ମୁମ୍ବାଇ , ୩/୧୧ : ବଲିଉଡ୍‌ରେ ଏବେ ଅନେକ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ସେଥିମଧ୍ୟରୁ ରଣବୀରଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ରହିଛି । ଫିଲ୍ମର ନାଁ ହେଉଛି ‘ରାମାୟଣ’ । ରିଲିଜ୍ ପୂର୍ବରୁ ହିଁ ବକ୍ସ ଅଫିସରେ ନିଜ ଦବଦବା ଦେଖାଇବା ଆରମ୍ଭ କରିଛି ଏହି ବିଗ ବଜେଟ ଫିଲ୍ମ । ପୂର୍ବରୁ ରଣବୀର କପୁରଙ୍କ ଅଭିନୀତ ‘ଆନିମଲ’ ଯେଉଁ ରେକର୍ଡ ପାଇଁ ଚର୍ଚ୍ଚାରେ ଥିଲା, ଏବେ ସେହି ରେକର୍ଡକୁ ଟକ୍କର ଦେବାକୁ ଆଗେଇଛି ‘ରାମାୟଣ’ । ରିଲିଜ୍‌କୁ ଆଉ ମାତ୍ର ୨ ଦିନ ବାକି ଥିବାବେଳେ ଏହାର ଆଡଭାନ୍ସ ବୁକିଂରେ ମିଳିଛି ଜବରଦସ୍ତ ରେସପନ୍ସ । ତେବେ କ'ଣ ରହିଛି ଏହି ଫିଲ୍ମର କ୍ରେଜ୍ ? ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ କେତେ ଉତ୍ସାହିତ ? ଆସନ୍ତୁ ଜାଣିବା ।

ବକ୍ସ ଅଫିସରେ ଚାଲିଛି ରଣବୀର କପୁରଙ୍କ କ୍ରେଜ୍ । ୨୦୨୩ରେ ରଣବୀରଙ୍କ 'ଆନିମଲ' ଫିଲ୍ମ ସମଗ୍ର ବକ୍ସ ଅଫିସରେ ବିରାଟ ରେକର୍ଡ ଭାଙ୍ଗିଥିଲା | ଯାହାକୁ ନେଇ ଆଜି ଯାଏଁ ବି ଚର୍ଚ୍ଚା ଥମୁନି । ଆଉ ଏବେ ସେଭଳି ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ରଣବୀର । କିନ୍ତୁ ଏଥର ତାଙ୍କ ସାମ୍ନାରେ ରହିଛି ଏକ ବଡ ଚ୍ୟାଲେଞ୍ଜ । ତାହା ହେଉଛି ବଲିଉଡର ମେଗା ଫିଲ୍ମ ‘ରାମାୟଣ’ । ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ପୌରାଣିକ ମହାକାବ୍ୟ 'ରାମାୟଣ'କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମରେ ଭଗବାନ ରାମଙ୍କ ଭୂମିକାରେ ରଣବୀର କପୁର, ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ ଏବଂ ରାବଣ ଭୂମିକାରେ ନଜର ଆସିବେ ୟଶ୍ । ୩ ଷ୍ଟାର ଗୋଟେ ଫ୍ରେମରେ ପୁଣି ମୁଖ୍ୟ ଚରିତ୍ରରେ ନଜର ଆସିବେ ଯାହାକୁ ଦେଖିବାକୁ ଅପେକ୍ଷାରତ ଦର୍ଶକ ।

ଫିଲ୍ମକୁ ନେଇ ଦର୍ଶକଙ୍କ ଏତେ କ୍ରେଜ୍ ଯେ ରିଲିଜ୍ ହେବା ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ଏହାର ଜଲୱା ଦେଖିବାକୁ ମିଳିଛି ।  ରିପୋର୍ଟ ଅନୁସାରେ, ଭାରତ ଓ ବିଦେଶରେ ମିଶି ଫିଲ୍ମର ଆଡଭାନ୍ସ ବୁକିଂ ଆୟ ପ୍ରାୟ ୭୫ କୋଟି ଟଙ୍କା ଟପି ସାରିଛି । ଭାରତରେ ଟିକେଟ୍ ବୁକିଂ ସହ ବିଦେଶରେ ମଧ୍ୟ ଫିଲ୍ମକୁ ମିଳୁଛି ଭଲ ରେସପନ୍ସ । ଅନ୍ୟପଟେ ରଣବୀରଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନିଂ ଫିଲ୍ମ ହେଉଛି ‘ଆନିମଲ’ । ଏହି ଫିଲ୍ମ ପ୍ରଥମ ଦିନରେ ପ୍ରାୟ ୬୩.୮ କୋଟି ଟଙ୍କାର ଭାରତୀୟ ନେଟ୍ କଲେକ୍ସନ କରିଥିଲା । ଏବେ ‘ରାମାୟଣ’ର ଆଡଭାନ୍ସ ବୁକିଂ ଗତି ଦେଖି ଟ୍ରେଡ୍ ମହଲରେ ନୂଆ ରେକର୍ଡକୁ ନେଇ ଆଶା ବଢ଼ିଛି । ତେବେ କେବଳ ଷ୍ଟାରକାଷ୍ଟ ନୁହେଁ, ଫିଲ୍ମର ବିଶାଳ ସେଟ୍, ଭିଜୁଆଲ୍ ଇଫେକ୍ଟସ୍ ଏବଂ ଭବ୍ୟ ଉପସ୍ଥାପନାକୁ ନେଇ ମଧ୍ୟ ରହିଛି ଦର୍ଶକଙ୍କ ଉତ୍ସୁକତା । ତେବେ ‘ଆନିମଲ’ର ରେକର୍ଡ ଭାଙ୍ଗିପାରିବ କି ‘ରାମାୟଣ’ ? ଆସନ୍ତା ନଭେମ୍ବର ୫ରେ ସିନେମା ହଲ୍‌କୁ ଆସିବା ପରେ ଏହି ଫିଲ୍ମ ରଣବୀରଙ୍କ ବକ୍ସ ଅଫିସ୍ କ୍ୟାରିୟରରେ କେଉଁ ନୂଆ ଇତିହାସ ରଚିବ , ତାହା ଉପରେ ସମସ୍ତଙ୍କ ନଜର ।