ବାପି: ଗୁଜରାଟର ବିଭିନ୍ନ ଅଞ୍ଚଳରେ ଏବେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ କେତେକ ସହରରେ ଜନଜୀବନ ପ୍ରଭାବିତ ହୋଇଛି। ଏଥିରେ ଗତ ୨ ଦିନ ଧରି ଜାରି ବର୍ଷାରେ ବଲସାଡ ଜିଲ୍ଲା ଭୀଷଣ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲାର ଉମ୍ବରଗାଓଁ ରେ ଗୁରୁବାର ସୁଦ୍ଧା ମାତ୍ର ୧୬ ଘଣ୍ଟାରେ ୧,୧୦୦ ମିଲିମିଟର ବର୍ଷା ହେବା ଦେଶରେ ବର୍ଷାର ସବୁ ରେକର୍ଡ ଭଙ୍ଗ କରିଛି। ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବା ଯୋଗୁ ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇପଡିଛି।

ଏଥି ମଧ୍ୟରେ ବଲସାଡ ବାପିରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ପାର୍କିଂରେ ଛିଡା ହୋଇଥିବା କାର ସବୁ ପାଣିର ବୁଡି ରହିଥିବା ଦେଖା ଯାଉଛି। ଛବିରେ ବର୍ଷା ପାଣିର ବଢୁଥିବା ସ୍ତର କିପରି କାର ଛାତକୁ ଲାଗୁଛି ତାହା ବାସ୍ତବିକ୍ ବିସ୍ମୟଜନକ। ଏପଟେ ଷ୍ଟେଟ୍ ଏମାର୍ଜେନ୍ସୀ ଅପରେସନ ସିଷ୍ଟମ (ଏସଇଓସି) ତଥ୍ୟରେ ନିକଟରେ ହୋଇଥିବା ଭୀଷଣ ବର୍ଷା କାରଣରୁ ବଲସାଡ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହି ସମୟରେ କିଛି ସ୍ଥାନରେ ୬୦୦ ମିଲିମିଟରରୁ ବି ଅଧିକ ବର୍ଷା ରେକର୍ଡ ହୋଇଛି।

ଏସଇଓସିଙ୍କ ଅନୁସାରେ ବୁଧବାର ସକାଳ ୬ଟାରୁ ଆରମ୍ଭ ହୋଇଥିବା ବର୍ଷା ଗୁରୁବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଜାରି ଥିଲା। ଏଥିରେ ବଲସାଡର ଉମ୍ବରଗାଓଁ ତାଲୁକରେ ୧,୧୦୦ ମିଲିମିଟର ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ଏବେ ଔରଙ୍ଗା, ପାର ଓ ଦମନ ଆଦି ନଦୀରେ ବନ୍ୟା ଆସିଯାଇଛି। ଉଲ୍ଲେଖଯୋଗ୍ୟ ଯେ ଭାରତର ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଗୁରୁବାର ଓ ଶୁକ୍ରବାର ଲାଗି ବଲସାଡ, ନବସାରୀ, ଡାଙ୍ଗ, ତାପି ଓ ସୁରଟ ଭଳି ଜିଲ୍ଲାମାନଙ୍କ ନିମନ୍ତେ ଭୀଷଣରୁ ଅତି ଭୀଷଣ ବର୍ଷା ଆକଳନ କରିଛନ୍ତି। ଏଣୁ ଏହି ସବୁ ଜିଲ୍ଲାଙ୍କ ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପରେ ସ୍ଥାନୀୟ ଅଧିକାରୀମାନେ ପ୍ରଶାସନକୁ ସତର୍କ କରିଛନ୍ତି।