ଭୁବନେଶ୍ୱର: ସୋସିଆଲ ମିଡିଆରେ ମିଛ ପରିଚୟ। ଆଉ ନାବାଳିକାଙ୍କୁ ବ୍ଲାକମେଲିଂ। ଇନଷ୍ଟାଗ୍ରାମରେ ଝିଅଙ୍କ ଫଟୋକୁ ଡିପିରେ ରଖି ପଠାଉଥିଲା ଫ୍ରେଣ୍ଡ ରିକ୍ୟୁଏଷ୍ଟ। ବନ୍ଧୁତାର ଜାଲରେ ଫସାଇବା ପରେ ଆରମ୍ଭ କରୁଥିଲା ବ୍ଲାକମେଲିଂ। ନାବାଳିକାମାନଙ୍କୁ ପଠାଉଥିଲା ନ୍ୟୁଡ ଫଟୋ। ଡାକୁଥିଲା ହୋଟେଲ ଏବଂ ପାର୍କକୁ। ମନାକଲେ ସେମାନଙ୍କୁ କରୁଥିଲା ବ୍ଲାକମେଲିଂ। ଜଣେ କି ଦୁଇ ଜଣ ନୁହେଁ, ଏମିତି ଅନେକ ଶିକାର। ଘଟଣା ବାହାରକୁ ଆସିବା ପରେ ଜଣେ କାମୁକକୁ ବାନ୍ଧିଛି ଭୁବନେଶ୍ବର ପୋଲିସ।

ଆଳୁ, ପିଆଜ ବେପାରୀ ଦୀପ୍ତୀ ରଞ୍ଜନ ସାହୁ। କିନ୍ତୁ ବୁଦ୍ଧି ବେପାର ଅପେକ୍ଷା କଳାକାରନାମାରେ ସେ ଖଟାଉଥିଲା। ଇନଷ୍ଟାଗ୍ରାମରେ ଝିଅ ଫଟୋ ରଖେ ସେ ଡିପିରେ। ପରେ ଝିଅଙ୍କ ଆଇଡି ଦେଖି ପଠାଉଥିଲା ଫ୍ରେଣ୍ଡ ରିକ୍ୟୁଏଷ୍ଟ। ସେମାନେ ଆସେପ୍ଟ କଲା ପରେ ଅଭିଯୁକ୍ତ ଆରମ୍ଭ କରୁଥିଲା ତାହାର କଳାକାରନାମା। ନାବାଳିକାମାନଙ୍କୁ ନ୍ୟୁଡ ଫଟୋ ପଠାଇ କରୁଥିଲା ବ୍ଲାକମେଲିଂ। ନାବାଳିକାମାନେ ସେମାନଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇବାପରେ ଚନ୍ଦ୍ରଶେଖରପୁର ଥାନାରେ କରିଥିଲେ ଅଭିଯୋଗ। ପୋଲିସ ଏ ନେଇ ଆଇଟି ଆକ୍ଟରେ ମାମଲା ରୁଜୁ କରି କରିଥିଲା ତଦନ୍ତ। ଆଉ ଫେକ୍ ଆଇଡିରୁ ଜଣାପଡ଼ିଥିଲା ଅଭିଯୁକ୍ତ ପିଆଜ ବେପାରୀ। ଶେଷରେ ବେପାରୀ ଦିପ୍ତୀକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତ ଦିପ୍ତୀ ଗାଡକଣରେ ଭିଣୋଇଙ୍କ ଘରେ ରହି କରୁଥିଲା ଆଳୁ, ପିଆଜ ବେପାର। ବେପାର କରୁକରୁ ତା ମୁଣ୍ଡରେ ପଶିଥିଲା ନାବାଳିକାମାନଙ୍କୁ ବ୍ଲାକମେଲିଂ କରିବାର ସୈତାନ।

ଏହି ଘଟଣା ପରେ ସାମ୍ନାକୁ ଆସିଛି ଅନଲାଇନ୍ ଗେମ୍ ଓ ଫେକ୍ ପରିଚୟର ମାୟାଜାଲ। ପ୍ରେମ, ପ୍ରତାରଣା ଏବଂ ବ୍ଲାକମେଲିଂର ଭୟଙ୍କର ଚିତ୍ର। ରାଜଧାନୀରୁ ଗିରଫ ହେଲେଣି ଦୁଇ ଦିନରେ ୩ ଅଭିଯୁକ୍ତ। ୫ ଜଣଙ୍କୁ ବିବାହ କରିବା ଅଭିଯୋଗରେ ଜଣେ ୫୫ ବର୍ଷୀୟଙ୍କୁ ଗିରଫ କରି ଗତ ୨୭ ତାରିଖରେ କୋର୍ଟ ଚାଲାଣ କରିଥିଲା ମହିଳା ଥାନା ପୋଲିସ। ପୁଣି ୨୮ ତାରିଖରେ ଗେମିଂ ଆପରୁ ପରିଚିତ ହୋଇ ବିବାହର ପ୍ରତିଶୃତି ଦେଇ ପ୍ରେମ, ପ୍ରତାରଣା କରିବା ଅଭିଯୋଗରେ ସହିଦନଗର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ଜେଲ ହାଜତକୁ ପଠାଇଛି। ସେହିପରି ଅନ୍ୟ ଏକ ଘଟଣାର ଧର୍ମ ଲୁଚାଇ ପ୍ରେମ ଜାଲରେ ଫଶାଇ ନିର୍ଯ୍ୟାତନା ଦେବା ଅଭିଯୋଗରେ ମହିଳା ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ଜେଲ ହାଜତକୁ ପଠାଇଛି। ତେବେ ଏଥି ପ୍ରଶ୍ନ ଉଠୁଛି ଅଭିଯୋଗ ପରେ ପୋଲିସ ସଠିକ୍ ତଦନ୍ତ କରି ଗିରଫ କରୁଛି ତ ?

ରାଜଧାନୀ ଭୁବନେଶ୍ୱରରେ ସୋସିଆଲ ମିଡିଆ, ଅନଲାଇନ୍ ଗେମିଂ ଏବଂ ଫେକ୍ ଆଇଡି ଖୋଲି ମାଧ୍ୟମରେ ଯୁବତୀମାନଙ୍କୁ ଟାର୍ଗେଟ୍ କରୁଥିବା ଦୁଇଟି ଅଲଗା ଅଲଗା ଘଟଣା ସାମ୍ନାକୁ ଆସିଛି। ପ୍ରଥମ ଘଟଣାରେ, ଅନଲାଇନ୍ ଗେମ୍ ଜରିଆରେ ପରିଚୟ ହୋଇଥିଲେ। ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ତରଙ୍ଗ ଫଟୋ ଭାଇରାଲ୍ କରିବା ନାଁରେ ବ୍ଲାକମେଲ୍ କରୁଥିବା ଅଭିଯୁକ୍ତ ସୁନୀଲ କୁମାର ବେହେରାକୁ ପୋଲିସ ଛତିଶଗଡ଼ରୁ ଗିରଫ କରିଛି। ସେହିପରି ଦ୍ୱିତୀୟ ଘଟଣାରେ ପିଣ୍ଟୁ ଓରଫ ଇରଫାନ୍ ଖାନ୍ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଟଙ୍କା, ସୁନା, କାଗଜପତ୍ର ଲୁଟି ନେଇଥିବା ଏବଂ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ କେନ୍ଦ୍ରାପଡ଼ାରୁ ଧରାପଡ଼ିଛି। ଏହି ଦୁଇଟିଯାକ ଘଟଣା ସାଇବର ଠକାମି ଏବଂ ସୋସିଆଲ କ୍ରାଇମର ଭୟାବହତାକୁ ପଦାରେ ପକାଇଛି।

ଏହା ପଛର କାରଣ କଣ। ସଚେତନତାର ଅଭାବ ନା ଆଉ କିଛି। ଯଦି କେହି ଅଜଣା ବ୍ୟକ୍ତି କିମ୍ବା ଅନଲାଇନ୍ ପ୍ଲାଟଫର୍ମ (ଗେମ୍, ସୋସିଆଲ ମିଡିଆ)ରେ କେହି ଆପଣଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଛନ୍ତି। ତେବେ ଆଖିବୁଜି ଭରସା କରନ୍ତୁ ନାହିଁ। ବିଶେଷକରି ବ୍ୟକ୍ତିଗତ ସମ୍ପର୍କ କିମ୍ବା ପ୍ରେମ ସମ୍ପର୍କ ଯୋଡ଼ିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ, ପୃଷ୍ଠଭୂମି ଏବଂ ପରିବାର ବିଷୟରେ ପୂର୍ଣ୍ଣ ସତ୍ୟତା ଜାଣିବା ନିହାତି ଆବଶ୍ୟକ। ଯଦି କେହି ବ୍ଲାକମେଲ୍ କରେ କିମ୍ବା ଧମକଚମକ ଦିଏ, ତେବେ ଭୟଭୀତ ନ ହୋଇ ତୁରନ୍ତ ପରିବାର ଲୋକଙ୍କୁ ଜଣାନ୍ତୁ ଏବଂ ପୋଲିସ କିମ୍ବା ମହିଳା ଥାନାର ଦ୍ୱାରସ୍ଥ ହୁଅନ୍ତୁ।

ଯଦି ଆମେ ଏହାକୁ ତର୍ଜମା କରିବା ଏହି ସବୁ ମାମଲା ପାଇଁ କାହାର ଭୁଲ ଏବଂ କାହିଁକି? କାହାକୁ ଏଥିପାଇଁ ଦାୟୀ କରିବା। ଏହି ଘଟଣାରେ କୌଣସି ଗୋଟିଏ ପକ୍ଷର ନୁହେଁ, ବରଂ ଅପରାଧୀଙ୍କ ମାନସିକତା, ସଚେତନତାର ଅଭାବ ଏବଂ ଡିଜିଟାଲ୍ ଦୁନିଆର ଅସାବଧାନତା ଏକାଠି ଦାୟୀ। ତେଣୁ ନିଜର ସୁରକ୍ଷା ପାଇଁ ବ୍ୟକ୍ତିଗତ ସ୍ତରରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ