ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୋମବାର ସ୍ଵାସ୍ଥ୍ୟ ବିଗିଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଗତ ଦୁଇ ସପ୍ତାହରେ ଖନଖଡ଼ ଦୁଇ ଥର ବେହୋସ ହୋଇ ଯାଇଥିଲେ। ଯାହା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇ ଏମଆରଆଇ ସହ ଅନ୍ୟ ଯାଞ୍ଚ କରାଯାଉଛି।

ଜାନୁଆରୀ ୧୦ରେ ଧନଖଡ଼ ଓ୍ଵାଶରୁମ ଯିବା ସମୟରେ ଦୁଇ ଥର ଅଚେତ ହୋଇ ପଡ଼ିଥିଲେ। ଏହାପରେ ସୋମବାର ସେ ନିୟମିତ ଯାଞ୍ଚ ପାଇଁ ଏମ୍ସରେ ପହଞ୍ଚିଥିଲେ, ମାତ୍ର ଡାକ୍ତର ସ୍ଥିତିକୁ ଦେଖି ତତ୍କାଳ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ଧନଖଡ଼ଙ୍କୁ ସାର୍ବଜନୀନ ମଞ୍ଚରେ ଏମିତି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନି। ଏହା ପୂର୍ବରୁ ସେ କଚ୍ଛର ରଣ, ଉତ୍ତରାଖଣ୍ଡ, କେରଳ ଓ ଦିଲ୍ଲୀରେ ଅନେକ ସମୟରେ ସାର୍ବଜନୀନ କାର୍ଯ୍ୟକ୍ରମରେ ଅସୁସ୍ଥ ହୋଇ ଅଚେତ ହୋଇ ପଡ଼ିଥିଲେ। ​​​​​​​

​​​​​​​ସୂଚନାଯୋଗ୍ୟ, ଜଗଦୀପ ଧନଖଡ଼ ଗତ ବର୍ଷ ଜୁଲାଇ ୨୧ରେ ନିଜର ଖରାପ ସ୍ଵାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ରରେ ସ୍ପଷ୍ଟ କରିଥିଲେ ଯେ, ଏବେ ତାଙ୍କର ପ୍ରାଥମିକତା ନିଜର ସ୍ଵାସ୍ଥ୍ୟ। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ନିଜର ସ୍ଵାସ୍ଥ୍ୟ ପାଇଁ ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଅବ୍ୟାହତି  ନେଉଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ, ମନ୍ତ୍ରିପରିଷଦ ଓ ସାଂସଦଙ୍କୁ ଧନ୍ୟବାଦ ଜଣାଇଥିଲେ ଧନଖଡ଼।