ମୁମ୍ବାଇ : ବଲିଉଡ ଲୋକପ୍ରିୟ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟ ବାହାରେ ପୁଅ ଯଶବର୍ଦ୍ଧନ ଆହୁଜାଙ୍କ ସହ ସୁନୀତାଙ୍କୁ ଦେଖିବା ପରେ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ପୁଣି ପ୍ରଶ୍ନ ଉଠିଛି । ତେବେ ଏହି ଘଟଣାରେ ଏବେ ଆସିଛି ଏକ ନୂଆ ଟ୍ୱିଷ୍ଟ।

ଫ୍ୟାମିଲି କୋର୍ଟରେ ସୁନୀତା ଓ ଯଶବର୍ଦ୍ଧନ:

ସୂଚନାନୁଯାୟୀ, ଅଗଷ୍ଟ ୧୯ ତାରିଖରେ ସୁନୀତା ଆହୁଜାଙ୍କୁ ପୁଅ ଯଶବର୍ଦ୍ଧନଙ୍କ ସହ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ଜଣେ ଆଇନଜୀବୀ ମଧ୍ୟ ଥିଲେ। ସୁନୀତା କୋର୍ଟରୁ ବାହାରିବା ସମୟରେ ପାପାରାଜି ତାଙ୍କୁ କୋର୍ଟ ଆସିବାର କାରଣ ପଚାରିଥିଲେ। ଏହାର ଉତ୍ତରରେ ସେ ମଜାଳିଆ ଢଙ୍ଗରେ କହିଥିଲେ ‘ଜନ୍ମଦିନ ପାଳନ କରିବାକୁ ଆସିଥିଲି’ ବୋଲି । ସୁନୀତାଙ୍କୁ ଫ୍ୟାମିଲି କୋର୍ଟ ବାହାରେ ହଠାତ ଦେଖିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ, ଗୋବିନ୍ଦା ଓ ସୁନୀତାଙ୍କ ସମ୍ପର୍କ କ’ଣ ଭାଙ୍ଗିବାକୁ ଯାଉଛି? କିନ୍ତୁ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସ୍ପଷ୍ଟ କରିଛନ୍ତି ଯେ ସୁନୀତା ତାଙ୍କ ଛାଡ଼ପତ୍ର ମାମଲା ଫେରାଇ ନେଇଛନ୍ତି। ତେଣୁ ବର୍ତ୍ତମାନ ଗୋବିନ୍ଦା ଓ ସୁନୀତାଙ୍କ ଛାଡ଼ପତ୍ର ହେଉଛି ବୋଲି କହିବା ଠିକ୍ ହେବ ନାହିଁ। ରିପୋର୍ଟ ଅନୁସାରେ, ସୁନୀତା ଗୋବିନ୍ଦାଙ୍କ ବିରୋଧରେ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ ଫେରାଇ ନେଇଥିବା ଜଣାପଡିଛି ।

୨ବର୍ଷ ପରେ ମାମଲା ପ୍ରତ୍ୟାହାର :

ସୁନୀତା ପ୍ରାୟ ଦୁଇ ବର୍ଷ ପୂର୍ବେ ଗୋବିନ୍ଦାଙ୍କ ବିରୋଧରେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଥିଲେ। ଏହି ମାମଲାକୁ ନେଇ ଦୀର୍ଘ ସମୟ ଧରି ଦୁହିଁଙ୍କ ସମ୍ପର୍କ ବିଷୟରେ ଅନେକ ଚର୍ଚ୍ଚା ଚାଲିଥିଲା। ଏବେ ସୁନୀତା ନିଜେ ମାମଲା ଫେରାଇ ନେଇଥିବା କଥା ଗୋବିନ୍ଦାଙ୍କ ମ୍ୟାନେଜର ନିଶ୍ଚିତ କରିଛନ୍ତି । ଗତ କିଛି ଦିନ ହେବ ଗୋବିନ୍ଦା ଓ ସୁନୀତାଙ୍କ ସମ୍ପର୍କକୁ ନେଇ ସାର୍ବଜନୀନ ଭାବେ ଅନେକ କଳ୍ପନା ଜଳ୍ପନା ଚାଲିଛି । ଗୋବିନ୍ଦାଙ୍କ ଜଣେ ଯୁବ ଅଭିନେତ୍ରୀଙ୍କ ସହ ସମ୍ପର୍କକୁ ନେଇ ଗୁଜବ ମଧ୍ୟ ଚର୍ଚ୍ଚାରେ ରହିଛି। ସୁନୀତା ଏହି ପ୍ରସଙ୍ଗରେ ସାର୍ବଜନୀନ ଭାବେ ମନ୍ତବ୍ୟ ଦେଇଥିବାବେଳେ ଗୋବିନ୍ଦା ମଧ୍ୟ ଏହାର ଜବାବ ଦେଇଥିଲେ। ଏହି ସବୁ ଘଟଣା ଦୁହିଁଙ୍କ ବୈବାହିକ ଜୀବନକୁ ପୁଣି ଲୋକାଲୋଚନାକୁ ଆଣିଥିଲା ।

ଆଉ ଗତକାଲି ଫ୍ୟାମିଲି କୋର୍ଟ ବାହାରେ ସୁନୀତାଙ୍କ ସହ ପୁଅ ଯଶବର୍ଦ୍ଧନଙ୍କୁ ଦେଖିବା ପରେ ଏହି ଘଟଣା ଆହୁରି ଚର୍ଚ୍ଚିତ ହୋଇଥିଲା। ଯଶବର୍ଦ୍ଧନ ପାପାରାଜିଙ୍କୁ ଫଟୋ ଓ ଭିଡିଓ ନକରିବାକୁ ଅନୁରୋଧ କରିଥିବା ମଧ୍ୟ ରିପୋର୍ଟ ହୋଇଛି। ତେଣୁ ସୁନୀତା ଆହୁଜାଙ୍କୁ ଫ୍ୟାମିଲି କୋର୍ଟ ବାହାରେ ଦେଖିବା ପରେ ଛାଡ଼ପତ୍ର ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା, ତା’ର ଏବେ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି।