ନୂଆଦିଲ୍ଲୀ: IIT Bombay କ୍ୟାମ୍ପସରେ ଛାତ୍ର ଆତ୍ମହତ୍ୟା ମାମଲାରେ ପ୍ରାଥମିକ ତଦନ୍ତରୁ ପ୍ରଫେସରଙ୍କ ସଂପୃକ୍ତି ନେଇ କୌଣସି ବଳିଷ୍ଠ ପ୍ରମାଣ ମିଳିନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ତଦନ୍ତକାରୀ ଦଳ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚି ନାହାନ୍ତି ଏବଂ ଉପଲବ୍ଧ ସମସ୍ତ ପ୍ରମାଣର ଗ୍ରାଉଣ୍ଡ ଲେଭେଲ୍‌ ସମୀକ୍ଷା ଜାରି ରଖିଛନ୍ତି। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ବର୍ଷର ବି.ଟେକ୍ ବିଦ୍ୟାର୍ଥୀ ସାହିଲ ରବୀନ୍ଦ୍ର ୱାକୋଡେଙ୍କ ବିରୋଧରେ କୌଣସି ଜାତିଗତ ଆକ୍ଷେପ କିମ୍ବା ମନ୍ତବ୍ୟ ଦିଆଯାଇଥିବା ନେଇ କୌଣସି ପ୍ରତ୍ୟକ୍ଷଦର୍ଶୀ କିମ୍ବା ପ୍ରମାଣ ମିଳିନାହିଁ। 

ସିସିଟିଭି ଫୁଟେଜର ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ପରୀକ୍ଷା ସମୟରେ ଚିଟିଂ କରୁଥିବା ସନ୍ଦେହରେ ପରୀକ୍ଷା ନିରୀକ୍ଷକ ତଥା ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲା ୱାକୋଡେଙ୍କୁ ପରୀକ୍ଷା ହଲରୁ ବାହାରିଯିବାକୁ କହିଥିଲେ। ଏହାପରେ ବିଦ୍ୟାର୍ଥୀଜଣକ ହଲରୁ ବାହାରି ନିଜ ହଷ୍ଟେଲ ରୁମ୍‌ ଆଡ଼କୁ ଯାଉଥିବା ଅନ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସୂଚନାଯୋଗ୍ୟ ଯେ, ପ୍ରଫେସର ଦୁଲ୍ଲାଙ୍କୁ 'ଡିନ୍ ଅଫ୍ ଷ୍ଟୁଡେଣ୍ଟସ ୱେଲଫେୟାର' ପଦବୀରୁ ହଟାଯାଇଛି। ତଦନ୍ତ ନିରପେକ୍ଷ ହେବା ପାଇଁ ସେ ନିଜେ ଏହି ପଦରୁ ଓହରି ଯାଇଥିବା କୁହାଯାଉଛି। ଆଇଆଇଟି ବମ୍ବେ ଫ୍ୟାକଲ୍ଟି ଫୋରମ୍ ମଧ୍ୟ ପ୍ରଫେସର ଦୁଲ୍ଲାଙ୍କ ସମର୍ଥନରେ ବାହାରିଛି

ପରିବାରର ଅଭିଯୋଗ 
ସାହିଲଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କ୍ୟାମ୍ପସରେ ତାଙ୍କୁ ଜାତିଗତ ନିର୍ଯାତନା ଏବଂ ସଂସ୍ଥାଗତ ଶୋଷଣର ଶିକାର ହେବାକୁ ପଡ଼ିଥିଲା, ଯାହା ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲା। ଏହି ଆଧାରରେ ପରିବାର 'ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ୍, ୧୯୮୯' ଅଧୀନରେ ମାମଲା ରୁଜୁ କରିଛନ୍ତି। ଏପେ ପରିବାର ପ୍ରଫେସର ଦୁଲ୍ଲା ଏବଂ ଡାଇରେକ୍ଟର କେଦାରେଙ୍କୁ ଗିରଫ ପାଇଁ ଦାବି କରିଛି ।

ପୋଲିସ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ କହିଛି ଯେ, ପରୀକ୍ଷା ସମୟରେ ସାହିଲଙ୍କ ପାଖରେ ମୋବାଇଲ୍ ଫୋନ୍ ଦେଖିବା ପରେ ପ୍ରଫେସର ତାଙ୍କୁ ବାହାରକୁ ଆଣିଥିଲେ। ଏହାପରେ ତାଙ୍କୁ ବିଭାଗୀୟ ମୁଖ୍ୟଙ୍କ (HOD) କାର୍ଯ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ ଆଉ ଜଣେ ପ୍ରଫେସର ମଧ୍ୟ ଉପସ୍ଥିତ ଥିଲେ। କ୍ରାଇମବ୍ରାଞ୍ଚ ସେହି ସମୟରେ ଉପସ୍ଥିତ ଥିବା ସମସ୍ତ ପ୍ରଫେସରଙ୍କ ବୟାନ ରେକର୍ଡ କରିଛି।

କ’ଣ କହିଲେ ମୃତ ଛାତ୍ରଙ୍କ ବନ୍ଧୁ ?
ସାହିଲଙ୍କ ଜଣେ ନିକଟତର ବନ୍ଧୁ ଗଣମାଧ୍ୟମକୁ ଦେଇଥିବା ବୟାନରେ ଜାତିଗତ ଭେଦଭାବ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ସାହିଲ ପରୀକ୍ଷା ହଲରେ ନିୟମ ଭଙ୍ଗ କରୁଥିବା ସମୟରେ ଧରାପଡ଼ିଥିଲେ। ପ୍ରଫେସର ତାଙ୍କୁ ବାହାରକୁ ନେଇଯାଇଥିଲେ, କିନ୍ତୁ ସଂସ୍ଥା ପକ୍ଷରୁ ତାଙ୍କ ଉପରେ କୌଣସି ଆନୁଷ୍ଠାନିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।