ସୁରଟ, ୧୨|୦୨: ଗୁଜରାଟର ସୁରଟ ସହରରେ ଗିଜରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ୱାମୀ-ସ୍ତ୍ରୀ ଏବଂ ପୁଅଙ୍କ ମୃତ୍ୟୁ ଘଟିଥିବା ସାମ୍ନାକୁ ଆସିଛି । ସୋମବାର-ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା ଘଟିଥିଲା । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଗିଜରରୁ ବାହାରିଥିବା କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡି଼ଛି ।

ପରିବାର ରାତିରେ ଗିଜର ଅନ୍ କରି ଶୋଇ ପଡି଼ଥିବା ପୁଲିସ ତଦନ୍ତରୁ ମଧ୍ୟ ସାମ୍ନାକୁ ଆସିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ଲାଗି ଶବର ରକ୍ତ ଏବଂ ଭିସେରା ନମୂନାକୁ ଫରେନସିକ୍ ସାଇନ୍ସ ଲାବରେଟୋରୀ ପଠାଯାଇଛି ।

ସୂଚନା ଅନୁସାରେ, ୪୦ ବର୍ଷୀୟ ସୈୟଦ୍ ଫୈଜ୍ ୟୁସୁଫ୍ ଅହମ୍ମଦ, ତାଙ୍କ ପତ୍ନୀ ମୁବିନା ସୈୟଦ(୩୬), ପୁଅ ନୋମାନ୍ (୧୨)ଘରେ ଶୋଇଥିଲେ । ସକାଳୁ ସୈୟଦଙ୍କ ଭାଇ ଉସ୍ମାନ ସେଠାରେ ପହଞ୍ଚିବା ବେଳକୁ ଦ୍ୱାର ଭିତରୁ ବନ୍ଦ ଥିଲା । ଅନେକ ସମୟ ଯାଏ କେହି କବାଟ ନ ଖୋଲିବାରୁ ଉସମାନ ତାକୁ ବାଧ୍ୟ ହୋଇ ଭାଙ୍ଗିଥିଲେ । ତେବେ ଘର ଭିତରେ ୩ ଜଣଙ୍କର ଶବ ପଡି଼ଥିବା ଦେଖି ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ ।

ଏହି ସମୟରେ ସମସ୍ତଙ୍କ ମୁହଁରୁ ଫେଣ ବାହାରୁଥିବା ଦେଖି ପ୍ରଥମେ ସେମାନେ ବିଷ ଖାଇଥିବା ଆଶଙ୍କା କରାଯାଇଥିଲା । କିନ୍ତୁ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଶରୀରକୁ ଯିବାରୁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ନିଦ୍ରିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।