ନୂଆଦିଲ୍ଲୀ: ଭାରତର ବିମାନ ଉଦ୍ୟୋଗ ଉପରେ ଜେଟ୍ ଫୁଏଲର ମୂଲ୍ୟ ବୃଦ୍ଧି ଓ ପଶ୍ଚିମ ଏସିୟା ସଂକଟର ଚାପ କ୍ରମେ ବଢିବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏୟାରଲାଇନ୍ସ ଙ୍କ ଲାଗି ବୁଧବାର ୫ ହଜାର କୋଟି ଟଙ୍କାର ଏମାର୍ଜେନ୍ସୀ କ୍ରେଡିଟ୍ ପ୍ୟାକେଜ୍ ମଞ୍ଜୁର କରିଛନ୍ତି। ଏଣୁ ସଂକଟରେ ପଡିଥିବା ବିମାନ କମ୍ପାନୀଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ହେଲେ ଏବେ ପ୍ରଶ୍ନ ଉଠୁଛି ଏଥିରୁ ଯାତ୍ରୀଙ୍କୁ ଲାଭ ମିଳିବ କି ନା? ସରକାର ଏମାର୍ଜେନ୍ସୀ କ୍ରେଡିଟ ଲାଇନ ଗ୍ୟାରେଣ୍ଟିରେ ଏହି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଥିରେ ଏୟାରଲାଇନ୍ସଙ୍କୁ ବ୍ୟାଙ୍କମାନଙ୍କରୁ ଋଣ ମିଳି ପାରିବ।

ସରକାରଙ୍କ ପ୍ୟାକେଜ୍ ଅନୁସାରେ ପ୍ରତ୍ୟେକ ଏୟାରଲାଇନକୁ ୧,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ। ଏହା ଦ୍ୱାରା ସେମାନେ ନିଜର ଖର୍ଚ୍ଚ ତୁଲାଇ ପାରିବେ। ଏୟାରଲାଇନ୍ସର ସବୁଠୁ ଅଧିକ ବ୍ୟୟ ଜେଟ୍ ଫୁଏଲ ପାଇଁ ହୋଇଥାଏ। ଏହା ସାଧାରଣତଃ ୩୦-୪୦% ମଧ୍ୟରେ ଥାଏ। ହେଲେ ଏବେ କିଛି ମାସ ହେଲା ଏହା ୫୦%କୁ ପାର କରିଯାଇଛି। ପଶ୍ଚିମ ଏସିୟାରେ ଯୁଦ୍ଧ, ଏୟାରସ୍ପେସ୍ ବନ୍ଦ ରହିବା ଓ ଦୀର୍ଘ ଉଡାଣ କାରଣରୁ କମ୍ପାନୀଙ୍କ ଖର୍ଚ୍ଚ ବୃଦ୍ଧି ପାଇଛି। କେବଳ ଖର୍ଚ୍ଚ ବୃଦ୍ଧି ନୁହେଁ ଯାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ଏଣୁ ୨୦୨୬ ଆର୍ଥିକ ବର୍ଷରେ ଘରୋଇ ବିମାନ ଯାତ୍ରା ବୃଦ୍ଧି ହ୍ରାସ ହୋଇ ୧.୩%କୁ ପହଞ୍ଚିଛି। ଏହା ପୂର୍ବରୁ ୭%ରୁ ବି ଅଧିକ ହେଉଥିଲା। ଏହା ଦ୍ୱାରା ଏୟାରଲାଇନ୍ସଙ୍କ ଆୟ ଉପରେ ନକରାତ୍ମକ ପ୍ରଭାବ ପଡୁଛି।

କିପରି କାର୍ଯ୍ୟ କରିବ ଯୋଜନା

  • ଲୋନ ସୁଝିବାର ଅବଧି ୭ ବର୍ଷ ରହିବ
  • ପ୍ରଥମ ୨ ବର୍ଷ ଇଏମଆଇ ପୈଠ କରିବାକୁ ପଡିବନି
  • ଅତିରିକ୍ତ ଲୋନ ଉପରେ ସରକାର ଗ୍ୟାରେଣ୍ଟି ଦେବେ

କମିବ କି ଟିକେଟ୍ ମୂଲ୍ୟ?
ବଢୁଥିବା ଖର୍ଚ୍ଚ ଯୋଗୁ ଏୟାରଲାଇନ୍ସ ମାନେ ଟିକେଟ୍ ମୂଲ୍ୟ ବଢାଇବା ସହିତ ଫୁଏଲ ସରଚାର୍ଜ ମଧ୍ୟ ଅସୁଲ କରୁଛନ୍ତି। ଏହି ପ୍ୟାକେଜ୍ କମ୍ପାନୀଙ୍କୁ ଆଶ୍ୱସ୍ତି କରିବ ନିଶ୍ଚିତ ହେଲେ ଟିକେଟ ଶସ୍ତା ହେବାର ସମ୍ଭାବନା କମ୍। ଯଦି ପରିସ୍ଥିତିରେ ସୁଧାର ଆସେ ତେବେ ଭବିଷ୍ୟତରେ ବିମାନ ଭଡ଼ କମି ପାରେ। ତେବେ ଏୟାରଲାଇନ୍ସ ଉପୁଜିଥିବା ପରିସ୍ଥିତିରେ ସହାୟତା ନିମନ୍ତେ ସରକାରଙ୍କୁ ନିବେଦନ କରିଥିଲେ। କାରଣ ପରିସ୍ଥିତି ଏପରି ହୋଇପଡିଥିଲା ଯେ କିଛି ମାର୍ଗରେ ଅନ୍ତର୍ଜାତୀୟ ଉଡାଣ ରୋକିବାକୁ ପଡିଥିଲା। ଫେଡେରେସନ ଅଫ ଇଣ୍ଡିଆନ ଏୟାରଲାଇନ୍ସ ମାଧ୍ୟମରେ କମ୍ପାନୀମାନେ ସରକାରଙ୍କ ନିକଟରେ ନିଜ ଚିନ୍ତା ପ୍ରକଟ କରିଥିଲେ।