ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ହୋଇଥିବା ବଡ଼ ଛାତ୍ର ଆନ୍ଦୋଳନ ପରେ କକ୍ରୋଚ ଜନତା ପାର୍ଟି (ସିଜେପି) ସାରା ଦେଶରେ ଚର୍ଚ୍ଚାର ପାତ୍ର ପାଲଟିଛି। ସିଜେପି ସେପ୍ଟେମ୍ବର ୫ ତାରିଖଦିନ ଦିଲ୍ଲୀରେ ପୁଣି ଥରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚ ଲାଗି ଘୋଷଣା କରିଛି। ଏଥି ମଧ୍ୟରେ ସି-ଭୋଟର ଦେଶରେ ଯୁବାଙ୍କ ମୁଡ ଓ ନିର୍ବାଚନୀ ପ୍ରସଙ୍ଗକୁ ନେଇ ଏକ ଖାସ ସର୍ଭେ କରିଛି। ସର୍ଭେରେ ସିଜେପି ଯଦି ନିର୍ବାଚନ ଲଢେ ଲୋକେ ଭୋଟ ଦେବେକି? ବୋଲି ପ୍ରଶ୍ନ କରାଯାଇଥିଲା। ହେଲେ ଏଥିରୁ ଯାହା ଫଳାଫଳ ଆସିଛି ତାହା ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ।

ସିଜେପି କୁ ଭୋଟ ଦେବେନି ବୋଲି ୪୩% ଲୋକେ ସଫା ସଫା ମନା କରିଦେଇଛନ୍ତି। ୩୩% ଭୋଟ ଦେବେ ବୋଲି କହିଥିବା ବେଳେ ୩୯% ଲୋକେ ଏହା ଏକ ପ୍ରେସର ଗ୍ରୁପ (ଚାପ ଗୋଷ୍ଠୀ) ଭାବେ କାମ କରୁ ବୋଲି ଚାହାନ୍ତି। ତେବେ ସିଜେପି ସଂସ୍ଥାପକ ଅଭିଜିତ ଦିପକେ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସଙ୍ଗଠନ ନିଜକୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବ ନାହିଁ। ଏହି ସର୍ଭେରେ କେବଳ ରାଜନୀତି ଅଥବା ନିର୍ବାଚନ ପ୍ରସଙ୍ଗ ନଥିଲା। ଏଥିରେ ଯୁବା ବର୍ଗଙ୍କୁ ରୋଜଗାର ଯୋଗ୍ୟ କରିବାର ଦାୟିତ୍ୱ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା।

ଏଥିରେ ୬୩% ଲୋକେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷାରୋପଣ କରିଥିବା ବେଳେ ୧୪% ସ୍କୁଲକଲେଜ ଓ ୯% ଘରୋଇ କମ୍ପାନୀମାନଙ୍କୁ ଦାୟି କରିଛନ୍ତି। ସେହିପରି ରୋଜଗାର ସଂକଟକୁ ନେଇ ୩୨%, ଚାକିରି ଅଭାବକୁ ନେଇ ୧୮%, ସ୍ୱଳ୍ପ ବେତନ ପାଇଁ ୧୭% ଓ ଡିଗ୍ରି ଅନୁରୂପ ନିଯୁକ୍ତି ମିଳୁନଥିବା ନେଇ ୧୭% ଓ ସରକାରୀ ନିଯୁକ୍ତିର ଧିମା ପ୍ରକ୍ରିୟାକୁ ୧୭% ଦାୟି କରିଛନ୍ତି।

ଏହି ସର୍ଭେରେ ଯେତେବେଳେ ଦେଶର ସବୁଠୁ ବଡ଼ ସମସ୍ୟା କଣ ବୋଲି ପ୍ରଶ୍ନ କରାଗଲା ଜନତା ‘ରୋଜଗାର’କୁ ଶୀର୍ଷରେ ରଖିଛନ୍ତି। ୨୨.୭% ବେକାରୀକୁ ସବୁଠୁ ବଡ଼ ସମସ୍ୟା ବୋଲି କହିଛନ୍ତି। ୧୮.୧% ମୂଲ୍ୟବୃଦ୍ଧିକୁ ବଡ଼ ସମସ୍ୟା କହିଥିବା ବେଳେ ୭.୩% ଚାଷୀଙ୍କ ସମସ୍ୟାକୁ ବଡ଼ ସମସ୍ୟା ବୋଲି କହିଛନ୍ତି। ତେବେ ଖାସ କରି ପ୍ରସଙ୍ଗରେ ଯେବେ ଜେନ-ଜେଡ୍ ଙ୍କ ରାୟ ନିଆଗଲା ୫୩% ସିଧାସଳଖ ଚାକିରୀରୁ ପ୍ରାଥମିକତା ଦେଇଛନ୍ତି। ଏହା ଛଡା ୨୨% ଶିକ୍ଷା, ୧୨% ଜୀବନ ଯାପନ ବାବଦ ବଢୁଥିବା ଖର୍ଚ୍ଚ ଓ ୪% ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।