ନୂଆଦିଲ୍ଲୀ ୧୧।୦୬; ରାଜଧାନୀ ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ଥିବା ପ୍ରସିଦ୍ଧ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ଫିଟନେସ୍ ସେଣ୍ଟର ଫ୍ରାଞ୍ଚାଇଜ୍ ''୨୪ଏଚ୍ଏସ୍ ଫିଟନେସ୍'' ଉପରକୁ ବୁଧବାର ରାତିରେ ଅତର୍କିତ ଗୁଳିମାଡ଼ ହୋଇଛି। ବାଇକରେ ଆସିଥିବା ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜିମକୁ ଟାର୍ଗେଟ୍ କରି କେଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି।

ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଅନିଲ ପଣ୍ଡିତ ସୋସିଆଲ ମିଡିଆରେ ପୋଷ୍ଟ କରି ଦାବି କରିଛି ଯେ ଗୁରୁ ରନ୍ଧାୱା ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କର ଅତି ନିକଟତର ହେଉଥିବାରୁ ଏହା ତାଙ୍କ ପାଇଁ ଏକ ଚେତାବନୀ ଥିଲା। ଏହାସହ ଆଗକୁ ଶତ୍ରୁମାନଙ୍କ ଉପରେ ଏଭଳି ଆକ୍ରମଣ ଜାରି ରହିବ ବୋଲି ସେ ଧମକ ଦେଇଛି। ଦିଲ୍ଲୀ ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତମାନଙ୍କକୁ ଚିହ୍ନଟ କରିବା ସହ ଜିମ୍ ଚଲାଉଥିବା ସ୍ଥାନୀୟ ମାଲିକଙ୍କୁ ପଚରାଉଚରା କରୁଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ସଲମାନ ଖାନଙ୍କ ମଧ୍ୟରେ ଥିବା ଏହି ବିବାଦ ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲାରୁ ଆରମ୍ଭ ହୋଇଥିଲା। ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ପବିତ୍ର ମାନୁଥିବାରୁ ସେବେଠାରୁ ଏହି ଗ୍ୟାଙ୍ଗ ସଲମାନ ଏବଂ ତାଙ୍କ ସହଯୋଗୀଙ୍କ ପଛରେ ପଡ଼ିଛି।

ଗତ କିଛି ବର୍ଷ ମଧ୍ୟରେ ଏହି ଗ୍ୟାଙ୍ଗ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଏବଂ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରି ସାରିଛି। ଏହା ବ୍ୟତୀତ ଗାୟକ ଗିପ୍ପି ଗ୍ରେୱାଲ, ଏପି ଢିଲନ, ନିର୍ଦ୍ଦେଶକ ରୋହିତ ସେଟ୍ଟୀ, କମେଡିଆନ୍ କପିଲ ଶର୍ମା ଏବଂ ଅଭିନେତ୍ରୀ ଦିଶା ପାଟନୀଙ୍କ ବାସଭବନକୁ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ ବିଭିନ୍ନ ସମୟରେ ଟାର୍ଗେଟ୍ କରି ସାରିଛି। ପୋଲିସ ବର୍ତ୍ତମାନ ଏହି ସୋସିଆଲ ମିଡିଆ ଦାବିର ସତ୍ୟାସତ୍ୟ ଯାଞ୍ଚ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।