ନୂଆଦିଲ୍ଲୀ,୨୩ /୦୩: କମୁଛି ସୁନା । ରୁପା ଦାମ୍ ବି ଖସୁଛି । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସୁନା ଏବଂ ରୁପା ଉପରେ ପଡିଛି । ଫଳରେ ଏହି ଦୁଇ ଦାମୀ ଧାତୁର ଦାମ୍ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି ।

ଗତ ୫୦ ଦିନ ମଧ୍ୟରେ ସୁନା ଏବଂ ରୁପା ଦାମ୍ ଖୁବ୍ କମିଛି । ଜାନୁଆରୀ ୨୯ ତାରିଖରେ ରୁପା ଦାମ୍ ୪ ଲକ୍ଷ ୨୫ ହଜାର ଟପିଥିଲା । ଯାହା ଏବେ ପ୍ରାୟ ୨ ଲକ୍ଷ ଟଙ୍କାକୁ ହ୍ରାସ ପାଇଲାଣି । ଅର୍ଥାତ ୨ ମାସ ମଧ୍ୟରେ ରୁପା କେଜି ପିଛା ୨ ଲକ୍ଷ ୨୫ ହଜାର ଟଙ୍କା ଶସ୍ତା ହୋଇଛି । ସୋମବାର ରୁପା କେଜି ପିଛା ୨ ଲକ୍ଷ ତଳକୁ ଖସିଛି । ସେହିପରି ସୁନା ମଧ୍ୟ ୧୦ପ୍ରତିଶତ ହ୍ରାସ ପାଇଛି ।

​​​​​​​Also Read :- ଭୁଶୁଡିଲା ସେୟାର ବଜାର, ୭୩ ହଜାର ତଳକୁ ଖସିଲା ସେନସେକ୍ସ

କାରବାରର ପ୍ରଥମ ଦିନରେ ରୁପା କେଜି ପିଛା ୨୬ହଜାର ଟଙ୍କା କମିଛି । ଫଳରେ ଦାମ୍ ହ୍ରାସ ପାଇ ଲକ୍ଷ ୯୯ ହଜାର ୬୪୩ ଟଙ୍କା ହୋଇଯାଇଛି । ସେହିପରି ସୁନା ମଧ୍ୟ ଶସ୍ତା ହୋଇଛି । ଏହି ସମୟରେ ନିବେଶକମାନେ ସୁନା ଉପରେ ଭରସା କରିପାରୁ ନାହାଁନ୍ତି । ସୋମବାର ଏମସିଏକ୍ସରେ ସୁନା ୧୦ପ୍ରତିଶତ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି ।

ଶୁକ୍ରବାର ଅପେକ୍ଷା ସୋମବାର ସୁନା ୧୦ଗ୍ରାମ୍ ପିଛା ୧୪ ହଜାର ଟଙ୍କା ଶସ୍ତା ହୋଇଛି । ଫଳରେ ଏହା ଲକ୍ଷେ ୩୦ହଜାର ତଳେ ଟ୍ରେଡ୍ କରୁଛି । ଆଗାମୀ ଦିନରେ ସୁନା ଆହୁରି ଶସ୍ତା ହେବ ବୋଲି ଆଶଙ୍କା କରାଯାଉଛି ।

ସୁନା ଏବଂ ରୁପା ଗତ କିଛିଦିନ ଧରି ନିଜର ଚମକ ହରାଉଛନ୍ତି। ସର୍ବପ୍ରଥମେ ଆମେରିକା ଫେଡେରାଲ ରିଜର୍ଭର ନିଷ୍ପତ୍ତି ପ୍ରଭାବ ଦର ଉପରେ ପଡିଥିଲା । ଏହାଛଡା ଯୁଦ୍ଧ ପାଇଁ ଏବେ ମଧ୍ୟପ୍ରାଚ୍ୟ ଅଶାନ୍ତ । ଅଶୋଦ୍ଧିତ ତୈଳ ଦର ବଢୁଛି । ଅନେକ ଦେଶରେ ଶକ୍ତି ସଙ୍କଟ ଦେଖଗଲାଣି । ଫଳରେ ସୁନା ରୁପା ସମେତ ଅନ୍ୟ ଦାମୀ ଧାତୁର ଦାମ୍ ମଧ୍ୟ କମିବାରେ ଲାଗିଛି ।