• କେନ୍ଦ୍ର ସରକାର ଜ୍ଞାନେଶ କୁମାରଙ୍କ ଜେଡ୍ ପ୍ଲସ୍ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଛନ୍ତି
  • ଯୁବ କଂଗ୍ରେସ ସେପ୍ଚେମ୍ବର ୨୭ ତାରିଖ ଦିନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ପ୍ରଦର୍ଶନ କରିଥିଲା
  • ଦିଲ୍ଲୀ ଅଶୋକ ରୋଡସ୍ଥିତ ନିର୍ବାଚନ ଆୟୋଗଙ୍କ ମୁଖ୍ୟାଳୟ ଭିତରେ ଓ ବାହାରେ ସୁରକ୍ଷା ବଢାଇ ଦିଆଯାଇଛି

ନୂଆଦିଲ୍ଲୀ: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)ରେ କଥିତ ଗଡ଼ବଡ଼ିକୁ ନେଇ ସାରା ଦେଶରେ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଜେଡ୍ ପ୍ଲସ୍ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଛନ୍ତି। ତାଙ୍କ ବାସଭବନ, ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଓ ବ୍ୟକ୍ତିଗତ ସୁରକ୍ଷାରେ ମୁତୟନ ଜବାନଙ୍କ ସଂଖ୍ୟା ବଢାଇ ଦିଆଯାଇଛି। ମିଳୁଥିବା ସୂଚନା ଅନୁସାରେ ଦିଲ୍ଲୀ ଓ ଆଗ୍ରା ସ୍ଥିତ ସିଇସିଙ୍କ ବାସଭବନ ବାହାରେ ହୋଇଥିବା ପ୍ରଦର୍ଶନ ପରେ ସୁରକ୍ଷା ଏଜେନ୍ସୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ଭାରତୀୟ ଯୁବ କଂଗ୍ରେସ ସେପ୍ଚେମ୍ବର ୨୭ ତାରିଖ ଦିନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ପ୍ରଦର୍ଶନ କରିଥିଲା, ଯାହାକୁ ପୋଲିସ ଓ ସୁରକ୍ଷା କର୍ମୀ ତୁରନ୍ତ ଅଟକାଇ ଦେଇଥିଲେ। ଏହା ପରଠାରୁ ସୁରକ୍ଷା ଏଜେନ୍ସୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅଧିକାରୀଙ୍କ ଅନୁସାରେ ନୂଆ ମୋତିବାଗ କଲୋନୀସ୍ଥିତ ଜ୍ଞାନେଶ କୁମାରଙ୍କ ଘର ଭିତର ଓ ବାହାରେ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି। କଲୋନୀ ବାହାରେ ଏକ ବସ୍ ରେ ଅର୍ଦ୍ଧ ସୈନିକ ବଳଙ୍କୁ ମୁତୟନ କରାଯାଇଛି ଓ ଯାତାୟାତ କରୁଥିବା ପ୍ରତ୍ୟେକ ଲୋକଙ୍କ ଉପରେ କଡ଼ା ନଜର ରଖାଯାଉଛି।

ଏହାଛଡା ଦିଲ୍ଲୀ ଅଶୋକ ରୋଡସ୍ଥିତ ନିର୍ବାଚନ ଆୟୋଗଙ୍କ ମୁଖ୍ୟାଳୟ ଭିତରେ ଓ ବାହାରେ ସୁରକ୍ଷା ବଢାଇ ଦିଆଯାଇଛି। ଏହି ସୁରକ୍ଷାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) ବ୍ୟତୀତ ରାପିଡ ଆକ୍ସନ ଫୋର୍ସ (ଆରଏଏଫ), ସିଆରପିଏଫଓ ଦିଲ୍ଲୀ ପୋଲିସ ଜବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ଓଏହି ସୁରକ୍ଷାକୁ ନିୟମିତ ଅପଡେଟ୍ ମଧ୍ୟ କରାଯାଉଛି।