ମୁମ୍ବାଇ: ମହାରାଷ୍ଟ୍ରରେ ହେଉଥିବା ବଡ଼ ଧରଣର ଧାର୍ମିକ ଓ ସାମାଜିକ ଆୟୋଜନକୁ ନେଇ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣୁ ଏବେ ରାଜ୍ୟରେ କୌଣସି ପ୍ରକାରର ସାମୂହିକ ଭୋଜ, ବିବାହ ଭୋଜି, ଇଫ୍ତାର ପାର୍ଟି, ଭଣ୍ଡାରା, ଲଙ୍ଗର ଅଥବା ମହାପ୍ରସାଦ ଆୟୋଜନ ପୂର୍ବରୁ ଅଧିକାରୀକ ଅନୁମତି ନେବା ବାଧ୍ୟତାମୂଳକ ହୋଇଛି। ମହାରାଷ୍ଟ୍ର ଏଫଡିଏ କମିଶନର ତୁକାରାମ ମୁଣ୍ଡେ ଜାରି କରିଥିବା ଆଦେଶ ଅନୁସାରେ ଏବେ ଏପରି କୌଣସି ବଡ଼ ସାର୍ବଜନିକ ଆୟୋଜନ ପୂର୍ବରୁ ଆୟୋଜକଙ୍କୁ ଏଫଡିଏରୁ ଅନୁମତି ନେବାକୁ ପଡିବ।

ଏଥି ଲାଗି ଆୟୋଜକଙ୍କୁ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ ପଡିବ, ଯେଉଁଥିରେ ଭୋଜି ସମ୍ପର୍କିତ ସମସ୍ତ ସୂଚନା ଯେପରି କ୍ୟାଟେରର ବିବରଣୀ, ଉପଯୋଗ ହେବାକୁ ଥିବା ସାମଗ୍ରୀ ଓ କଞ୍ଚାମାଲର ବିସ୍ତୃତ ବିବରଣୀ ଦେବାକୁ ପଡିବ। ମହାରାଷ୍ଟ୍ର ଏଫଡିଏ ପକ୍ଷରୁ ଜାରି ଏହି ଆଦେଶ ଅନୁସାରେ ଏବେ ଖାଦ୍ୟ ଓ ପେୟ ପଦାର୍ଥର ବିତରଣ କେବଳ ସେହି କ୍ୟାଟେରରଙ୍କ ଦ୍ୱାରା କରାଯାଇ ପାରିବ ଯେଉଁମାନଙ୍କର ବୈଧ ଏଫଡିଏ ଲାଇସେନ୍ସ ଥିବ। ଏହା ଛଡା ବିନା ଲାଇସେନ୍ସରେ କାମ କରୁଥିବା କ୍ୟାଟରର ଅଥବା ରୋଷେୟା ଏହି କାମରେ ସାମିଲ ହୋଇ ପାରିବେ ନାହିଁ।

ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ସାର୍ବଜନିକ ଆୟୋଜନରେ ଲୋକଙ୍କୁ ମିଳୁଥିବା ଭୋଜନ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା। ଏହା ଦ୍ୱାରା ଫୁଡ ପଏଜନିଂ ଅଥବା କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମ୍ପର୍କିତ ଅଘଟଣରୁ ଲୋକଙ୍କୁ ରକ୍ଷା କରାଯାଇ ପାରିବ। ପ୍ରାୟତଃ ବଡ଼ ସାର୍ବଜନିକ ଆୟୋଜନ, ଭଣ୍ଡାରା ଅଥବା ବିବାହ ଭୋଜିରେ ବିପୁଳ ପରିମାଣର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହୋଇଥାଏ। ହେଲେ ଏଥି ପାଇଁ ଅନେକବାର ସାଫସଫେଇ ଓ କ୍ୱାଲିଟିକୁ ଅଣଦେଖା କରିଦିଆଯାଇଥାଏ। ଏଣୁ ଲୋକେ ଭୋଜି ଖାଇ ଅସୁସ୍ଥ ହୋଇଥାନ୍ତି।

ଏଣୁ ଏଇଭଳି ଆୟୋଜନରେ ପାରଦର୍ଶିତା ଆଣିବା ଓ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ଏଫଡିଏ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଦ୍ୱାରା ଖାଇବା ଥାଳି ସ୍ୱାସ୍ଥ୍ୟକର ହୋଇ ପାରିବ।