ମୁମ୍ୱାଇ: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ୍ ମଙ୍ଗଳବାର ଘୋଷଣା ହୋଇଛି । ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରେ ଗାଲେରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୨୩ରେ କୋଲମ୍ୱୋର ହିଂସଲିଜ୍ ସ୍ପୋର୍ଟ୍ସ କ୍ଲବରେ ଖେଳାଯିବ । ଏଥିପାଇଁ ଚୟନକର୍ତ୍ତା ୧୫ ସଦସ୍ୟ ବିଶିଷ୍ଟ ଟିମ୍ ଘୋଷଣା କରିଛନ୍ତି ।

ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଏକ ଦୃଢ଼ ପ୍ରଦର୍ଶନ କରିବାକୁ ଚାହିଁବ । ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ (WTC)ର ଚଳିତ ଚକ୍ରରେ ନିଜର ସ୍ଥିତିକୁ ଉନ୍ନତ କରିବାକୁ ଚେଷ୍ଟା କରିବ । ଏହା ଶୁଭମନ ଗିଲଙ୍କ ପାଇଁ ଅଧିନାୟକ ଭାବରେ ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେବ । ଚୟନକର୍ତ୍ତାମାନେ ଅଭିଜ୍ଞ ଖେଳାଳି ଏବଂ ଯୁବ ପ୍ରତିଭାର ଏକ ସନ୍ତୁଳିତ ଟିମ୍ କରିବାକୁ ପ୍ରୟାସ କରିଛନ୍ତି ।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ଦଳ: ଶୁଭମନ ଗିଲ (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଯଶସ୍ୱୀ ଜସୱାଲ, ରିଷଭ ପନ୍ତ (ୱିକେଟ୍ କିପର), ଦେବଦତ୍ତ ପାଡିକଲ, ସାଇ ସୁଦର୍ଶନ (ଫିଟନେସ୍ କ୍ଲିୟରାନ୍ସ ଅଧୀନରେ), ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଯଶପ୍ରୀତ ବୁମରା (ଫିଟନେସ୍ କ୍ଲିୟରାନ୍ସ ଅଧିନରେ) ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରୁନୁର ବରାର ଏବଂ ସାରାଂଶ ଜୈନ 

ଆହତ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି । ବୁମରା ବର୍ତ୍ତମାନ ଆହତ ଅଛନ୍ତି ଏବଂ ସେ ଫିଟ୍ ହେବା ପରେ ହିଁ ଦଳରେ ଯୋଗ ଦେଇପାରିବେ । ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ବୁମରା ଏବଂ ଜାଡେଜା ଦଳର ସଦସ୍ୟ ନଥିଲେ ।

Also Read:Saransh Jain: ଭାରତୀୟ ଟେଷ୍ଟ ଟିମ୍‌ରେ ୩୩ ବର୍ଷୀୟ ଅଲରାଉଣ୍ଡର, କାହିଁକି ସାରାଂଶ ଜୈନଙ୍କୁ ମିଳିଲା ସୁଯୋଗ ?

ବ୍ୟାଟର ସାଇ ସୁଦର୍ଶନ ମଧ୍ୟ ଅନଫିଟ୍ ହେବା ସତ୍ତ୍ୱେ ଦଳରେ ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି । ସାଇ ସୁଦର୍ଶନଙ୍କ ଉପଲବ୍ଧତା ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ । ସାରାଂଶ ଜୈନ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ଯୋଗ ଦେଇଛନ୍ତି । ୩୩ ବର୍ଷୀୟ ସାରାଂଶ ଜୈନ ଜଣେ ବାମହାତୀ ବ୍ୟାଟର ଏବଂ ଡାହାଣହାତୀ ସ୍ପିନ୍ ବୋଲର । ସାରାଂଶ ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶର ପ୍ରତିନିଧିତ୍ୱ କରନ୍ତି । ୫୪ ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୧୮୮ ୱିକେଟ୍ ନେଇଛନ୍ତି ଏବଂ ୨୨୨୩ ରନ୍ କରିଛନ୍ତି ।