ନୂଆଦିଲ୍ଲୀ ୩୦/୦୧: ଗ୍ରେଟର ନୋଏଡାର ଇକୋଟେକ୍-୩ ଥାନା ଅଞ୍ଚଳର ସାଦୁଲ୍ଲାପୁର ଗାଁରେ ଦୁଃଖଦ ଘଟଣା । ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀ-ସ୍ତ୍ରୀ ତାଙ୍କ ତିନି ପିଲାଙ୍କ ସହିତ ବିଷ ପିଇଲେ ଦମ୍ପତି । ତେବେ ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ପିଲା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଗ୍ରେଟର ନୋଏଡାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସନ୍ତାନଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଦମ୍ପତିଙ୍କର କେଉଁ ଅବସ୍ଥାରେ ମୃତ୍ୟୁ ହୋଇଛି ଜଣାପଡ଼ି ନଥିଲେ ମଧ୍ୟ ଏହା ଏକ ଆତ୍ମହତ୍ୟା ଓ ହତ୍ୟା ଘଟଣା ପରି ମନେ ହେଉଛି । ପିଲାମାନଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରିବା ପରେ ଦମ୍ପତି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରିଛି ।

ଆର୍ଥିକ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦମ୍ପତି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ିନାହିଁ । ଗୁରୁବାର ସକାଳେ ସାଦୁଲାପୁର ଗାଁରେ ସମ୍ପର୍କୀୟମାନେ ମୃତକଙ୍କ ପରିବାରକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ପ୍ରାଥମିକ ତଦନ୍ତରୁ ସମସ୍ତେ ବିଷ ଖାଇଥିବା ପରି ଜଣାପଡ଼ିଛି ବୋଲି ପୁଲିସ କହିଛି । ସ୍ବାମୀ (୪୦) ଓ ସ୍ତ୍ରୀ (୩୮) ଙ୍କୁ ମୃତ ଘୋଷଣା କରାଯାଇଛି । ତିନି ପିଲାଙ୍କ ମଧ୍ୟରେ ୧୦ ବର୍ଷର ଝିଅ, ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ଅଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ହସ୍ପିଟାଲକୁ ପଠାଯାଇଛି।

ମହିଳା ଜଣକ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି ବୋଲି ସେଣ୍ଟ୍ରାଲ ନୋଏଡାର ଅତିରିକ୍ତ ଡେପୁଟି ପୁଲିସ କମିସନର ସନ୍ତୋଷ କୁମାର କହିଛନ୍ତି। ଏହି ଘଟଣାର ତଦନ୍ତ ଚାଲିଛି । ୧୦ ବର୍ଷର ଝିଅ ବୟାନ ଅନୁଯାୟୀ, ରାତିରେ ସେମାନେ ଭୋଜନ କରି ଶୋଇଥିଲେ । କିନ୍ତୁ ସକାଳ ୮ଟା ୩୦ ମିନିଟରେ ସେ ଉଠିବାବେଳକୁ ତାଙ୍କ ବାପାମା’ ଉଠୁ ନଥିବା ସେ ଜେଜେବାପାଙ୍କୁ କହିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫୋରେନସିକ ରିପୋର୍ଟ ଆସିବା ପରେ ଦମ୍ପତି କେମିତି ଆତ୍ମହତ୍ୟା କରିଥିଲେ ଜଣାପଡ଼ିବ ବୋଲି ପୋଲିସ କହିଛି ।