ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଭିତରେ ଇରାନ ଯୁଦ୍ଧ ମଧ୍ୟରେ, ଆଡେନ ଉପସାଗର ଏବେ ଆତଙ୍କ ଖେଳିଯାଇଛି । ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତାର ଖବର ଆସିଛି । ଜଳଦସ୍ୟୁମାନେ ଦୁଇଟି ଜାହାଜରୁ ୨୨ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଅପହରଣ କରିନେଇଛନ୍ତି ।

ଶିପିଂ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର କହିଛନ୍ତି, ୟେମେନ୍ ଏବଂ ସୋମାଲିଆ ନିକଟରେ ଦୁଇ ଭିନ୍ନ ଭିନ୍ନ ଘଟଣାରେ ସଶସ୍ତ୍ର ଜଳଦସ୍ୟୁମାନେ ଦୁଇ ବାଣିଜ୍ୟିକ ଜାହାଜକୁ ଅପହରଣ କରିଛନ୍ତି । ଦୁଇ ଜାହାଜରେ ମୋଟ ୨୨ଜଣ ଭାରତୀୟ ନାଗରିକ ଥିଲେ । ଅଧିକାରୀଙ୍କ ସୂଚନା ଅନୁସାରେ, ଉଭୟ ଜାହାଜରେ ଥିବା ଭାରତୀୟ ସଦସ୍ୟ ସୁରକ୍ଷିତ ଅଛନ୍ତି ।

ଅଧିକାରୀ କହିଛନ୍ତି, ଆଗଷ୍ଟ ୨୦ରେ ୟେମେନ୍ ଉପକୂଳଠାରୁ ପ୍ରାୟ ୩୦ ନୌଟିକାଲ୍ ଦୂର ଏଡେନ୍ ଉପସାଗରରୁ ଏରିଟ୍ରିଆ ପତାକା ତୈଳ ପରିବହନକାରୀ ଟ୍ୟାଙ୍କର 'M.T. Sibu 1'କୁ ସଶସ୍ତ୍ର ଜଳଦସ୍ୟୁମାନେ ଅପହରଣ କରିଛନ୍ତି । ଏହି ଜାହାଜରେ ମୋଟ ୨୦ ଜଣ କର୍ମଚାରୀ ଅଛନ୍ତି । ଏଥିରେ ୧୬ ଜଣ ଭାରତୀୟ, ଜଣେ ସିରିଆ, ଜଣେ ସୁଦାନ ଏବଂ ଜଣେ ଇରାକର ନାଗରିକ ଅଛନ୍ତି । ଅନ୍ୟ ଜଣେ କର୍ମଚାରୀଙ୍କ ନାଗରିକତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନିଯୁକ୍ତି ସଂସ୍ଥାର ରିପୋର୍ଟ ଅନୁଯାୟୀ, ୬ ଜଣ ସଶସ୍ତ୍ର ଜଳଦସ୍ୟୁ ଜାହାଜରେ ପ୍ରବେଶ କରି ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ।

ଅଧିକାରୀଙ୍କ କହିବା ଅନୁଯାୟୀ, ଆଗଷ୍ଟ ୧୭ରେ ସୋମାଲିଆର ପୁଣ୍ଟଲ୍ୟାଣ୍ଡ ଉପକୂଳରୁ କାମେରୁନ୍ ପତାକାବାହୀ ମାଲବାହୀ ଜାହାଜ 'M/V LUTUF' କୁ ଜଳଦସ୍ୟୁମାନେ ଅପହରଣ କରିଛନ୍ତି । ଏହି ଜାହାଜରେ ମୋଟ ୧୦ ଜଣ କର୍ମଚାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଭାରତୀୟ ନାଗରିକ ଅଟନ୍ତି । ଏକେ-୪୭ ରାଇଫଲ୍‌ରେ ସଜ୍ଜିତ ୮ ଜଣ ଜଳଦସ୍ୟୁ ଦୁଇଟି ବୋଟ୍ ସାହାଯ୍ୟରେ ଜାହାଜରେ ପ୍ରବେଶ କରି ନିୟନ୍ତ୍ରଣକୁ ନେଇଥିଲେ ।

ଏହି ନୂଆ ବିପଦ ଲୋହିତ ସାଗର, ଗଲ୍ଫ ଅଫ୍ ଆଡେନ ଏବଂ ଭାରତୀୟ ମହାସାଗର ଏକ ବିସ୍ତୃତ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ପରିଚାଳନାକୁ ଅଧିକ ଆହ୍ୱାନପୂର୍ଣ୍ଣ କରିଛି । ଶିପିଂ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ଏଜେନ୍ସିକୁ 'e-Navik' ପୋର୍ଟାଲ ମାଧ୍ୟମରେ ନିୟମିତ ଅପଡେଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ନୌସେନା ଓ ଆନ୍ତର୍ଜାତୀୟ ସାମୁଦ୍ରିକ ସୁରକ୍ଷା ସଂସ୍ଥାଗୁଡ଼ିକ ଜାହାଜଗୁଡ଼ିକର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।