ଭୁବନେଶ୍ୱର: ଗଞ୍ଜାମରେ ଜଳପ୍ରଳୟ। ଲାଗୁଛି ଯେମିତି AI ଯୁଗରେ ସବୁ ଟେକନିକର ବୁଦ୍ଧିବାଟ ହଜିଯାଇଛି। ପ୍ରଳୟଙ୍କରୀ ବନ୍ୟା ପାଣିକୁ ରୋକିବା ଯେମିତି ଅସମ୍ଭବ। ଏବେ ଚାଲେଞ୍ଜ ଧନଜୀବନ ସୁରକ୍ଷା। କାରଣ ଗାଁରୁ ସହର, ସବୁଠି ଲହଡ଼ି ଭାଙ୍ଗୁଛି ଋଷିକୁଲ୍ୟା ନଦୀର ବନ୍ୟା ଜଳ। ୪୩ ହଜାର ଲୋକ ପ୍ରଭାବିତ। ପ୍ରଶ୍ନ ଉଠୁଛି, କାହିଁକି ବାତ୍ୟା ପରବର୍ତ୍ତୀ ସ୍ଥିତି ଏତେ ଭୟଙ୍କର ହେଲା ? ଆମେ କହିବୁ ଏଠି ଦୋଷ କାହାର ଆଉ ଦାୟୀ କିଏ ?

ଆଜକୁ ପ୍ରାୟ ୩୬ ବର୍ଷ ତଳେ ଅର୍ଥାତ ୧୯୯୦ ବଡ଼ ବନ୍ୟା ଆସି ଗଞ୍ଜାମକୁ ଛାରଖାର କରିଦେଇଥିଲା। କିନ୍ତୁ ତାପରଠୁ ଗଞ୍ଜାମ ଏତେ ବଡ଼ ବିଭିଷୀକା ଦେଖିନି। ହେଲେ ହଠାତ ଗଞ୍ଜାମ ଦେଖୁଛି ନେପାଳ ପ୍ରଳୟର ଭ୍ରମ । ଏପରି କାହିଁକି ଘଟଲା ? ସାଢ଼େ ୩ ଦଶନ୍ଧି ଧରି ଗଞ୍ଜାମରେ କେବଳ ମରୁଡ଼ି ଭଳି ସ୍ଥିତି। ନହେଲେ ଛୋଟ ଛୋଟ ଫ୍ଲାସ ଫ୍ଲଡ। ଚଳିତ ବର୍ଷ ଜୁନ, ଜୁଲାଇ, ଅଗଷ୍ଟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି।

ବାତ୍ୟା ଅର୍ଣ୍ଣବ ପରେ ଦେଖାଇଥିବା ବନ୍ୟା ସ୍ଥିତି ଯୋଗୁଁ ରୁଷିକୁଲ୍ୟା ଡେଞ୍ଜର ଜୋନ୍ରେ। ଋଷିକୁଲ୍ୟା ବିପଦ ସଂକେତ ଅତିକ୍ରମ କରିଛି। ଗଞ୍ଜାମ ପୁରୁଷୋତ୍ତମପୁର ନିକଟରେ ନଦୀର ଜଳସ୍ତର ବିପଦ ସଂକେତ ଟପିଛି। ସେହିପରି କୁରୁଲା ନିକଟରେ ବିପଦ ସଂକେତ ଉପରେ ଘୋଡ଼ାହାଡ଼ ନଦୀର ବନ୍ୟା ଜଳ। ପ୍ରଶ୍ନ ଉଠୁଛି, କାହିଁକି ବାତ୍ୟା ପରବର୍ତ୍ତୀ ସ୍ଥିତି ଏତେ ଭୟଙ୍କର ହେଲା ? ଏକଥା ସତ ଯେ, ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ଭିତରେ ଗଞ୍ଜାମ ବି ଥିଲା ରେଡ୍ ଆଲର୍ଟରେ। କିନ୍ତୁ ପାହାଡ଼ି ବନ୍ୟା ପ୍ରଳୟର ଦୃଶ୍ୟ ଦେଖିଲେ ଲାଗୁଛି, ସବୁକିଛି ଥିଲା ଆକଳନ ବାହାରକୁ ଚାଲିଯାଇଥିଲା।

• ଋଷିକୁଲ୍ୟା ନଦୀର ଉତ୍ପତ୍ତି ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ନିକଟସ୍ଥ ପୂର୍ବଘାଟ ପାହାଡ଼ ଅଞ୍ଚଳରୁ ହୋଇଛି।

• ଏହା ପାହାଡ଼ିଆ ଅଞ୍ଚଳରୁ ବାହାରି ଗଞ୍ଜାମ ଜିଲ୍ଲା ଦେଇ ପ୍ରବାହିତ ହୋଇଛି।

• ଶେଷରେ ଏହା ଗଞ୍ଜାମର ଗୋପାଳପୁର ନିକଟରେ ବଙ୍ଗୋପସାଗରରେ ମିଶିଛି।

• ଋଷିକୁଲ୍ୟା ନଦୀର ଅବବାହିକା ପ୍ରାୟ ୮,୯୬୩ ବର୍ଗ କିଲୋମିଟର।

• ନଦୀର ଲମ୍ବ ପ୍ରାୟ ୧୬୫ କିଲୋମିଟର।

ଋଷିକୁଲ୍ୟା ନଦୀରେ ବନ୍ୟା ଆସିବା କେବଳ ନଦୀର ଉପରମୁଣ୍ଡର ବର୍ଷା ଉପରେ ନିର୍ଭର କରେ ନାହିଁ। ଏହାର ସମଗ୍ର ଅବବାହିକା ଓ ଉପନଦୀଗୁଡ଼ିକରେ କେତେ ବର୍ଷା ହେଉଛି, ସେହି ଜଳ କେତେ ଦ୍ରୁତ ମୁଖ୍ୟ ନଦୀକୁ ଆସୁଛି, ତାହା ମଧ୍ୟ ବନ୍ୟାର ତୀବ୍ରତା ନିର୍ଦ୍ଧାରଣ କରେ।

-ଅବବାହିକାର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା।

-ବଡ଼ନଦୀ, ଘୋଡ଼ାହାଡ଼ ଓ ବାଘୁଆ ଭଳି ଉପନଦୀରେ ଜଳପ୍ରବାହ ବୃଦ୍ଧି।

-ଅଳ୍ପ ସମୟ ମଧ୍ୟରେ ଅଧିକ ପରିମାଣର ବର୍ଷାଜଳ ମୁଖ୍ୟ ନଦୀକୁ ଆସିବା।

-ନଦୀର ଜଳଧାରଣ କ୍ଷମତା ଅତିକ୍ରମ କରିବା।

-ତଳିଆ ଅଞ୍ଚଳରେ ନଦୀଜଳ ପ୍ରବେଶ କରିବା।

ଏମିତି କଣ ବର୍ଷା ହେଲା ଯେ ଏଭଳି ପରିସ୍ଥିତି ସୃଷ୍ଟି ହେଲା।

-ପ୍ରଥମ କାରଣ ହେଉଛି ବାଦଲଫଟା ବର୍ଷା

-ଗଞ୍ଜାମରେ ୩ ଦିନରେ ୧୧୮ ପ୍ରତିଶତ ବର୍ଷା

-କନ୍ଧମାଳରେ ଅସ୍ବାଭାବିକ ବୃଷ୍ଟିପାତ

-କନ୍ଧମାଳରେ ୩ ଦିନରେ ୧୨୩ ପ୍ରତିଶତ ବର୍ଷା

ୠଷିକୂଲ୍ୟା ନଦୀରେ ରଚିଛି ଜଳପ୍ରଳୟର ତାଣ୍ଡବ। ଗଞ୍ଜାମରେ ୨୨ ବ୍ଲକ୍ ପ୍ରଭାବିତ ହୋଇଛି । ୪୩ ହଜାର ଲୋକ ପ୍ରଭାବିତ ହୋଇଛି । ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୫୨ ରିଲିଫ ସେଣ୍ଟରରେ ଅଛନ୍ତି । ୭୨ ଗାଁ ପ୍ରଭାବିତ ହୋଇଥିବା ବେଳେ ୯ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି । କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ସ୍ଥାନାନ୍ତରଣ କରଯାଇଛି । ନାଭାଲ ହେଲିକପ୍ଟର ଖାଦ୍ୟ ପୁଡିଆ ଏୟାର ଡ୍ରପ୍ କରିବ । ୨୨ଟି ସ୍ଥାନରେ ଏୟାର ଡ୍ରପ୍ କରାଯିବ । ହିଞ୍ଜିଳି, ଚିକିଟି, ପୁରୁଷତ୍ତମପୁର, ଶେରଗଡ, ଧରାକୋଟ, ଆସ୍କା, ବେଲଗୁଣ୍ଠା ଭଳି ସ୍ଥାନରେ ଏୟାର ଡ୍ରପ୍ କରାଯିବ। ଏବେ ଉଡାଣ ଆରମ୍ଭ କରିବ ନାଭାଲ ହେଲିକପ୍ଟର ।

ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ଭିତରେ ଗଞ୍ଜାମ ବି ଥିଲା ରେଡ୍ ଆଲର୍ଟରେ। କିନ୍ତୁ ପାହାଡ଼ି ବନ୍ୟା ପ୍ରଳୟର ଦୃଶ୍ୟ ଦେଖିଲେ ଲାଗୁଛି, ସବୁକିଛି ଥିଲା ଆକଳନ ବାହାରେ, ସବୁକିଛି ଥିଲା ପୂର୍ବାନୁମାନଠୁ ଉର୍ଦ୍ଧ୍ବରେ। ଏବେ ଆମେ କହିପାରିବାକି ପାଣିପାଗ ବିଭାଗର ଭୁଲ ଥିଲା କି । କେବେ ବି ନୁହେଁ- ଭାରତୀୟ ପାଣିପାଗ ବିଭାଗର ଆକଳନ ଶତ ପ୍ରତିଶତ ସଠିକ ହୋଇଛି। ଗଞ୍ଜାମ ଓ ଗଜପତିକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିଲା। ପାଣିପାଗ ଚେତାବନୀ ଦିଆଯାଇଥିଲା, ୨୮ ତାରିଖ-୨୯ ତାରିଖ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ ପାଣିପାଗ ବିଜ୍ଞାନୀମାନେ କଣ ଚେତାବନୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ପାଣିପାଗର ପରିବର୍ତ୍ତନକୁ ମଧ୍ୟ ଦାୟୀ କରିଛନ୍ତି।

also read- also read-ଘର କିଣିବାକୁ ଚାହୁଁଥିଲେ ଖୁସି ଖବର ! ଏକାମ୍ର ରେସିଡେନ୍ସି ଆବେଦନ ଅବଧି ନଭେମ୍ବର ୩୦କୁ ବୃଦ୍ଧି

ଗଞ୍ଜାମରେ ଜଳପ୍ରଳୟ ପଛରେ କିଏ ଦାୟୀ? ପ୍ରକୃତିର ପରିବର୍ତ୍ତିତ ରୂପ ନା ମଣିଷର ଅବହେଳା? ଗଞ୍ଜାମରେ ବନ୍ୟା ବିପତ୍ତି ପଛରେ ରହିଛି ଏକାଧିକ କାରଣ। ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ଅସମୟରେ ଅତି ପ୍ରବଳ ବର୍ଷା ସ୍ଥିତିକୁ ସଙ୍ଗିନ କରିଛି। ଏପଟେ ଉପରମୁଣ୍ଡରେ ବଡ଼ ଡ୍ୟାମ୍ ନଥିବା ସତ୍ତ୍ୱେ ଜଳ ନିଷ୍କାସନର ସୁବ୍ୟବସ୍ଥିତ ବ୍ୟବସ୍ଥାର ଅଭାବ ସମସ୍ୟାକୁ ଆହୁରି ଜଟିଳ କରିଛି। ଦ୍ରୁତ ସହରୀକରଣର ଚାପରେ ଅନେକ ପ୍ରାକୃତିକ ନାଳ ଓ ଜଳପଥ ଜବରଦଖଲର ଶିକାର ହୋଇଛି। ଫଳରେ ବର୍ଷାଜଳ ନିଷ୍କାସିତ ହେବା ବଦଳରେ ଗାଁଠୁ ସହର ସବୁଠି ଜମି ରହୁଛି। ପ୍ରକୃତିର ପ୍ରକୋପ ସହ ଯୋଡ଼ି ହୋଇଛି ମଣିଷର ଅବ୍ୟବସ୍ଥା। ଆଉ ଏହାର ପରିଣାମ ଭୋଗୁଛନ୍ତି ଗଞ୍ଜାମବାସୀ। ରାଜ୍ୟ ସରକାର ମଧ୍ୟ ରିଭର ସିଷ୍ଟମ ଉପରେ ଗୁରୁତ୍ୱ ଦେବା ଜରୁରୀ, ଯେପରି ଆଗକୁ ଆସୁଥିବା ବିପଦକୁ ଏଡାଯାଇପାରିବ।