ନୂଆଦିଲ୍ଲୀ ୦୭।୧୧ : ଦିଲ୍ଲୀ-ଏନସିଆରରେ ବାୟୁ ସ୍ଥିତି ଏବେ ସଙ୍ଗୀନ । ଏଠାରେ GRAP-3 କଟକଣା ଲାଗୁ କରାଯାଇଛି । ବାୟୁ ପ୍ରଦୂଷଣର ସ୍ତର 'ଗମ୍ଭୀର' ଶ୍ରେଣୀ ନିକଟରେ ପହଞ୍ଚିଥିବା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ଏହା ସହିତ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (GRAP) ଅଧୀନରେ ଷ୍ଟେଜ୍-୩ ପ୍ରଦୂଷଣ ପ୍ରତିବନ୍ଧକଗୁଡ଼ିକ କାର୍ଯ୍ୟକାରୀ ହୋଇଛି । ଦିଲ୍ଲୀର ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୩୮୨ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଏହାକୁ ଦୃଷ୍ଟିରେ ରଖି 'କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ' (CAQM) ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତତ୍କାଳ ପ୍ରଭାବରୁ GRAP-3 କଟକଣା ଲାଗୁ କରାଯାଇଛି। ଏହାପୂର୍ବରୁ ସୋମବାର ଦିନ ତତ୍କାଳ ପ୍ରଭାବରୁ ଗ୍ରାପ୍-୨ ଲାଗୁ କରାଯାଇ ଥିଲା।

କେଉଁ ଜିନିଷଗୁଡ଼ିକରେ ରହିବ ପ୍ରତିବନ୍ଧକ ?

ଏନଡିଟିଭିର ରିପୋର୍ଟ ଅନୁଯାୟୀ, GRAP-3 ଅଧୀନରେ ଅଣ-ଜରୁରୀ ନିର୍ମାଣ କାର୍ଯ୍ୟ ଏବଂ ଭଙ୍ଗା-ରୁଜା କାମ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି ; ଯେପରିକି ମାଟି ଖୋଳିବା, ପାଇଲିଂ କରିବା, ଟ୍ରେଞ୍ଚିଂ ଏବଂ ଖାଲା ସ୍ଥାନରେ ରେଡି-ମିକ୍ସ କଂକ୍ରିଟ୍ ପ୍ଲାଣ୍ଟ ପରିଚାଳନା କରିବା ଆଦି ବନ୍ଦ ରହିବ ।

ଯାନବାହାନ ଉପରେ ମଧ୍ୟ ଲାଗିଲା କଟକଣା

ଦିଲ୍ଲୀ-ଏନସିଆରରେ ବିଏସ୍-୩ (BS-3) ପେଟ୍ରୋଲ ଏବଂ ବିଏସ୍-୪ (BS-4) ଡିଜେଲ ଚାରିଚକିଆ ଯାନଗୁଡ଼ିକର ରାସ୍ତାରେ ଚଳାଚଳ ଉପରେ ପ୍ରତିବନ୍ଧକ ରହିବ। ଏହାବ୍ୟତୀତ ଅନ୍ତଃରାଜ୍ୟ (Inter-state) ଡିଜେଲ ବସ୍ ଗୁଡ଼ିକର ରାଜଧାନୀ ଭିତରକୁ ପ୍ରବେଶ କିମ୍ବା ଚଳାଚଳ ଉପରେ ରୋକ୍ ଲଗାଯାଇଛି । ବାଲି ଓ ସିମେଣ୍ଟ ଭଳି ସାମଗ୍ରୀ ପରିବହନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଜରୁରୀକାଳୀନ ଏବଂ ଜରୁରୀ ସେବାକୁ ବାଦ୍ ଦେଲେ ଜେନେରେଟର ସେଟର ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଛି।

ଅଫିସ୍ ଏବଂ ସ୍କୁଲ ପାଇଁ କ’ଣ ରହିଛି ନିର୍ଦ୍ଦେଶ ?

ଗାଡ଼ିମୋଟର ଯୋଗୁଁ ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବେସରକାରୀ କମ୍ପାନିଗୁଡ଼ିକୁ 'ୱାର୍କ ଫ୍ରମ୍ ହୋମ୍' କିମ୍ବା ହାଇବ୍ରିଡ୍ ମଡେଲରେ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ, ଛୋଟ ପିଲାମାନଙ୍କୁ ବିଷାକ୍ତ ବାୟୁରୁ ସୁରକ୍ଷା ଦେବା ପାଇଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ ରଖିବା ଏବଂ ଅନଲାଇନ୍ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜଧାନୀରେ ଘନ କୁହୁଡ଼ିର ଚାଦର

ଜାତୀୟ ରାଜଧାନୀରେ ଶୁକ୍ରବାର ଦିନ ଘନ କୁହୁଡ଼ିର ଚାଦର ଛାଇ ରହିଥିଲା, ଯାହାଫଳରେ ବାୟୁର ଗୁଣବତ୍ତାରେ ଅତ୍ୟନ୍ତ ଦ୍ରୁତ ଅବନତି ଘଟି ଥିଲା । ଦିଲ୍ଲୀର ୫୯ଟି ନଜର ରଖିବା କେନ୍ଦ୍ର ମଧ୍ୟରୁ ୩୦ଟିରେ ସକାଳ ନଅଟା ସମୟରେ ବାୟୁ ଗୁଣବତ୍ତା 'ଗମ୍ଭୀର' ବର୍ଗରେ ରେକର୍ଡ କରାଯାଇଥିଲା , ଯେତେବେଳେ କି ଅନ୍ୟ କେନ୍ଦ୍ରଗୁଡ଼ିକରେ ଏହା 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ଥିଲା । ରୋହିଣୀରେ ସର୍ବାଧିକ ୪୭୫ ଏକେୱାଇ (AQI) ରେକର୍ଡ ହୋଇଥିବା ବେଳେ ଭାରତୀୟ ପ୍ରାକ୍ଟିକେକନୋଲୋଜି ଇନଷ୍ଟିଚ୍ୟୁଟ୍ (IIT) ଦିଲ୍ଲୀରେ ଏହା ୪୭୨ ଥିଲା ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ଶୂନ୍ୟରୁ ୫୦ ମଧ୍ୟରେ ଥିବା AQI କୁ 'ଭଲ', ୫୧ ରୁ ୧୦୦ କୁ 'ସନ୍ତୋଷଜନକ', ୧୦୧ ରୁ ୨୦୦ କୁ 'ମଧ୍ୟମ', ୨୦୧ ରୁ ୩୦୦ କୁ 'ଖରାପ', ୩୦୧ ରୁ ୪୦୦ କୁ 'ଅତ୍ୟନ୍ତ ଖରାପ' ଏବଂ ୪୦୧ ରୁ ୫୦୦ କୁ 'ଗମ୍ଭୀର' ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇ ଥାଏ ।