ଭୋପାଳ,୧୮/୦୮ : ଭୟଙ୍କର ଦୁର୍ଘଟଣା । ଜୀବନ ହାରିଲେ ୮ ଶ୍ରମିକ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ରାଜ୍ୟର ଗ୍ୱାଲିଅରରେ ଏକ ଛାତିଥରା ଦୁର୍ଘଟଣା ଘଟିଛି । ସୋମବାର ରାତି ୧୨ଟାରେ ୭୯ ନମ୍ବର ଜାତୀୟ ରାତପଥରେ ଏହି ଘଟଣା ଘଟିଛି । ଟ୍ରକ୍ ଏବଂ ଡମ୍ଫର ମୁହାଁମୁହିଁ ହେବାରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ଜାତୀୟ ରାଜପଥରେ କିଛି ଶ୍ରମିକ ଏକ ଡମ୍ପରରେ ଯାଉଥିଲେ । ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ବାହାନକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶ୍ରମିକଙ୍କୁ ନେଉଥିବା ଗାଡି଼ଟି ଓଲଟି ପଡିଥିଲା । ଫଳରେ ୮ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଏହାସହ ୨୫ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଗ୍ୱାଲିଅର ସ୍ଥିତ ଜୟ ଆରୋଗ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର କହିବାନୁସାରେ, ଗ୍ୱାଲିଅରର ଚିଙ୍କା ନିକଟରେ ଦୁର୍ଘଟଣା ଘଟିଛି । ସମସ୍ତ ଶ୍ରମିକ ଧାନ ରୋଇବା କାମ ପାଇଁ ଚୀନୀର୍ ଅଞ୍ଚଳକୁ ଯାଇଥିଲେ । କାମ ସରିବା ପରେ ସେମାନେ ଫେରୁଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଆହତ ଜଣେ ଶ୍ରମିକଙ୍କ କହିବାନୁସାରେ, ସେମାନେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ସାମ୍ନାରୁ ଏକ ଟ୍ରକ୍ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା । ଏଥିରେ ତାଙ୍କର ଅନେକ ସହକର୍ମୀ ପ୍ରାଣ ହରାଇଛନ୍ତି ।

Also Read :- ଡ୍ରାଇଭରଙ୍କ ଆଖି ଲାଗିଗଲା, ଓଲଟି ପଡିଲା 'ଚକାଡୋଳା' ବସ୍ : ୨୦ ଆହତ

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସେମାନେ ଆହତଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ଡାକ୍ତରଙ୍କ କହିବାନୁସାରେ କିଛି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆଉ କିଛି ଗୁରୁତର ରହିଛନ୍ତି । ଅନ୍ୟ ଦିଗରେ ଟ୍ରକ୍ ଡ୍ରାଇଭରଙ୍କୁ ପଚରାଉଚରା କରାଯାଉଛି ।