ନୂଆଦିଲ୍ଲୀ: ଚାକିରି କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ସହ ସର୍ବନିମ୍ନ ବୟସର ଏକ ଭୂମିକା ରହିଛି । କିନ୍ତୁ ଥରେ ଚିନ୍ତା କଲେ, ଜଣେ ୧୮ ବର୍ଷର ଯୁବକ ପ୍ରଫେସର ହୋଇଛନ୍ତି । ବିଶ୍ବାସ କରିବାକୁ କଷ୍ଟ ହେଲେ ବି, କଥାଟା ସତ । ଏହା ସହ ସେ ଦୀର୍ଘ ୩ ଶତାବ୍ଦୀର ତଳର ଏକ ରେକର୍ଡ ଭାଙ୍ଗି ଗିନିଜ ଓ୍ବାର୍ଲଡ୍‌ ରେକର୍ଡ ସ୍ଥାପନ କରିଛନ୍ତି । ମାତ୍ର ୧୮ ବର୍ଷ ବୟସରେ କଲେଜ ପ୍ରଫେସର ହୋଇ ଇତିହାସ ରଚିଛନ୍ତି ଆମେରିକାର ଫ୍ଲୋରିଡାରେ ରହୁଥିବା ଇଞ୍ଜିନିୟରିଂ ଶିକ୍ଷକ ନାଥନ୍‌ ଥୋମାସ୍‌ । ଗିନିଜ୍‌ ୱାର୍ଲ୍ଡ ରେକର୍ଡସ୍‌ ଅନୁଯାୟୀ, ସେ ବିଶ୍ୱର ସର୍ବକନିଷ୍ଠ ପୁରୁଷ ପ୍ରଫେସର ହେବାର ଗୌରବ ହାସଲ କରିଛନ୍ତି।

ନାଥନ୍‌ ୧୮ ବର୍ଷ ୩୪୬ ଦିନ ବୟସରେ 'ମିୟାମି ଦାଡେ କଲେଜ' ରେ ଇଞ୍ଜିନିୟରିଂ ପ୍ରଧ୍ୟାପକ ଭାବରେ ଯୋଗ ଦେଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ କଲିନ୍‌ ମ୍ୟାକ୍‌ଲୋରିନ୍‌ (Colin Maclaurin) ଙ୍କ ନାମରେ ଥିଲା, ଯିଏ ୧୯ ବର୍ଷ ବୟସରେ ପ୍ରଫେସର ହୋଇଥିଲେ। ଗତ ୩୦୬ ବର୍ଷ ଧରି ଏହି ରେକର୍ଡ କେହି ଭାଙ୍ଗିପାରି ନଥିଲେ। ନାଥନ୍‌ ବିଶ୍ୱର ସର୍ବକନିଷ୍ଠ ମହିଳା ପ୍ରଫେସର ଆଲିଆ ସବୁର (Alia Sabur - ୧୮ ବର୍ଷ ୩୬୨ ଦିନ) ଙ୍କ ଠାରୁ ମଧ୍ୟ ୧୬ ଦିନ ସାନ।

ନାଥନ ୧୦ ବର୍ଷ ବୟରେ ମିୟାମି ଦାଡେ କଲେଜରେ ଡୁଆଲ୍-ଏନରୋଲମେଣ୍ଟ (ସ୍କୁଲ୍‌ ସହ କଲେଜ ପାଠ) ଆରମ୍ଭ କରିଥିଲେ । ୧୪ ବର୍ଷରେ    ଫ୍ଲୋରିଡା ଇଣ୍ଟରନ୍ୟାସନାଲ୍‌ ୟୁନିଭରସିଟିକୁ ସ୍ଥାନାନ୍ତର ହୋଇଥିଲେ । ୧୮ ବର୍ଷ ବୟସରେ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସମ୍ମାନସହ ବି.ଟେକ୍ ଏବଂ ଏମ୍‌.ଟେକ୍ ଡିଗ୍ରି ହାସଲ କରିଥିଲେ । ଏବେ ୧୮ ବର୍ଷ (୩୪୬ ଦିନ)ରେ    ମିୟାମି ଦାଡେ କଲେଜରେ ପ୍ରଫେସର ଭାବରେ ଯୋଗଦାନ କରିଛନ୍ତି ନାଥନ ଥୋମାସ ।

ନାଥନ୍‌  କଲେଜରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଓ ଜଟିଳ ଇଞ୍ଜିନିୟରିଂ ସିଦ୍ଧାନ୍ତ ପଢ଼ାଉଛନ୍ତି। ବିଶେଷ କଥା ହେଉଛି, ତାଙ୍କ କ୍ଲାସର ଅଧିକାଂଶ ଛାତ୍ରଛାତ୍ରୀ ତାଙ୍କ ବୟସର । ଥରେ ଶ୍ରେଣୀଗୃହକୁ ଆସିବା ପରେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥାଏ— ଶିଖିବା। ସେଠାରେ ବୟସ କୌଣସି ପ୍ରତିବନ୍ଧକ ସାଜିନଥାଏ। ଯଦି କେହି ପରିଶ୍ରମ କରିବାକୁ ପ୍ରସ୍ତୁତ, ତେବେ ସେତିକି ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜଣେ ଛାତ୍ର ଯେତେବେଳେ କୌଣସି ଜଟିଳ ବିଷୟକୁ ସହଜରେ ବୁଝିପାରେ, ସେହି ମୁହୂର୍ତ୍ତ ମୋତେ ସବୁଠୁ ଅଧିକ ଆନନ୍ଦ ଦେଇଥାଏ ବୋଲି କହିଛନ୍ତି ନାଥନ। ଏକ ଇଞ୍ଜିନିୟରିଂ ପରିବାରରୁ ଆସିଥିବା ନାଥନ୍‌ କହିଛନ୍ତି ଯେ, ତାଙ୍କ ମାଆ ଜଟିଳ ବିଷୟଗୁଡ଼ିକୁ ସହଜ କରି ବୁଝାଇବାରେ ସିଦ୍ଧହସ୍ତ ଥିଲେ, ଯାହା ତାଙ୍କୁ ଜଣେ ଭଲ ଶିକ୍ଷକ ହେବାରେ ବହୁତ ସାହାଯ୍ୟ କରିଛି।