ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ କମିଶନର (ଇସି)ମାନଙ୍କ ମନୋନୟନ ସମ୍ପର୍କିତ ୨୦୨୩ର ସେହି ଆଇନ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ବଡ଼ ପୀଠ ପଠାଇବା ପାଇଁ ପୃଥକ ରାୟ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁ ନିଯୁକ୍ତି ପ୍ୟାନେଲରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାହାରେ ରଖା ଯାଇଛି। ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଦୀପାଙ୍କର ଦତ୍ତ ଓ ଜଷ୍ଟିସ୍ ଏସ.ସି. ଶର୍ମା ନିଜର ଅଲଗା ଅଲଗା ରାୟ ରଖିଛନ୍ତି। ଏଣୁ ଏହି ମାମଲାକୁ ସମ୍ବିଧାନ ପୀଠକୁ ପଠାଯାଇଛି।

ଏହା ପୂର୍ବରୁ ବେଞ୍ଚର ଅଧ୍ୟକ୍ଷତା କରୁଥିବା ଜଷ୍ଟିସ୍ ଦୀପାଙ୍କର ଦତ୍ତ କେନ୍ଦ୍ର ସରକାରଙ୍କ ସେହି ତର୍କକୁ ମାନିବାକୁ ଅସ୍ୱୀକାର କରିଦେଇଛନ୍ତି ଯେ ଆବେଦନ ସମ୍ବିଧାନିକ ମହତ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଛିଡା କରୁଛି ଓ ଏହାକୁ ୫ ଜଜଙ୍କ ସମ୍ବିଧାନ ପୀଠକୁ ପଠାଯିବା ଉଚିତ। ତେବେ ବେଞ୍ଚର ଦ୍ୱିତୀୟ ଜଜ୍ ଜଷ୍ଟିସ୍ ଏସ.ସି. ଶର୍ମା ତାଙ୍କ କଥା ସହମତ ହୋଇ ନାହାନ୍ତି। ହେଲେ ଉଭୟ ଜଜ ଗୋଟିଏ କଥାରେ ସହମତ ଯେ ମାମଲାକୁ ପ୍ରଶାସନିକ ସ୍ତରରେ ସିଜେଆଇଙ୍କ ସମ୍ମୁଖକୁ ଅଣାଯାଉ, ଯାହାଦ୍ୱାରା ପ୍ରଭାବୀ ଓ ଅଧିକାରପୂର୍ଣ୍ଣ ନିଷ୍ପତ୍ତି ନିମନ୍ତେ ଉଚିତ ସଂଖ୍ୟାସମ୍ପନ୍ନ ବେଞ୍ଚ ଗଠନ କରାଯାଇ ପାରିବ।

ଜଷ୍ଟିସ୍ ଦୀପାଙ୍କର ଦତ୍ତ ଆରମ୍ଭରେ କହିଥିଲେ ଯେ ନିର୍ବାଚନ କମିଶନଙ୍କ ନିଯୁକ୍ତି ସମ୍ପର୍କିତ ୨୦୨୩ର ଆଇନ ଏକ ସ୍ୱାଧୀନ ଚୟନ ପ୍ରକ୍ରିୟା ସୁନିଶ୍ଚିତ କରୁଥିବା ଦେଖା ଯାଉନି। ଜଷ୍ଟିସ ଦତ୍ତଙ୍କ କହିବା କଥା ହେଉଛି ଚୟନ କମିଟିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନାମିତ ବ୍ୟକ୍ତିଙ୍କ ଠାରୁ ଏହା ଆଶା କରାଯାଇ ପାରିବନି ଯେ ସେ ପ୍ରଧାନମନ୍ତ୍ରୀଙ୍କ କଥା ନ ମାନିବେ। ସେହିପରି ସେ କହିଛନ୍ତି ଯେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସାମିଲ କଲେ ସେହି ସ୍ୱତନ୍ତ୍ର ସନ୍ତୁଳନ ହୋଇ ପାରେନି ଯାହା ଏକ ନିରପେକ୍ଷ ଚୟନକର୍ତ୍ତାଙ୍କଠାରୁ ମିଳିଥାଏ। ଅନେକାଂଶରେ ଏହି ପ୍ରକ୍ରିୟା କେବଳ ଲୋକ ଦେଖାଣିଆ ହୋଇ ରହିଯାଏ।

ଜଷ୍ଟିସ୍ ଦତ୍ତ ଟିପ୍ପଣୀ କରିଛନ୍ତି ଯେ ‘ଦେଶରେ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ଇସିଆଇଙ୍କ ଉପରେ ନିର୍ଭର। ଇସିଆଇ କେବଳ ସ୍ୱାଧୀନ ହେବା କାଫି ନୁହେଁ ସେ ସ୍ୱାଧୀନ ଦେଖାଯିବା ମଧ୍ୟ ଦରକାର’। ଉଲ୍ଲେଖଯୋଗ୍ୟ ଯେ ୨ ମାର୍ଚ୍ଚ ୨୦୨୩ରେ ସିଇସି ଓ ଇସିଙ୍କ ନିଯୁକ୍ତିକୁ କାର୍ଯ୍ୟପାଳିକାର ଦଖଲରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ୫ ଜଜଙ୍କ ସମ୍ବିଧାନ ପୀଠ ଆଦେଶ ଦେଇଥିଲେ ଯେ ସେମାନଙ୍କ ନିଯୁକ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ଏକ କମିଟି ପରାମର୍ଶରେ କରାଯିବ, ଯେଉଁଥିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଓ ସିଜେଆଇ ସାମିଲ ରହିବେ।

ଏହା ପରେ ସେହିବର୍ଷ ଅଗଷ୍ଟ ମାସରେ ସରକାର ଏକ ବିଲ୍ ଆଣି ସିଜେଆଇଙ୍କ ବଦଳେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଏଥିରେ ସାମିଲ କରିଥିଲେ। ସଂସଦ ଏହି ବିଲକୁ ଗୃହୀତ କରିଥିଲା ଓ ମାସ ଶେଷ ହେବା ପୂର୍ବରୁ ଏଥିରେ ରାଷ୍ଟ୍ରପତିଙ୍କ ମୋହର ଲାଗିଯାଇଥିଲା। ଏହା ପରେ ଜାନୁୟାରୀ ୨୦୨୪ରେ ଏହି ଆଇନକୁ ଚ୍ୟାଲେଞ୍ଜ କରାଯାଇଥିଲା।