ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି। ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ୩-୦ରେ କବଜା କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ, ନିୟମିତ କୋଚ୍ ଗୌତମ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ ନିକଟରେ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ସିରିଜ୍ ପରାଜୟର ସାମ୍ନା କରିଥିଲା। ଏହି ବିପରୀତ ଫଳାଫଳ ପରେ ଦୁଇ ପ୍ରମୁଖ ଚେହେରାଙ୍କ କୋଚିଂ ଶୈଳୀ ଓ ରେକର୍ଡକୁ ନେଇ ପ୍ରଶ୍ନ ଉଠୁଛି।

ଗୌତମ ଗମ୍ଭୀର: ବଡ଼ ଟ୍ରଫି ସହ ଅନେକ ନିରାଶା

ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦୁଇ ବର୍ଷରୁ ଅଧିକ ସମୟ ପୂରଣ କରିସାରିଛନ୍ତି। ଏହି ସମୟ ମଧ୍ୟରେ ସେ ଅନେକ ଉତଥାନ-ପତନ ଦେଇ ଗତି କରିଛନ୍ତି।

ପ୍ରମୁଖ ସଫଳତା

୨୦୨୫ ଚାମ୍ପିୟନ୍ସ ଟ୍ରଫି ବିଜେତା

୨୦୨୬ ଟି-୨୦ ବିଶ୍ୱକପ୍ ବିଜେତା

୨୦୨୫ ଏସିଆ କପ୍ ଟାଇଟଲ୍

ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍ ବିଜୟ

ମୁଖ୍ୟ ପରାଜୟ ଓ ବିଫଳତା

ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ହାତରୁ ୦-୩ରେ ଟେଷ୍ଟ ସିରିଜ୍ ହାରିବା (୨୦୨୪)

ବର୍ଡର-ଗାଭାସ୍କର ଟ୍ରଫିରେ ୧-୩ରେ ପରାଜୟ (୨୦୨୪-୨୫)

୨୦୨୫ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ୦-୨ରେ ଶୋଚନୀୟ ପରାଜୟ (୨୦୨୫)

୨୭ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ ପରାଜୟ (୨୦୨୪)

ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ହରାଇବା (୨୦୨୬)

ଗମ୍ଭୀରଙ୍କ କୋଚିଂରେ ଭାରତ ମୋଟ ୯୫ଟି ମ୍ୟାଚ୍ ଖେଳି ୫୯ଟିରେ ବିଜୟୀ ହୋଇଥିବା ବେଳେ ୨୯ଟିରେ ପରାଜିତ ହୋଇଛି ଏବଂ ୫ଟି ମ୍ୟାଚ୍ ଅମୀମାଂସିତ ରହିଛି। ସାମଗ୍ରିକ ଭାବେ ତାଙ୍କର ବିଜୟ ପ୍ରତିଶତ ପ୍ରାୟ ୬୨.୧୧% ରହିଛି।

ଭିଭିଏସ୍ ଲକ୍ଷ୍ମଣ: କମ୍ ମ୍ୟାଚ୍‌ରେ ଭଲ ସଫଳତା ହାର

ଜାତୀୟ କ୍ରିକେଟ୍ ଏକାଡେମୀ (NCA)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ବିଭିନ୍ନ ସମୟରେ ଅନ୍ତରୀଣ କୋଚ୍ ଭାବେ ଦାୟିତ୍ୱ ତୁଲାଇ ବେଶ ସଫଳ ହୋଇଛନ୍ତି।

ମୁଖ୍ୟ ସଫଳତା

୨୦୨୨ରେ ଆୟରଲ୍ୟାଣ୍ଡ (୨-୦), ଜିମ୍ବାୱେ (୩-୦) ଓ ନ୍ୟୁଜିଲ୍ୟାଣ୍ଡ (୧-୦) ବିପକ୍ଷରେ ସିରିଜ୍ ବିଜୟ

୨୦୨୩ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ

୨୦୨୪ରେ ଜିମ୍ବାୱେ (୪-୧) ଓ ଦକ୍ଷିଣ ଆଫ୍ରିକା (୩-୧) ବିପକ୍ଷରେ ଟି-୨୦ ସିରିଜ୍ ବିଜୟ

୨୦୨୬ରେ ଜିମ୍ବାୱେ ବିପକ୍ଷରେ ୩-୦ରେ କ୍ଲିନ୍ ସ୍ୱିପ୍

ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ମୋଟ ୨୩ଟି ମ୍ୟାଚ୍ ଖେଳି ୧୮ଟିରେ ବିଜୟ, ୪ଟିରେ ପରାଜୟ ଓ ୧ଟି ଅମୀମାଂସିତ ରଖିଛି। ତାଙ୍କର ବିଜୟ ପ୍ରତିଶତ ୭୮.୩% ରହିଛି, ଯାହା ଗମ୍ଭୀରଙ୍କ ତୁଳନାରେ ଅଧିକ।