ପୁଣେ : ସାପ କାମୁଡ଼ିବା ପରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ଅନେକ ସମୟରେ ରୋଗୀଙ୍କ ଜୀବନ ବିପଦରେ ପଡ଼ିଥାଏ। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ସାପକାମୁଡା ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ସର୍ପଦଂଶନକୁ ‘Notifiable Disease’ ବା ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିଛନ୍ତି। ଏହା ଫଳରେ ଏଣିକି ସାପ କାମୁଡ଼ିବାର ପ୍ରତ୍ୟେକ ସନ୍ଦିଗ୍ଧ, ସମ୍ଭାବ୍ୟ ଓ ନିଶ୍ଚିତ ମାମଲା ସହ ମୃତ୍ୟୁ ଘଟଣାର ରିପୋର୍ଟ କରିବା ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ପାଇଁ ବାଧ୍ୟତାମୂଳକ ହେବ।

ସରକାରଙ୍କ ନିଷ୍ପତ୍ତି ଅନୁଯାଇ, ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ, ମେଡିକାଲ କଲେଜ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ସାପ କାମୁଡ଼ିବାର ଘଟଣା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ଜିଲ୍ଲା ସିଭିଲ ସର୍ଜନଙ୍କୁ ସୂଚନା ଦେବାକୁ ବାଧ୍ୟତାମୂଳକ । ଗୁରୁତର ମାମଲା ଓ ସର୍ପଦଂଶନଜନିତ ମୃତ୍ୟୁର ରିପୋର୍ଟ ତୁରନ୍ତ ଦେବାକୁ ହେବ । କାରଣ ସାପ କାମୁଡ଼ାର ସଠିକ୍ ତଥ୍ୟ ମିଳିଲେ ଏ ନେଇ ଅଧିକ ପ୍ରଭାବଶାଳୀ ଚିକିତ୍ସା ବ୍ୟବସ୍ଥା କରାଯାଇପାରିବ । କେଉଁ ଅଞ୍ଚଳରେ ଅଧିକ ସାପ କାମୁଡ଼ିବା ଘଟଣା ଘଟୁଛି, କେଉଁଠି ଅଧିକ ଆଣ୍ଟି-ସ୍ନେକ ଭେନମ ଆବଶ୍ୟକ ଏବଂ କେଉଁ ହସ୍ପିଟାଲରେ ଜରୁରୀ ଚିକିତ୍ସା ବ୍ୟବସ୍ଥା ବଢ଼ାଇବା ଦରକାର ଏହା ଚିହ୍ନଟ କରିବା ସହଜ ହେବ।

ସୂଚନା ଥାଉ କି ଅଗଷ୍ଟ ୯ରେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଏକ ଆଶ୍ରମ ସ୍କୁଲରେ ବିଷାକ୍ତ ସାପ କାମୁଡ଼ିବାରେ ୬ ଜଣ ଛାତ୍ରୀ ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସର୍ପଦଂଶନକୁ ନେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ୱ ବଢ଼ିଛି। ସାପ କାମୁଡ଼ିଲେ ଭୟଭୀତ ନହୋଇ ରୋଗୀଙ୍କୁ ଶାନ୍ତ ରଖିବା ସହ କାମୁଡ଼ିଥିବା ସ୍ଥାନକୁ ଯଥାସମ୍ଭବ କପଡା ବା ଦଉଡ଼ିରେ ଜୋରେ ଚାପି ରଖି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେବା ଉଚିତ । କ୍ଷତସ୍ଥାନ କାଟିବା, ବିଷ କାଢ଼ିବା , ଦୌଡ଼ି ବାନ୍ଧିବା କିମ୍ବା ଘରୋଇ ଉପଚାରରେ ସମୟ ନଷ୍ଟ କରିବା ଉଚିତ ନୁହେଁ। ସାପ କାମୁଡ଼ାକୁ ଏକ ମେଡିକାଲ ଏମର୍ଜେନ୍ସି ଭାବେ ନେଇ ତୁରନ୍ତ ଚିକିତ୍ସା ନେବାକୁ ପରାମର୍ଶ ଦିଆଯାଇଛି । ମହାରାଷ୍ଟ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସାପକାମୁଡ଼ାର ସଠିକ୍ ତଥ୍ୟ ସଂଗ୍ରହ, ଚିକିତ୍ସା ବ୍ୟବସ୍ଥାର ଉନ୍ନତି ଏବଂ ଆଣ୍ଟି-ସ୍ନେକ ଭେନମର ଉପଲବ୍ଧତାକୁ ଅଧିକ ସୁଦୃଢ଼ କରାଯିବ ।