ଭୁବନେଶ୍ୱର: ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି 'ଇଣ୍ଡିଆ' ମେଣ୍ଟ। ଓଡ଼ିଶା ବନ୍ଦ ଡାକରା କେଉଁ ଦିନ ଓ କିଭଳି ଭାବେ କରାଯିବ, ସେ ନେଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ 'ଇଣ୍ଡିଆ' ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ବଡ଼ ଧରଣର ବିକ୍ଷୋଭ ଓ ଜନ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

'ଇଣ୍ଡିଆ' ମେଣ୍ଟର ଆନ୍ଦୋଳନ ସୂଚୀ

ଅଗଷ୍ଟ ୨୩ରେ ରାଜ୍ୟର ସମସ୍ତ ଜିଲ୍ଲାରେ 'ଇଣ୍ଡିଆ' ବ୍ଲକ୍ର ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଅଗଷ୍ଟ ୨୪ରୁ ଖଣିଜ ଉତ୍ତୋଳନ ହେଉଥିବା ଜିଲ୍ଲାଗୁଡ଼ିକରେ ବ୍ୟାପକ ଜନ ଜାଗରଣ ଓ ଜନ ଆନ୍ଦୋଳନ ଆରମ୍ଭ କରାଯିବ। ଅଗଷ୍ଟ ୨୫ରେ ରାଜ୍ୟବ୍ୟାପୀ 'ପ୍ରତିରୋଧ ଦିବସ' ପାଳନ ହେବ। ଏଥିସହ ରାଜ୍ୟର ୨୦ଟି ସଂସଦୀୟ କ୍ଷେତ୍ର ଏବଂ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମେଣ୍ଟ ପକ୍ଷରୁ ପ୍ରତିବାଦ ସଭା କରାଯିବ।

Also Read: ବନ୍ୟା ପରିଚାଳନାକୁ ନେଇ ରାଜନୀତି ଜୋର, ମୁହାଁମୁହିଁ ସୁଜାତା-ମନମୋହନ

ସେପ୍ଟେମ୍ବର ୯ରେ ଭୁବନେଶ୍ୱର PMGଠାରେ 'ଇଣ୍ଡିଆ' ବ୍ଲକର ବିଶାଳ କନଭେନସନ୍ ଅନୁଷ୍ଠିତ ହେବ। ଏହି କନଭେନସନରୁ ହିଁ ଓଡ଼ିଶା ବନ୍ଦର ନିର୍ଦ୍ଦିଷ୍ଟ ତାରିଖ ଓ ରୂପରେଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ), ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଆରଜେଡି ଏବଂ ଏନସିପି ଭଳି ସହଯୋଗୀ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଭବିଷ୍ୟତ ଆନ୍ଦୋଳନର ପନ୍ଥା ନିର୍ଦ୍ଧାରଣ କରିଥିଲେ।