ପଞ୍ଜାବ ୦୭/୦୩: ବହୁଚର୍ଚ୍ଚିତ ସାମ୍ୱାଦିକ ଛତ୍ରପତି ହତ୍ୟା ମାମଲା । ଡେରା ମୁଖ୍ୟ ରାମ ରହିମଙ୍କୁ ବଡ଼ ଆଶ୍ୱସ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିବିଆଇ କୋର୍ଟଙ୍କ ରାୟକୁ ଆଂଶିକ ଭାବରେ ପରିବର୍ତ୍ତନ କରି ଡେରା ମୁଖ୍ୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ତିନି ଅଭିଯୁକ୍ତ କୁଲଦୀପ, ନିର୍ମଳ ଓ କିଶନ ଲାଲଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି।

ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ରାୟ ବିରୋଧରେ ଅଭିଯୁକ୍ତମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ରାୟ ଶୁଣାଇଛନ୍ତି । ମାମଲାରେ ପ୍ରମାଣ ଓ ଯୁକ୍ତିର ବିସ୍ତୃତ ବିଚାର ପରେ, କୋର୍ଟ ଜାଣିପାରିଛନ୍ତି ଯେ, ଡେରା ମୁଖ୍ୟଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଯଥେଷ୍ଟ ପ୍ରମାଣିତ ହୋଇନାହିଁ । ସେହି ଆଧାରରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଅନ୍ୟ ତିନି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଯଥେଷ୍ଟ ଥିବାରୁ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ହାଇକୋର୍ଟ ସେମାନଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି।ତେବେ ଏଠାରେ କହିରଖୁ ଯେ, ଏହି ମାମଲା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ସହିତ ଜଡିତ । ସେ ଡେରାରେ ଥିବା ସମୟରେ ଡେରା ବିରୋଧରେ ଗମ୍ଭୀର ଅଭିଯୋଗ ପ୍ରକାଶ କରିଥିଲେ । ପରେ ୨୦୦୨ ମସିହାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରେ ମାମଲାଟି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଥିଲା।

ଦୀର୍ଘ ବିଚାର ପରେ, ୨୦୧୯ରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ମୁଖ୍ୟ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସମସ୍ତ ଦୋଷୀ ରାୟକୁ ଚ୍ୟାଲେଞ୍ଜ କରି ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ। ଶୁଣାଣି ସମୟରେ, ପ୍ରତିରକ୍ଷା-ସିବିଆଇ ଉଭୟ ବିସ୍ତୃତ ଯୁକ୍ତି ଉପସ୍ଥାପନ କରିଥିଲେ। କୋର୍ଟ ରେକର୍ଡ, ସାକ୍ଷୀଙ୍କ ବୟାନ ଏବଂ ପରିସ୍ଥିତିଗତ ତଥ୍ୟ ବିଶ୍ଳେଷଣ କରିଥିଲେ।

also read..

ଧୂଆଁରେ ଆଚ୍ଛାଦିତ କ୍ୟାବିନ, ନିଶ୍ୱାସ ନେବା ହେଲା କଷ୍ଟ: ଅଳ୍ପକେ ବର୍ତ୍ତିଲେ ଡେପୁଟି ସିଏମ୍