ମୁମ୍ୱାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରୋଫ ଏବେ ସିନେମା ପରଦା ବଦଳରେ ଫୁଟବଲ ପଡ଼ିଆରେ ନଜର ଆସିବାକୁ ଯାଉଛନ୍ତି । 'ମୁମ୍ବାଇ ଏଫସି' ଦ୍ୱାରା ଡୁରାଣ୍ଡ କପ୍ ପାଇଁ ଘୋଷଣା କରାଯାଇଥିବା ଦଳରେ ଟାଇଗରଙ୍କ ନାମ ସାମିଲ କରାଯାଇଛି । ଏହା ସହିତ ସେ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରୋଫେସନାଲ ଫୁଟବଲ୍ ଡେବ୍ୟୁ କରିବାର ସମ୍ଭାବନା ରହିଛି ।

କ୍ଲବର ସହ-ମାଲିକ ଜୋହେବ ଅମରାନୀଙ୍କ କହିବାନୁସାରେ, ଟାଇଗର କ୍ଲବ୍ ସହିତ ପଞ୍ଜୀକୃତ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ଦଳ ସହିତ ଅଭ୍ୟାସ ଜାରି ରଖିଛନ୍ତି । ଶିଲଂରେ ଖେଳାଯିବାକୁ ଥିବା ଗ୍ରୁପ-ଷ୍ଟେଜ୍ ମ୍ୟାଚଗୁଡ଼ିକ ମଧ୍ୟରୁ ଅତିକମରେ ଗୋଟିଏ ମ୍ୟାଚ୍ ପାଇଁ ସେ ଦଳ ସହିତ ଯାତ୍ରା କରିପାରନ୍ତି ।

ସେ କହିଛନ୍ତି, "ସେ ଦଳ ସହିତ ପଞ୍ଜୀକୃତ ଅଛନ୍ତି ଏବଂ ଆମେ ସବୁକିଛି ସଠିକ୍ ଭାବେ ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଛୁ । ଟାଇଗରଙ୍କ ଭଳି ବ୍ୟକ୍ତିଙ୍କ ପାଇଁ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ କଡ଼ା ସୁରକ୍ଷା ଆବଶ୍ୟକ । ସେଠାରେ ଲୋକଙ୍କ ଭିଡ଼ ଜମିପାରେ ଏବଂ ବିଶୃଙ୍ଖଳା ସୃଷ୍ଟି ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଆମେ ତାଙ୍କଠାରୁ ଗୋଟିଏ ତାରିଖ ପାଇଛୁ । ଯଦି ସବୁକିଛି ଠିକ୍ ରହେ, ତେବେ ସେ ନିଶ୍ଚିତ ଭାବେ ଗୋଟିଏ ମ୍ୟାଚ୍ ଖେଳିବାକୁ ଯିବେ ।"

୨୦୨୪ରେ ମୁମ୍ବାଇ ଏଫସି ଗଠନ ହେବା ଦିନଠାରୁ ଟାଇଗର ଏହା ସହିତ ଯୋଡ଼ିହୋଇ ରହିଛନ୍ତି ଏବଂ 'ମୁମ୍ବାଇ ଡିଷ୍ଟ୍ରିକ୍ଟ ଲିଗ୍'ରେ ମଧ୍ୟ ନିୟମିତ ଖେଳିଛନ୍ତି । ୨୦୨୩ ମସିହାରେ ଏକ ଇନଫ୍ଲୁଏନ୍ସର ଲିଗ୍ ମ୍ୟାଚରେ ଜୋହେବ ପ୍ରଥମ କରି ଟାଇଗରଙ୍କ ଫୁଟବଲ କୌଶଳ ଦେଖିଥିଲେ । ଖେଳ ପ୍ରତି ତାଙ୍କର ଆଗ୍ରହ ଦେଖି ଜୋହେବ ତାଙ୍କୁ ଦଳରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ ।

ମୁମ୍ବାଇ ଏଫସି ଶିଲଂର ଜବାହରଲାଲ ନେହରୁ ଷ୍ଟାଡିୟମରେ ନିଜର ଗ୍ରୁପ-ଷ୍ଟେଜ୍ ମ୍ୟାଚଗୁଡ଼ିକ ଖେଳିବ:

ଅଗଷ୍ଟ ୩: ଲାଙ୍ଗସିଂ ଏସସି ବିପକ୍ଷରେ ପ୍ରଥମ ମ୍ୟାଚ୍

ଅଗଷ୍ଟ ୮: ଶିଲଂ ଲାଜୋଙ୍ଗ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍

ଅଗଷ୍ଟ ୧୧: ନୋଙ୍ଗକ୍ରେଶ ଏସଏସ ଓ ସିସି ବିପକ୍ଷରେ ମ୍ୟାଚ୍