ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧ ସମୟରେ ତୈଳ ସଂକଟ ଦେଖା ଦେଇଥିବାରୁ ପୋଟ୍ରୋଲ-ଡିଜେଲ ବ୍ୟବହାର ନେଇ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ନହେବା ପାଇଁ ଡିଜେଲର ଶିଳ୍ପ ବ୍ୟବହାର ନେଇ କଟକଣା ଲଗାଯାଇଛି।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଏବେ ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥାନମାନ ରିଟେଲ ପେଟ୍ରୋଲ ପମ୍ପରୁ ବହୁ ପରିମାଣରେ ଇନ୍ଧନ କିଣି ପାରିବେ ନାହିଁ। ଏହି ଉପଭୋକ୍ତାମାନଙ୍କୁ ଏବେ କେବଳ ଅଧିକୃତ ବଲ୍କ ସେଲ୍ ପଏଣ୍ଟରୁ ହିଁ ଇନ୍ଧନ ସଂଗ୍ରହ କରିବାକୁ ପଡ଼ିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

କାହିଁକି ନିଆଗଲା ଏହି ପଦକ୍ଷେପ?

ପଶ୍ଚିମ ଏସିଆରେ ଚାଲିଥିବା ଦୀର୍ଘକାଳୀନ ସଂଘର୍ଷ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଯୋଗାଣ ବ୍ୟାହତ ହୋଇଛି ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି। ଏହାର ପ୍ରଭାବ ସ୍ୱରୂପ, ବଲ୍କ ଇନ୍ଧନର ମୂଲ୍ୟରେ ବହୁତ ବୃଦ୍ଧି ଦେଖିବାକୁ ମିଳିଛି। ଉଦାହରଣ ସ୍ୱରୂପ, ଦିଲ୍ଲୀରେ ରିଟେଲ ଡିଜେଲ ମୂଲ୍ୟ ପ୍ରାୟ ୯୫ ଟଙ୍କା ଥିବାବେଳେ ବଲ୍କ ଡିଜେଲ ମୂଲ୍ୟ ପ୍ରାୟ ୧୩୪ ଟଙ୍କା ରହିଛି। ଏହି ମୂଲ୍ୟ ପାର୍ଥକ୍ୟ କାରଣରୁ ଶିଳ୍ପ କାରଖାନା, ନିର୍ମାଣ ସଂସ୍ଥା ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଶସ୍ତାରେ ଇନ୍ଧନ ପାଇବା ପାଇଁ ରିଟେଲ ପମ୍ପମୁହାଁ ହୋଇଥିଲେ। ଏହା ଫଳରେ ସାଧାରଣ ଗ୍ରାହକଙ୍କ ପାଇଁ ଇନ୍ଧନ ସଙ୍କଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଅବାଧ ବ୍ୟବହାରକୁ ରୋକିବା ପାଇଁ ସରକାର 'ମୋଟର ସ୍ପିରିଟ୍ ଆଣ୍ଡ ହାଇ ସ୍ପିଡ୍ ଡିଜେଲ (ରିଟେଲ ଆଉଟଲେଟ୍ ମାଧ୍ୟମରେ ଯୋଗାଣର ଅସ୍ଥାୟୀ ନିୟନ୍ତ୍ରଣ) ଅର୍ଡର, ୨୦୨୬' ଲାଗୁ କରିଛନ୍ତି।

Also Read- ଜୁଲାଇରୁ ମହଙ୍ଗା ହେବ ଟାଟା କାର୍, ସବୁ ମଡେଲ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

କାହା ଉପରେ ପଡ଼ିବ ପ୍ରଭାବ?

ଏହି କଟକଣା ମୁଖ୍ୟତଃ ନିମ୍ନଲିଖିତ ବର୍ଗର ଉପଭୋକ୍ତାଙ୍କୁ ପ୍ରଭାବିତ କରିବ:

  • ଶିଳ୍ପ ୟୁନିଟ୍ ଏବଂ କାରଖାନା।
  • ନିର୍ମାଣ କମ୍ପାନୀ।
  • ବିଭିନ୍ସ ବାଣିଜ୍ୟିକ ପ୍ରତିଷ୍ଠାନ।
  • ବଡ଼ ଅନୁଷ୍ଠାନ ଯେଉଁମାନେ ଯନ୍ତ୍ରପାତି ଓ ଜେନେରେଟର ପାଇଁ ବହୁ ପରିମାଣରେ ଇନ୍ଧନ ବ୍ୟବହାର କରନ୍ତି।

ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସେମାନେ ପୂର୍ବପରି ନିଜର ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ପାଇଁ ପେଟ୍ରୋଲ ଓ ଡିଜେଲ କିଣିପାରିବେ। ତେବେ, କଣ୍ଟେନରରେ ଡିଜେଲ ନେବା କ୍ଷେତ୍ରରେ କଟକଣା ଲଗାଯାଇଛି। ଜଣେ ଗ୍ରାହକ କିମ୍ବା ଗାଡ଼ି ପିଛା ଦିନକୁ ସର୍ବାଧିକ ୨୦୦ ଲିଟର ଡିଜେଲ ନିଆଯାଇପାରିବ ଏବଂ ଏହାକୁ ପୁନର୍ବାର ବିକ୍ରି କରାଯାଇପାରିବ ନାହିଁ।

କେତେଦିନ ପାଇଁ ଲାଗୁ ହେବ?

ସରକାରଙ୍କ ସୂଚନା ଅନୁଯାୟୀ, ଏହି କଟକଣା ପ୍ରାରମ୍ଭିକ ଭାବେ ୯୦ ଦିନ ପାଇଁ ବଳବତ୍ତର ରହିବ। ପରିସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଏହି ସମୟସୀମା ବୃଦ୍ଧି କରାଯାଇପାରିବ କିମ୍ବା କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ କୋହଳ କରାଯାଇପାରିବ।