ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ରାଜ୍ୟର ସମସ୍ତ ୨୩୪ ଜଣ ବିଧାୟକଙ୍କୁ ମାଗଣା ସରକାରୀ କାର୍ ଯୋଗାଇଦେବାକୁ ଘୋଷଣା କରିବା ପରେ ବିରୋଧୀ ଡିଏମକେ (DMK) ଏବଂ ଶାସକ ଦଳ ମଧ୍ୟରେ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ବୃଦ୍ଧି ପାଉଥିବା ଋଣ ଭାରକୁ ଦର୍ଶାଇ ଡିଏମକେ ବିଧାନସଭାରେ ଏହି ମାଗଣା କାର୍ ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାଖ୍ୟାନ କରିଛି। ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ ଘୋଷଣା କରିଛନ୍ତି ଯେ, ଡିଏମକେର ସମସ୍ତ ୫୯ ଜଣ ବିଧାୟକ ଏହି ସରକାରୀ ଗାଡ଼ି ଗ୍ରହଣ କରିବେ ନାହିଁ।

ଟିଭିକେ (TVK) ସରକାରଙ୍କ ସ୍ଥିରତା ଉପରେ ପ୍ରଶ୍ନ ଉଠାଇ ଉଦୟନିଧି ଷ୍ଟାଲିନ୍ କହିଛନ୍ତି, ‘କ୍ଷମତାସୀନ ହେବା ଦିନଠାରୁ ହିଁ ସରକାର ରାଜ୍ୟ ଋଣରେ ବୁଡ଼ି ରହିଛି ବୋଲି ଦାବି କରିଆସୁଛନ୍ତି। ତେଣୁ ଡିଏମକେ ବିଧାୟକମାନେ ଏହି ଅଫର୍ ନନେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ପ୍ରଥମେ ବିଧାୟକମାନଙ୍କ ନିର୍ବାଚନୀ ଆଫିଡେଭିଟ୍ ଯାଞ୍ଚ କରନ୍ତୁ—ସେମାନଙ୍କ ପାଖରେ ପୂର୍ବରୁ କାର୍ ଅଛି କି ନାହିଁ ଏବଂ ସେମାନଙ୍କର ଆର୍ଥିକ ସ୍ଥିତି କ’ଣ, ତାହା ଦେଖିବା ପରେ ହିଁ ମାଗଣା ଗାଡ଼ି ଦିଆଯାଉ।’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିଭିକେ ପୂର୍ବରୁ ମାଗଣା ଯୋଜନା (Freebies) ର ବିରୋଧ କରୁଥିଲା, ତେଣୁ ସରକାରୀ କୋଷାଗାର ଉପରୁ ଋଣ ଭାର କମାଇବା ପାଇଁ ଡିଏମକେ ଏହି ନିଷ୍ପତ୍ତି ନେଇଛି। ଏହାର କଡ଼ା ଜବାବ ଦେଇ ମନ୍ତ୍ରୀ ଆଧବ ଅର୍ଜୁନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଜୟ ସମସ୍ତ ବିଧାୟକଙ୍କୁ ସମାନ ନଜରରେ ଦେଖି ଏହି ଘୋଷଣା କରିଛନ୍ତି। ବିସିକେ (VCK) ଏବଂ କମ୍ୟୁନିଷ୍ଟ ପାର୍ଟି ଭଳି ଛୋଟ ଦଳଗୁଡ଼ିକର ଅନେକ ବିଧାୟକଙ୍କ ଆର୍ଥିକ ସ୍ଥିତି ଭଲ ନୁହେଁ। ସେମାନଙ୍କ ପାଇଁ ଗାଡ଼ି କୌଣସି ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ, ବରଂ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ମୌଳିକ ଆବଶ୍ୟକତା।  

ମନ୍ତ୍ରୀ ଅର୍ଜୁନ ଆହୁରି କହିଛନ୍ତି, ‘ଆମର ଅନେକ ବିଧାୟକଙ୍କ ପାଖରେ ନିଜର ଘର କିମ୍ବା କାର୍ ନାହିଁ। ସରକାରୀ ନୀତି ଅନୁସାରେ ଯେଉଁମାନଙ୍କ ପାଖରେ ପୂର୍ବରୁ କାର୍ ଅଛି, ସେମାନେ ଏହି ଗାଡ଼ି ପାଇଁ ଆବେଦନ କରିବେ ନାହିଁ।’ଏହା ସହିତ ସେ ଉଦୟନିଧି ଷ୍ଟାଲିନଙ୍କୁ ବ୍ୟକ୍ତିଗତ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି, ‘ନିଜର ତିନୋଟି ବଙ୍ଗଳା ଥାଇ ମଧ୍ୟ ବିରୋଧୀ ଦଳ ନେତା କାହିଁକି ସରକାରୀ ବାସଭବନରେ ରହୁଛନ୍ତି ?’

ସରକାରଙ୍କ ଘୋଷଣା
ମୁଖ୍ୟମନ୍ତ୍ରୀ ବିଜୟ ନିକଟରେ ଘୋଷଣା କରିଥିଲେ ଯେ, ରାଜ୍ୟର ସମସ୍ତ ୨୩୪ ଜଣ ବିଧାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀର କାର୍ଯ୍ୟ ସୁଚାରୁରୂପେ କରିବା ପାଇଁ ସରକାରୀ ଗାଡ଼ି ଦିଆଯିବ। ଏହାସହ ଗାଡ଼ିର ଡ୍ରାଇଭର, ଇନ୍ଧନ (Fuel) ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଇଁ ମାସିକ ୭୫,୦୦୦ ଟଙ୍କାର ଆଲାଉନ୍ସ ମଧ୍ୟ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।