ନୂଆଦିଲ୍ଲୀ: ଭାରତରେ ଆପଲ ଓ ଗୁଗଲର ହାର୍ଡୱେର୍ ମାନୁଫାକ୍ଚରିଂ ଆହୁରି ବଢ଼ିବାକୁ ଯାଉଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆପଲ ଭାରତରେ ଆଇଫୋନ ବ୍ୟତୀତ ଅନ୍ୟ ଉତ୍ପାଦର ମାନୁଫାକ୍ଚରିଂ ମଧ୍ୟ ବଢ଼ାଇବା ନେଇ ସରକାର ସହ ଆଲୋଚନା କରୁଛି। ଅନ୍ୟପଟେ ଗୁଗଲ ଚୀନ୍ରୁ ନିଜର ରପ୍ତାନିମୁଖୀ ଉତ୍ପାଦନର ବଡ଼ ଅଂଶ ଭାରତକୁ ସ୍ଥାନାନ୍ତର କରିପାରେ।

ଗୁଗଲ ଚୀନରୁ ମେନୁଫେକ୍ଚରିଂ ୟୁନିଟ୍ ଭାରତକୁ ସ୍ଥାନାନ୍ତର କରିବା ନେଇ ଏକ ରିପୋର୍ଟ ଉପରେ ଶୁକ୍ରବାର ମନିକଣ୍ଟ୍ରୋଲ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ପ୍ରଶ୍ନ କରିଥିଲା। ଏହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ବିଦେଶୀ ବଜାର ପାଇଁ ଗୁଗଲ ଯେଉଁ ଡିଭାଇସ୍ ଉତ୍ପାଦନ କରୁଛି, ତାହାର ବଡ଼ ଅଂଶ ଭାରତକୁ ଆସିବ ବୋଲି ସରକାର ଆଶା କରୁଛି। ତେବେ ଗୁଗଲ ଏନେଇ ଏପର୍ଯ୍ୟନ୍ତ ସାର୍ବଜନୀନ ଭାବେ କୌଣସି ସୂଚନା ଦେଇ ନାହିଁ।

୨୦୨୭ରୁ ଚୀନ୍ରେ ପିକ୍ସେଲ୍ ଉତ୍ପାଦନ ବନ୍ଦ ହେବା ନେଇ ଚର୍ଚ୍ଚା

ଗୁଗଲ ୨୦୨୩ ଅକ୍ଟୋବରରେ ଭାରତରେ ପିକ୍ସେଲ ସ୍ମାର୍ଟଫୋନ୍ ଉତ୍ପାଦନ ଆରମ୍ଭ କରିବା ଘୋଷଣା କରିଥିଲା। ପ୍ରଥମେ ପିକ୍ସେଲ୍ ୮ ମଡେଲ୍ରୁ ଏହି ଉତ୍ପାଦନ ଆରମ୍ଭ ହୋଇଥିଲା। ଭାରତକୁ ଏକ ପ୍ରମୁଖ ବଜାର ଭାବେ ଦେଖିବା ସହ ଦେଶରେ ଉତ୍ପାଦନ ବଢ଼ାଇବା ଦିଗରେ ଏହା ପ୍ରାରମ୍ଭିକ ପଦକ୍ଷେପ ବୋଲି ଗୁଗଲ କହିଥିଲା।

ଡିକ୍ସନ ଟେକ୍ନୋଲୋଜୀ (Dixon Technologies) ସମେତ ବିଭିନ୍ନ ମାନୁଫାକ୍ଚରିଂ ପାର୍ଟନର୍ ଭାରତରେ ଗୁଗଲ ପିକ୍ସେଲ ଫୋନ୍ ଆସେମ୍ବଲ୍ କରୁଛନ୍ତି। ୨୦୨୫ରେ ଗୁଗଲ ଭାରତରେ ପିକ୍ସେଲ ଉତ୍ପାଦନ ବଢ଼ାଇବା ସହ ଦେଶରେ ତିଆରି ଡିଭାଇସ୍କୁ ରପ୍ତାନି ପାଇଁ ପ୍ରସ୍ତୁତ କରୁଥିଲା। ଏହି ସପ୍ତାହରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୭ରୁ ଗୁଗଲ ଚୀନ୍ରେ ପିକ୍ସେଲ ଫୋନ୍, ସ୍ମାର୍ଟୱାଚ୍ ଓ ୱାୟରଲେସ୍ ଇୟରବଡ୍ ଉତ୍ପାଦନ ବନ୍ଦ କରି ଭାରତ ଓ ଭିଏତନାମ୍କୁ ଉତ୍ପାଦନ ସ୍ଥାନାନ୍ତର କରିପାରେ।

iPhone ପରେ Appleର ଅନ୍ୟ ଉତ୍ପାଦ ଉପରେ ନଜର

ଭାରତରେ ଆପଲର ମାନୁଫାକ୍ଚରିଂ ନେଟୱର୍କ ଗୁଗଲ ତୁଳନାରେ ଅଧିକ ବଡ଼। ଆପଲ ୨୦୧୭ରୁ ଭାରତରେ ଆଇଫୋନ ଆସେମ୍ବଲି ଆରମ୍ଭ କରିଥିଲା। ଏବେ ଫକ୍ସକନ ଓ ଟାଟା ଗ୍ରୁପର ଭଳି କମ୍ପାନୀର ସହଯୋଗରେ ଦେଶରେ ଆଇଫୋନ ଉତ୍ପାଦନ ବ୍ୟାପକ ଭାବେ ହେଉଛି। କାଉଣ୍ଟର ପଏଣ୍ଟର ଆକଳନ ଅନୁସାରେ, ୨୦୨୬ରେ ବିଶ୍ୱର ମୋଟ ଆଇଫୋନ ଉତ୍ପାଦନର ପ୍ରାୟ ୨୬ ପ୍ରତିଶତ ଭାରତରେ ତିଆରି ହୋଇପାରେ। ଭାରତ ଏବେ ଆପଲ ପାଇଁ ଏକ ବଡ଼ ଆଇଫୋନ ରପ୍ତାନି କେନ୍ଦ୍ର ଭାବେ ମଧ୍ୟ ଉଭା ହୋଇଛି। ଏବେ ସରକାରଙ୍କ ଲକ୍ଷ୍ୟ ହେଉଛି ଆପଲ ଏବେ କେବଳ ଆଇଫୋନ ଉତ୍ପାଦନରେ ସୀମିତ ନରହି ଅନ୍ୟ ହାର୍ଡୱେର୍ ଉତ୍ପାଦକୁ ମଧ୍ୟ ଭାରତରେ ଉତ୍ପାଦନ କରୁ। ଆପଲର ଭାରତୀୟ ଯୋଗାଣକାରୀମାନେ ଫାଇନାଲ୍ ଆସେମ୍ବଲି ବ୍ୟତୀତ ବିଭିନ୍ନ କମ୍ପୋନେଣ୍ଟ ମଧ୍ୟ ଦେଶରେ ଉତ୍ପାଦନ କରୁଛନ୍ତି।

ନୂଆ ମୋବାଇଲ ମେନୁଫେକ୍ଚରିଂରେ କମ୍ପୋନେଣ୍ଟ ଉପରେ ଜୋର

ସେପଟେ ଘରୋଇ ବ୍ରାଣ୍ଡଗୁଡିକୁ ମଜଭୁତ କରିବାକୁ ଭାରତ ଜୋରସୋରରେ ଉଦ୍ୟମ ଚଳାଇଛି। ସରକାର ନୂଆ ମୋବାଇଲ ଫୋନ ମେନୁଫେକ୍ଚରିଂ ସ୍କିମ୍ ଲାଗୁ କରିଛନ୍ତି। ପୂର୍ବରୁ ଚାଲିଥିବା ବଡ଼ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ ପାଇଁ ପିଏଲଆଇ ଯୋଜନା ୩୧ ମାର୍ଚ୍ଚ ୨୦୨୬ରେ ଶେଷ ହୋଇଥିଲା। ଜୁଲାଇରେ କ୍ୟାବିନେଟ୍ ଅନୁମୋଦନ କରିଥିବା ନୂଆ ଯୋଜନାରେ ୬୨,୫୦୦ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା ରହିଛି। ଏହି ଯୋଜନା FY27ରୁ FY31 ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ମୋବାଇଲ୍ ଫୋନ୍ ବିକ୍ରି ଉପରେ ୨.୨୫ ପ୍ରତିଶତରୁ ୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯିବ। ଦେଶରେ ତିଆରି ନିର୍ଦ୍ଦିଷ୍ଟ କମ୍ପୋନେଣ୍ଟ ଓ ସବ୍-ଆସେମ୍ବଲି କିଣିଲେ ଅତିରିକ୍ତ ୧.୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିପାରିବ।

ଦେଶରେ ତିଆରି ହେଉଛି ୯୯.୨% ମୋବାଇଲ୍

ସରକାରୀ ତଥ୍ୟ ଅନୁସାରେ, ଭାରତରେ ବ୍ୟବହୃତ ମୋବାଇଲ୍ ଫୋନ୍ର ପ୍ରାୟ ୯୯.୨ ପ୍ରତିଶତ ଦେଶରେ ହିଁ ଉତ୍ପାଦନ ହେଉଛି। ଆର୍ଥିକ ବର୍ଷ ୨୦୨୪ରେ ମୋବାଇଲ୍ ମାନୁଫାକ୍ଚରିଂରେ ଘରୋଇ ଉପକରଣର ବ୍ୟବାହର ୨୩ ପ୍ରତିଶତରେ ପହଞ୍ଚିଥିଲା। ଆର୍ଥିକ ବର୍ଷ ୨୦୨୬ରେ ସ୍ମାର୍ଟଫୋନ୍ ଭାରତର ସବୁଠାରୁ ବଡ଼ ଏକକ ରପ୍ତାନି ଉତ୍ପାଦ ବର୍ଗ ହୋଇଛି। ଏହା ସହିତ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ଓ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ପାଇଁ ମଧ୍ୟ ସରକାର ପ୍ରୋତ୍ସାହନ ବଢ଼ାଇଛନ୍ତି। ଏହା ଫଳରେ ଭାରତ କେବଳ ମୋବାଇଲ୍ ଆସେମ୍ବଲି କେନ୍ଦ୍ର ନୁହେଁ, ବରଂ କମ୍ପୋନେଣ୍ଟଠାରୁ ଆରମ୍ଭ କରି ଫାଇନାଲ୍ ପ୍ରଡକ୍ଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ସପ୍ଲାଇ ଚେନ୍ର ଏକ ପ୍ରମୁଖ ହବ୍ ହେବା ଦିଗରେ ଆଗକୁ ବଢ଼ୁଛି।