ମୁମ୍ବାଇ : ଇଣ୍ଟରନେଟ୍ ରେ ମୁମ୍ବାଇ ଟ୍ରାଫିକ ଜାମକୁ ନେଇ ବିତର୍କ କରୁଥିବା ଜନୈକା ମହିଳାଙ୍କ ଭିଡିଓ ଏବେ ଦେଶରେ ଭାଇରାଲ ହେଉଛି। ଘଟଣାର ଦିନକ ପରେ ଏବେ ବିଜେପି ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ଗିରିଶ ମହାଜନ ପଥଚାରୀଙ୍କୁ କ୍ଷମା ଯାଚନା କରିଛନ୍ତି। ସେ କହିଛନ୍ତି ଯେ ୱର୍ଲିରେ ତାଙ୍କ ପାର୍ଟି କାରଣରୁ ହୋଇଥିବା ଅସୁବିଧା ଲାଗି ସେ ବ୍ୟକ୍ତିଗତ ଭାବେ ବହୁତ ଦୁଃଖିତ। ହେଲେ ଘଟଣା ପାଇଁ ମହିଳା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ପ୍ରତି କରିଥିବା ଅରୁଚିକର ଓ ଅଶାଳୀନ ବ୍ୟବହାର କିନ୍ତୁ ଠିକ୍ ହୋଇ ନାହିଁ।

ଜାଣନ୍ତୁ କଣ କହିଲେ ଗିରିସ ମହାଜନ
ଗିରିଶ ମହାଜନ କହିଛନ୍ତି ଯେ ବିଜେପି ମହିଳା ସଂରକ୍ଷଣ ବିଧେୟକ ସମର୍ଥନରେ ଏକ ରାଲିର ଆୟୋଜନ କରିଥିଲା। ଏହି ରାଲି କାରଣରୁ ଯାତାୟାତ ପ୍ରଭାବିତ ହୋଇଥିଲା। ଜଣେ ମହିଳା ମୋ ପାଖକୁ ଆସିଲେ ଓ ରାଗିକରି ମୋତେ ଚାହିଁଲେ, ସ୍ପଷ୍ଟ ଜଣାପଡୁଥିଲା ଟ୍ରାଫିକ ଜାମ ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ମୁଁ ତାଙ୍କୁ ଶାନ୍ତ କରାଇବା ପାଇଁ ଭେଟିବାକୁ ଚାହିଁଥିଲି। ମୁଁ ତାଙ୍କୁ ଆଶ୍ୱାସନ ଦେଇଥିଲି ଯେ ମାତ୍ର ୧୦-୧୫ ମିନିଟ୍ ରେ ଟ୍ରାଫିକ ଜାମ ସମସ୍ୟାର ସମାଧାନ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ସୋସିଆଲମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ମହିଳା ଟ୍ରାଫିକ ଜାମ କୁ ନେଇ ରାଗରେ ଜଳ ସଂସାଧନ ମନ୍ତ୍ରୀଙ୍କୁ ଏଠାରୁ ଚାଲିଯାଅ ବୋଲି ଧମକାଉଥିବା ଦେଖା ଯାଇଥିଲା।

ଆମେ ଲୋକଙ୍କ ଅସୁବିଧା ବୁଝୁ
ଘଟଣା ସମ୍ପର୍କରେ ସୂଚନା ଦେଇ କ୍ୟାବିନେଟ୍ ମନ୍ତ୍ରୀ କହିଛନ୍ତି ଯେ ଟ୍ରାଫିକ ଜାମ କାରଣରୁ ଲୋକେ ଭୋଗିଥିବା ଅସୁବିଧାକୁ ଆମେ ଅନୁଭବ କରୁଛୁ। ପୂର୍ବରୁ ମଧ୍ୟ ବିଭିନ୍ନ ରାଲିରେ ଏପରି ହୋଇଛି। ଏହି ସମସ୍ୟା କେବଳ ମୁମ୍ବାଇରେ ସୀମିତ ନାହିଁ, ଏହା ସାରା ଦେଶରେ ହେଉଛି। ତେବେ ମଙ୍ଗଳବାର ଘଟଣା ସମ୍ପର୍କରେ କହିଲେ ଟ୍ରାଫିକ ସମସ୍ୟା ଅନେକ ଲୋକଙ୍କୁ ଅସୁବିଧାରେ ପକାଇଥିଲା।

ତାନା ମାରିଲା କଂଗ୍ରେସ
ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ୱର୍ଲିରେ ବିଜେପି ବିରୋଧୀ ଦଳ ମହିଳା ଆରକ୍ଷଣ ବିଧେୟକ ଗୃହୀତ କରାଇ ନଦେବା ଯୋଗୁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ନାମକ ରାଲିର ଆୟୋଜନ କରିଥିଲା। ଏହି ରାଲିରେ ଅନେକ ବିଜେପି କାର୍ଯ୍ୟକର୍ତ୍ତା ବ୍ୟାନର ଧରି ରାସ୍ତାକୁ ଓହ୍ଲାଇ ଆସିଥିଲେ। ଫଳରେ ପାଖାପାଖି ୧ ଘଣ୍ଟା ଧରି ମୁଖ୍ୟ ମାର୍ଗରେ ଟ୍ରାଫିକ ଅଟକି ଯାଇଥିଲା। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ହର୍ଷବର୍ଦ୍ଧନ ସପକଲ କହିଛନ୍ତି ଯେ ଏହି ଘଟଣା ବିଜେପି ଲାଗି ଏକ ଶିକ୍ଷା ହେବା ଦରକାର, ଯିଏ ନିଜକୁ ମହିଳାଙ୍କ ତ୍ରାଣକର୍ତ୍ତା ବୋଲି ଉପସ୍ଥାପନ କରିବାକୁ ଉଦ୍ୟମ କରୁଛି । ଏହି ଭିଡିଓ ବିଜେପିର ମୁଖା ଖୋଲିଦେଇଛି।