ଗୁରୁଗ୍ରାମ: ପୁଣି ପତ୍ନୀର ଲୁକାୟିତ ପ୍ରେମ ପାଇଁ ବଳି ପଡ଼ିଲା ସ୍ୱାମୀ। ପତ୍ନୀର ପୁରୁଣା ପ୍ରେମର କୁହୁଳା ନିଆଁରେ ଜଳିଗଲା ଆଉ ଏକ ନିର୍ଦ୍ଦୋଷ ବ୍ୟକ୍ତିର ଜୀବନ। ପ୍ଲାନ କରି ରାତିରେ ସ୍ୱାମୀକୁ ବାପଘର ଡକାଇଲା, ଅଧା ରାସ୍ତାରେ ପ୍ରେମିକ ସହ ମିଶି ହତ୍ୟା କରି କେନାଲ୍‌ରେ ଫିଙ୍ଗି ଦେଲା! ଏଥର ହରିୟାଣାର ରେୱାରୀ ଜିଲ୍ଲାରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ।

କିଛିଦିନ ତଳେ କ୍ୟାନାଲରୁ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ସମସ୍ତେ ଭାବୁଥିଲେ ଏହା ଏକ ଦୁର୍ଘଟଣା, କିନ୍ତୁ ପ୍ରକୃତରେ ମୃତବ୍ୟକ୍ତିଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ମାମଲାରେ ପୁଲିସ କୋସଲୀ ଗାଁର ଅଭିଯୁକ୍ତ ପତ୍ନୀ ତନ୍ନୁ ଓ ମୁଣ୍ଡନୱାସ ଗାଁରେ ହରିଓମକୁ ଗିରଫ କରିଛି। ତେବେ ତନ୍ନୁଙ୍କ ପ୍ରେମିକ ସୋନୁ ଏବଂ ତାଙ୍କ ସହଯୋଗୀ ଅମନ ଏବେ ବି ଫେରାର ଅଛନ୍ତି।

ଘଟଣା ବିଷୟରେ ସୂଚନା ଦେଇ ବାୱାଲ ଡିଏସ୍‌ପି ସୁରେନ୍ଦ୍ର ଶେଓରାନ କହିଛନ୍ତି ଯେ ଜାର୍ତ୍ତଲ ଗାଁର ବାସିନ୍ଦା ମୋନୁ ଜୁନ୍ ୮ ରାତିରେ ଔଷଧ କିଣିବା ପାଇଁ ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ତାଙ୍କ ଘରୁ ବାହାରିଥିଲେ ହେଲେ ଆଉ ଫେରି ନଥିଲେ। ତାଙ୍କ ବାପା ରତନ ଲାଲ ଜୁନ୍ ୯ ତାରିଖରେ କାସୋଲା ଥାନାରେ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା। ବହୁ ଖୋଜାଖୋଜି ପରେ ଜୁନ୍ ୧୦ ତାରିଖରେ ମୋନୁଙ୍କ ମୃତଦେହ ଅସଲୱାସ୍ କେନାଲରେ ଉଦ୍ଧାର କରାଯାଇଥିଲା। ଏବଂ ତାଙ୍କ ସ୍କୁଟରଟି କେନାଲ କୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲା ପୁଲିସ।

ଦୁର୍ଘଟଣା ଭାବିଥିଲା ପୁଲିସ, ହେଲେ ପରିବାର ସନ୍ଦେହରୁ ଜଣପଡ଼ିଲା ଷଡ଼ଯନ୍ତ୍ର

କେନାଲରୁ ମୃତଦେହ ଉଦ୍ଧାର କରିବା ପରେ ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ହେଲେ ଶରୀରରେ କୌଣସି କ୍ଷତ କିମ୍ବା ବାହ୍ୟ ଆଘାତର ଚିହ୍ନବର୍ଣ୍ଣ ନ ମିଳିବାରୁ ଦୁର୍ଘଟଣା ବଶତଃ ମୋନୁ କେନାଲରେ ବୁଡ଼ି ଯାଇଥାଇପାରନ୍ତି ବୋଲି ପୁଲିସ ଭାବିଥିଲା। ତେଣୁ ପୋଷ୍ଟମର୍ଟମ ପରେ, ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ହେଲେ ମୋନୁଙ୍କ ମୃତ୍ୟୁର ପରିସ୍ଥିତିକୁ ନେଇ ତାଙ୍କ ପରିବାରର ସନ୍ଦେହ ବଢ଼ିଥିଲା। ତେଣୁ ଏଇଠାରୁ ତଦନ୍ତର ମୋଡ଼ ବଦଳିଥିଲା।

ପରିବାରର ସନ୍ଦେହ ପରେ ପୋଲିସ ହତ୍ୟା ମାମଲା ଦାୟର କରି ବୈଷୟିକ ନିରୀକ୍ଷଣ ଏବଂ ଗୁଇନ୍ଦା ସୂଚନା ବ୍ୟବହାର କରି ବିସ୍ତୃତ ତଦନ୍ତ ଆରମ୍ଭ କରିଥିଲା। ଏନେଇ ଡିଏସପି ସୁରେନ୍ଦ୍ର ଶେଓରାନ କହିଛନ୍ତି ଯେ ପରିବାରର ସନ୍ଦେହ ପରେ ଗୁଇନ୍ଦା ସୂଚନା ଏବଂ ବୈଷୟିକ ପ୍ରମାଣ ସାହାଯ୍ୟରେ, ଆମେ ଜାଣିବାକୁ ପାଇଲୁ ଯେ ମୋନୁ ମାତ୍ର କିଛି ଦିନ ପୂର୍ବରୁ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ତନ୍ନୁ ଏହି ବିବାହରେ ଅସନ୍ତୁଷ୍ଟ ଥିଲେ ଏବଂ ସୋନୁ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ପୁରୁଣା ପ୍ରେମ ସମ୍ପର୍କ ଥିଲା। ସେମାନେ ମୋନୁଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲେ।

ଏମିତି କରିଥିଲେ ହତ୍ୟା

ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ପତ୍ନୀ ତନୁ ଏକ ଯୋଜନା କରି ଜୁନ୍ ୮ ରାତିରେ ସ୍ୱାମୀ ମୋନୁଙ୍କୁ ବାପାଘର କସୋଲି ଗାଁକୁ ଡକାଇଥିଲେ। ହେଲେ ତା’ ପୂର୍ବରୁ ପ୍ରେମିକ ସୋନୁ ପଠାଇଥିବା ଦୁଇ ଅଭିଯୁକ୍ତ ହରିଓମ୍ ଏବଂ ଅମନ ସେଠାରେ ପହଞ୍ଚି ସାରିଥିଲେ। "ମୋନୁ ଗାଁରେ ପହଞ୍ଚିବା ମାତ୍ରେ ସେମାନେ ତାଙ୍କୁ ପଛରୁ ଜାବୁଡ଼ି ଧରି ତାକ ନାକ ଓ ମୁହଁକୁ ଘୋଡାଇ ଦେଇ ଅଣନିଃସ୍ୱାସୀ କରିପକାଇଥିଲେ। ମୋନୁ ଚେତାଶୂନ୍ୟ ହେବା ପରେ ମରିଯାଇଥିବା ଭାବି ଦୁଇ ଅଭିଯୁକ୍ତ ତାଙ୍କୁ କେନାଲରେ ଫିଙ୍ଗି ଫେରାର୍ ହୋଇଯାଇଥିଲେ ବୋଲି ଡିଏସପି ସୂଚନା ଦେଇଛନ୍ତି।

ଡିଏସ୍‌ପି ଆହୁରି କହିଛନ୍ତି "ଆମେ FSL ରିପୋର୍ଟକୁ ଅପେକ୍ଷା କରିଛୁ,ଏଥିରେ ତାଙ୍କର ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି କି କେନାଲରେ ଫିଙ୍ଗି ଦିଆଯିବା ପରେ ବୁଡ଼ିଯିବା ଦ୍ୱାରା ହୋଇଛି ତାହା ସ୍ପଷ୍ଟ ହେବ। ପାଣିରେ ଫିଙ୍ଗି ଦେବା ସମୟରେ ସେ ଜୀବିତ ଥିଲେ କି ନାହିଁ ତାହା ବି ଜଣାପଡ଼ିବ।" ଏହି ମାମଲାରେ ପୋଲିସ ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ ପତ୍ନୀ ତନୁ ଏବଂ ହରିଓମଙ୍କୁ ଗିରଫ କରିଥିଲା। ଶୁକ୍ରବାର ଦିନ କୋର୍ଟରେ ହାଜର କରାଇ ଦୁଇ ଦିନିଆ ହେପାଜତ ନେଇ ପଚରାଉଚରା କରୁଛି।

ତେବେ ପୁଅର ହତ୍ୟା ପଛରେ ତାଙ୍କ ଶ୍ୱଶୂର ଘର ଲୋକଙ୍କର ହାତ ଥାଇପାରେ ବୋଲି ମନୁଙ୍କ ପରିବାର ଲୋକେ ସନ୍ଦେହ କରିଛନ୍ତି। ସେ ଦିଗରୁ ମଧ୍ୟ ପୁଲିସ ତଦନ୍ତ କରୁଛି। ଏନେଇ ଡିଏସ୍ପି କହିଛନ୍ତି ମୋନୁ ପୂର୍ବରୁ ଛୋଟମୋଟ କାମ କରୁଥିଲେ। ହେଲେ ଏବେ ନିକଟସ୍ଥ ଜାଲିଆୱାସରେ ଏକ ଦୋକାନ ଖୋଲିଥିଲା। ହେଲେ ପତ୍ନୀ ତନୁ ତାଙ୍କ ପ୍ରେମିକଙ୍କ ସହ ନିୟମିତ କଣ୍ଟାକ୍ଟରେ ଥିଲେ। ଦୁହେଁ ଷଡ଼ଯନ୍ତ୍ର କରି ହତ୍ୟା କରିଛନ୍ତି ପୁଲିସ କହିଛି।