମାତ୍ରା ୪୨.୬ ଡିଗ୍ରି ସେଲସିୟସ ରହିଛି। ଏହା ପୂର୍ବରୁ ଶନିବାର ମଧ୍ୟାହ୍ନ ୩ଟା ବେଳେ ରାଜସ୍ଥାନର ୫ ଜିଲ୍ଲା ଶ୍ରୀଗଙ୍ଗାନଗର, ବିକାନେର, ଚୁରୁ, ହନୁମାନଗଡ଼ ଓ ଶିକରରେ ଧୂଳିଝଡ଼ ହୋଇଥିଲା। ଏହି ଧୂଳିଝଡ ହନୁମାନଗଡ଼ ଓ ଶ୍ରୀଗଙ୍ଗାନଗରରୁ ଆରମ୍ଭ ହୋଇଥିଲା। ଝଡ ବେଳେ ଘଣ୍ଟାପ୍ରତି ୫୬ କିଲୋମିଟର ବେଗରେ ପବନ ବହିଥିଲା।

ଜୁନ ୨ ତାରିଖରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ରାଜସ୍ଥାନର କେତେକ ଅଞ୍ଚଳରେ ଝଡ଼ତୋଫାନ ହୋଇପାରେ। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ମହାରାଷ୍ଟ୍ର ଓ କର୍ଣ୍ଣାଟକର କିଛି ଅଞ୍ଚଳରେ ବର୍ଷା ଓ ବଜ୍ରପାତ ଆଶଙ୍କା କରାଯାଇଛି। ତାମିଲନାଡୁ, ପୁଡୁଚେରୀ , କର୍ଣ୍ଣାଟକ ଓ କେରଳମର କେତେକ ସ୍ଥାନରେ ବର୍ଷା ଅନୁମାନ କରାଯାଉଛି। ଏଥିରେ କିଛି ଅଞ୍ଚଳରେ ଭୀଷଣ ବର୍ଷା ମଧ୍ୟ ହୋଇପାରେ।

ଜୁନ ୪ତାରିଖରେ ମୌସୁମୀ କେରଳ ଛୁଇଁବ। ତେବେ ଏଥରର ମୌସୁମୀ ସ୍ୱଭାବିକରୁ ଦୁର୍ବଳ ରହିପାରେ ବୋଲି ଆଇଏମଡି ଆକଳନ କରିଛନ୍ତି। ସେହି ଅନୁସାରେ ଜୁନ-ସେପ୍ଟେମ୍ବର ମୌସୁମୀ ବର୍ଷା ମଧ୍ୟ ଦେଶରେ କମ ରହିପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି। ଏହି ସମୟରେ ହାରାହାରିରୁ କମ୍ ବର୍ଷା ହୋଇପାରେ। ପାଣିପାଗ ବିଭାଗଙ୍କ ଆକଳନ ଅନୁସାରେ ବିହାର ଓ ଉତ୍ତର ପ୍ରଦେଶରେ ସ୍ୱଭାବିକ ବର୍ଷା ହୋଇ ପାରେ। ହେଲେ ଦେଶର ବାକି ଅଞ୍ଚଳରେ ସ୍ୱଭାବିକରୁ କମ୍ ବର୍ଷା ହେବାର ଆଶଙ୍କା କରାଯାଉଛି। ଖାସ କରି ବର୍ଷା ଉପରେ ନିର୍ଭର କରୁଥିବା ଚାଷ ଚଳିତବର୍ଷ କମ୍ ବର୍ଷା ପାଇପାରେ।