କଳାହାଣ୍ଡି : ଅବକାରୀ ବିଭାଗକୁ ମିଳିଛି ସଫଳତା । ଅବକାରୀ ବିଭାଗର ପକ୍ଷରୁ ଚଢ଼ାଉ କରାଯାଇ ଏକ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ ସହ ଗୋଟିଏ ପିସ୍ତଲ ଓ ୫ଟି ଅଫୁଟା ଗୁଳି ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ କେସିଙ୍ଗା ଅବକାରୀ ବିଭାଗର ଏକ ଟିମ୍ କେସିଙ୍ଗା ବ୍ଲକର ଅମାଠ ଛକରୁ ଜାତୀୟ ରାଜପଥ ୫୯ ଦେଇ ମଦନପୁର ରାମପୁର ଯିବା ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ପଲମ ଛକ ନିକଟସ୍ଥ ଟୋଲଗେଟ୍ ପାଖରେ ଏକ ଅଟୋରିକ୍ସାକୁ ସନ୍ଦେହରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ, ଗୋଟିଏ ପିସ୍ତଲ, ୫ଟି ଅଫୁଟା ଗୁଳି ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଥିଲା। ଏଥି ସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ ଅଟୋରିକ୍ସାକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ତେବେ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ଗଞ୍ଜେଇ ଚାଲାଣ ଓ ବେଆଇନ ଭାବେ ପିସ୍ତଲ ରଖିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

 Also Read- Cyclone Arnab : ବାତ୍ୟା ଅର୍ଣ୍ଣବର ପ୍ରଭାବ, କଳିଙ୍ଗା ଘାଟି ସମେତ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନକୁ ବନ୍ୟା ପରିସ୍ଥିତି

ଗିରଫ ଅଭିଯୁକ୍ତ ବିହାର ରାଜ୍ୟର ଶ୍ରୀରାମ ଗୌଡ଼ ଏବଂ ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟସ୍ଥ ଭୁଆଁପଡ଼ା ଗ୍ରାମର ଭୋଳା ହରପାଳ। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି l ତେବେ ଗଞ୍ଜେଇ ଚାଲାଣ ଓ ଅସ୍ତ୍ରଶସ୍ତ୍ର ଜବତ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।