ନୂଆଦିଲ୍ଲୀ, ୨୮। ୦୭ : ଇତିହାସ ରଚିଲେ ଓ୍ୱେଷ୍ଟ୍ ଇଣ୍ଡିଜ ବୋଲର । କାରବିୟାନ ବୋଲର ଜଷ୍ଟିନ୍ ଗ୍ରୀଭସ୍ ଏମିତି କିଛି କାରନାମା କରିଛନ୍ତି ଯାହା ପୂର୍ବରୁ କେହି ପାରି ନାହାଁନ୍ତି । ସେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୫ଟି ଓ୍ୱିକେଟ୍ ନେଇଛନ୍ତି । ୫ଟି ଲଗାତାର ମେଡେନ ଓଭରରେ ସେ ଏହି ସଫଳତା ପାଇଛନ୍ତି । ଟେଷ୍ଟ୍ କ୍ରିକେଟରେ ପ୍ରଥମ ଥର ପାଇଁ କୌଣସି ବୋଲର ଲଗାତାର ୫ ଓଭର ମେଡେନ୍ ପକାଇ ୫ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।

ତ୍ରିନିଦାଦରେ ପାକିସ୍ତାନ ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ ମଧ୍ୟରେ ଆଇସିସି ଟେଷ୍ଟ୍ ଚାମ୍ପିଅନସିପର ପ୍ରଥମ ଟେଷ୍ଟ୍ ଖେଳାଯାଉଛି । ମ୍ୟାଚର ତୃତୀୟ ଦିନରେ ଜଷ୍ଟିନ୍ ଲଞ୍ଚ୍ ପୂର୍ବରୁ ଏବଂ ପରେ ଘାତକ ବୋଲିଂ କରିଥିଲେ । ଏହାସହ ପାକିସ୍ତାନର ବ୍ୟାଟିଂ ମେରଦୁଣ୍ଡ ଭାଙ୍ଗି ଦେଇଥିଲେ । ଏହା ତାଙ୍କ କ୍ୟାରିଅରର ପ୍ରଥମ ୫ ଓ୍ୱିକେଟ୍ ସଫଳତା ।

Also Read :- High Alert as Heavy Rain : ରାଜ୍ୟରେ ବର୍ଷାର ଲହର ; ସତର୍କ ରହିବାକୁ ନିର୍ଦ୍ଦେଶ, ୫ ଜିଲ୍ଲାରେ ସ୍କୁଲ୍ ଛୁଟି

ଏହାପୂର୍ବରୁ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କ ନାଁରେ ଏପରି ଏକ ରେକର୍ଡ ଥିଲା । ସେ ୨୦୧୬ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ୪ଟି ମେଡେନ୍ ଓଭର ପକାଇଥିଲେ । ଜଷ୍ଟିନ୍ ଏହି ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ମ୍ୟାଚ୍ ପରେ ଜଷ୍ଟିନ୍ କହିଛନ୍ତି ଯେ, ସେ ବୋଲିଂ କରିବାକୁ ଆସିବା ସମୟରେ ଅଧିନାୟକ ଶୃଙ୍ଖଳିତ ବୋଲିଂ କରିବାକୁ କହିଥିଲେ । ଲାଇନ୍ ଲେନ୍ଥ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ବଲ୍ ସିମ୍ କରୁଥିଲା । ଯାହାର ଫାଇଦା ସେ ନେଇଥିଲେ । ସଦାବେଳେ ସେ କଠିନ ପରିସ୍ଥିତିରେ ଦାୟିତ୍ୱ ନେବାକୁ ପସନ୍ଦ କରନ୍ତି । ଟେଷ୍ଟ୍ କ୍ରିକେଟରେ ପ୍ରଥମ ଥର ୫ଟି ଓ୍ୱିକେଟ୍ ନେବା ବହୁତ ଖାସ । ଏବେବି ଆହୁରି କିଛି କାମ କରିବା ବାକି ରହିଛି ବୋଲି ସେ କହିଛନ୍ତି ।