ନୂଆଦିଲ୍ଲୀ: ସେ ହିଟ ମ୍ୟାନ୍, ସେ ପୁଣି ସୁପରହିଟ୍ ଶର୍ମା । ପଡ଼ିଆକୁ ଆସିଲେ ଆରମ୍ଭ ହୋଇଯାଏ କ୍ରିକେଟ୍ ଏଣ୍ଟରଟେନମେଣ୍ଟ। ବ୍ୟାଟରୁ ଦେଖିବାକୁ ମିଳିଥାଏ ବଡ ବଡ ଛକା, ଚୌକା । ତାଙ୍କ ବ୍ୟାଟ ଚାଲିଲେ ଚୁପ୍ ହୋଇଯାଆନ୍ତି ବୋଲର । ଆଉ ତାଙ୍କୁ ଆଉଟ କରିବାକୁ ରଚିଥାନ୍ତି ସ୍ୱତନ୍ତ୍ର ରଣନୀତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଆଜି ରୋହିତ ଶର୍ମାଙ୍କ ଜନ୍ମଦିନ । ଆଜି ୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଭାରତର ଏହି ଦକ୍ଷ କ୍ରିକେଟର । ଯିଏ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିଲେ, ସେ ପୁଣି ୧ ନମ୍ବର ସ୍ଥାନକୁ ଆସିଲେ କେମିତି। ଆସନ୍ତୁ ଜାଣିବା ହିଟ ମ୍ୟାନଙ୍କ ସଂଘର୍ଷମୟ ଯାତ୍ରା...

ରୋହିତ ଶର୍ମାଙ୍କ ଜନ୍ମ ୧୯୮୭ ମସିହା ଏପ୍ରିଲ ୩୦ ତାରିଖରେ । ସେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାଁ ଗୁରୁନାଥ ଶର୍ମା ଓ ମାଙ୍କ ନାଁ ପୂର୍ଣ୍ଣିମା ଶର୍ମା । ପରିବାରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ପିଲାବେଳେ ଦାଦାଙ୍କ ପାଖରେ ରହି ପାଠ ପଢୁଥିଲେ ରହୁଥିଲେ । ଆଉ ୧୯୯୯ ମସିହାରେ ସେ କ୍ରିକେଟ କ୍ୟାମ୍ପରେ ଯୋଗ ଦେଇଥିଲେ । ଆଉ ସେହି ସମୟରେ ତାଙ୍କୁ କୋଚିଂ ଦେଇଥିଲେ କୋଚ ଦିନେଶ ଲାଡ୍ ।

ରୋହିତ ଶର୍ମା ନିଜ କ୍ୟାରିୟର ଜଣେ ବୋଲର ହିସାବରେ ଆରମ୍ଭ କରିଥିଲେ । ସେ ଅଫ୍ ସ୍ପିନ ବୋଲିଂ କରିବା ସହ ୮ ନମ୍ବରରେ ବ୍ୟାଟିଂ କରୁଥିଲେ । ହେଲେ ତାଙ୍କ ଭିତରର ଦକ୍ଷତାକୁ ଚିହ୍ନି ପାରିଥିଲେ ତାଙ୍କ କୋଚ୍, ତେଣୁ ତାଙ୍କୁ ବ୍ୟାଟିଂ ଉପରେ ଅଧିକ ଫୋକସ ଦେବାକୁ କହିଥିଲେ ।

ରୋହିତ ଶର୍ମା ଲିଷ୍ଟ ଏ କ୍ରିକେଟ ୨୦୦୫ ମସିହାରେ ଆରମ୍ଭ କରିଥିଲେ । ଆଉ ୨୦୦୬ ମସିହାରେ ସେ ମୁମ୍ବାଇ କ୍ରିକେଟ ଟିମ ତରଫରୁ ସେ ରଣଜୀ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ଘରୋଇ କ୍ରିକେଟରେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ । ଏହାପରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ସେ ୨୦୦୭ ଜୁନ ୨୩ରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । ହେଲେ ଏହି ମ୍ୟାଚରେ ତାଙ୍କୁ ବ୍ୟାଟିଂ ମିଳିନଥିଲା । ପରେ ୨୦୦୭ ଟି-୨୦ ବିଶ୍ୱକପରେ ତାଙ୍କୁ ସ୍ଥାନ ମିଳିଥିଲା । ଆଉ ସେହି ସମୟରେ ସେ ୭ ନମ୍ବର ସ୍ଥାନରେ ଆସି ବ୍ୟାଟିଂ କରୁଥିଲେ ।

୨୦୦୭ ଟି-୨୦ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ୨୦୧୧ ଦିନିକିଆ ବିଶ୍ୱକପ ଦଳରୁ ବାଦ ପଡିଥିଲେ ରୋହିତ ଶର୍ମା । ଏହାପରେ କିଛି ବର୍ଷ ସେ ତାଙ୍କ କ୍ୟାରିୟରର ଉତଥାନ ପତନ ଦେଖିଥିଲେ । ପୁଣି ୨୦୧୩ରେ ସେ ଦଳକୁ ଫେରିଥିଲେ ଆଉ ଏକ ନୂଆ ରୂପରେ । ଏଥର ସେ ୭ ନମ୍ବର ନୁହେଁ ବରଂ ଦଳ ପାଇଁ ଓପନିଂ କରିଥିଲେ । ଆଉ ନିଜର ପ୍ରଥମ ଓପନିଂ ମ୍ୟାଚରେ ସେ ଇଂଲଣ୍ଡ ବିରୋଧରେ ଶତକ ହାସଲ କରିଥିଲେ । ଆଉ ସେବେଠାରୁ ଟିମ ଇଣ୍ଡିଆର ଓପନିଂ ସ୍ଥାନ ତାଙ୍କ କବଜା ରହିଛି ।

ଓପନିଂ କରିବା ସହ ସେ ଅନେକ ବଡ ବଡ ରେକର୍ଡର ପାହାଡ ମଧ୍ୟ ଛିଡା କରିଛନ୍ତି । ଦିନିକିଆ କ୍ରିକେଟରେ ଏବେ ଯାଏଁ ୬ ଖେଳାଳି ଦ୍ୱିଶତକ ହାସଲ କରିଛନ୍ତି । ରୋହିତ ଏକମାତ୍ର ଖେଳାଳି ଯିଏ ତିନିଥର ଦ୍ୱିଶତକ ହାସଲ କରିଛନ୍ତି । ସେ ଥରେ ୨୬୪, ଥରେ ୨୦୯ ଆଉ ଥରେ ନଟଆଉଟ ରହି ୨୦୮ ରନର ବିଶାଳ ବିଶାଳ ପାଳି ଖେଳିଛନ୍ତି । ସେହିପରି ଟେଷ୍ଟରେ ମଧ୍ୟ ସେ ଥରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପରେ ସେ କେବଳ ଓପନିଂ ନୁହେଁ ବରଂ ଏବେ ସେ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ରୋହିତ ନେତୃତ୍ୱରେ ଜିତିଥିଲା ୨୦୨୪ ଟିଟ୍ୱେଣ୍ଟି ବିଶ୍ୱକପ୍ ଟିମ ଇଣ୍ଡିଆ। ରୋହିତ ଶର୍ମା ଆଇପିଏଲରେ ମଧ୍ୟ ସଫଳ ଅଧିନାୟକ ରହିସାରିଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଦଳକୁ ୫ ଥର ଚାମ୍ପିୟନ କରାଇଛନ୍ତି । ଏବେ ରୋହିତ ଟାର୍ଗେଟ ୨୦୨୭ ODI ଓ୍ୱର୍ଲକପ୍।