ନୂଆଦିଲ୍ଲୀ: ରାଖୀ ପୂର୍ଣ୍ଣିମା ପୂର୍ବରୁ ଦିଲ୍ଲୀ ସରକାର ମହିଳାଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଦିଲ୍ଲୀ କ୍ୟାବିନେଟ୍ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ଦୀର୍ଘ ଦିନରୁ ଅଟକି ଥିବା ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ଅଧିନରେ ଏବେ ଦିଲ୍ଲୀର ମହିଳାଙ୍କ ଆକାଉଣ୍ଟଙ୍କୁ ପ୍ରତିମାସରେ ୨୫୦୦ ଟଙ୍କା ଟ୍ରାନ୍ସଫର କରାଯିବ ।

ସୂଚନା ଅନୁସାରେ ଏହି ଲକ୍ଷ୍ମୀ ଯୋଜନାର ପ୍ରଥମ କିସ୍ତି ରାଖୀ ବନ୍ଧନ ଅବସରରେ ଯୋଗ୍ୟ ମହିଳାଙ୍କୁ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଏହି ଯୋଜନାକୁ ପାରଦର୍ଶୀ ଏବଂ ସଠିକ୍ ଭାବରେ ଲାଗୁ କରିବା ପାଇଁ ସ୍ୱତନ୍ତ୍ର ଡିଜିଟାଲ୍ ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି । ଅଗଷ୍ଟ ୧ରେ ସାଧାରଣ ଜନତାଙ୍କ ପାଇଁ ଏହାକୁ ଖୋଲି ଦିଆଯିବ ।

କ୍ୟାବିନେଟ୍ ମଞ୍ଜୁରି ପରେ ଏବେ ଯୋଜନାକୁ ତ୍ରୁଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାନସିକ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଛି । ଅଗଷ୍ଟ ୧ରେ ଏହି ପୋର୍ଟାଲ କାର୍ଯ୍ୟକାରୀ ହେବା ପରେ ଦିଲ୍ଲୀର ମହିଳାମାନେ ଏହି ଯୋଜନା ଅଧିନରେ ପଞ୍ଜୀକରଣ କରିପାରିବେ ।

ଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି ମିଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ଆଜି ଆମ ସମସ୍ତଙ୍କ ପାଇଁ ଖୁସର ମୁହୂର୍ତ୍ତ । ଆମେ ଆଜି କ୍ୟାବିନେଟ୍ ମିଟିଂରେ ଦିଲ୍ଲୀ ଭଉଣୀମାନଙ୍କୁ ଦେଇଥିବା ପ୍ରତଶ୍ରୁତି ପୂରଣ କରିଛୁ । ଆମେ ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରି ଦେଇଛୁ । ଏହି ଯୋଜନା ଦିଲ୍ଲୀର ଭଉଣୀମାନଙ୍କୁ ପ୍ରତିମାସରେ ୨୫୦୦ ଟଙ୍କାର ଆର୍ଥିକ ସାହାଯ୍ୟ କରି ସେମାନଙ୍କୁ ସଶକ୍ତ କରିବ ।

ଲକ୍ଷ୍ମୀ ଯୋଜନା ପାଇଁ ଯୋଗ୍ୟତା ସର୍ତ୍ତ

  • ଆବେଦନକାରୀ ମହିଳାଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ମହିଳା କିମ୍ୱା ତାଙ୍କ ପରିବାର ଅତି କମରେ ୧୦ ବର୍ଷ ଧରି ଦିଲ୍ଲୀର ସ୍ଥାୟୀ ବାସିନ୍ଦା ହେବା ଦରକାର
  • ପରିବାରର ମୋଟ ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ ହେବା ଦରକାର
  • ଯଦି କୌଣସି ପରିବାରରେ ଏକାଧିକ ମହିଳା ଯୋଗ୍ୟ ହୁଅନ୍ତି, ତେବେ ପରିବାର ସବୁଠୁ ବୟସ୍କ ମହିଳାଙ୍କୁ ଏହାର ଲାଭ ମିଳିବ