ଚେନ୍ନାଇ: ତାମିଲନାଡୁ ପୋଲିସ ସୁରକ୍ଷା ପ୍ରାପ୍ତ ରାଜନୈତିକ ନେତାଙ୍କ ପ୍ରତି ବିପଦର ଆକଳନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ଅଧ୍ୟକ୍ଷ ଏମ.କେ. ଷ୍ଟାଲିନଙ୍କ ସୁରକ୍ଷା କୋହଳ କରିଛି। ତାଙ୍କୁ ମିଳୁଥିବା ଜେଡ୍ ପ୍ଲସ୍ କ୍ୟାଟଗରୀ ସୁରକ୍ଷାକୁ ହ୍ରାସ କରି ଜେଡ୍ କ୍ୟାଟଗରୀ କରି ଦିଆଯାଇଛି। ଏହି ନିଷ୍ପତ୍ତି ରାଜ୍ୟ ସଚିବାଳୟରେ ଅନୁଷ୍ଠିତ କୋରସେଲ ସିକ୍ୟୁରିଟି ୱିଙ୍ଗର ସମୀକ୍ଷା ପରେ ନିଆଯାଇଛି। ମୁଖ୍ୟ ଶାସନ ସଚିବ ସାଇ କୁମାର, ଗୃହ ସଚିବ କେ. ମଣିଭସନ, ପୋଲିସ ମହାନିର୍ଦ୍ଦେଶକ ମହେଶ କୁମାର ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ଓ ଗୁଇନ୍ଦା ସୂଚନା ସହ ଷ୍ଟାଲିନଙ୍କ ସୁରକ୍ଷା ଆବଶ୍ୟକତା ସମୀକ୍ଷା କରିଥିଲେ।

ନୂଆ ବ୍ୟବସ୍ଥାରେ ଷ୍ଟାଲିନଙ୍କୁ ଭାରି ପୋଲିସ ସୁରକ୍ଷା ଜାରି ରହିବ। ତାଙ୍କ କାରକେଡର ଆଗରେ, ମଝିରେ ଓ ପଛରେ ସୁରକ୍ଷା ଟିମ୍ ମୁତୟନ ରହିବେ। ଏହି ସୁରକ୍ଷା ଘେରରେ ପାଇଲଟ, ଏସ୍କର୍ଟ, ବ୍ୟାକ୍-ଅପ ଓ କ୍ଲୋଜ ପ୍ରୋଟେକ୍ସନ ଗାଡିମାନେ ସାମିଲ ରହିବେ, ଯେଉଁମାନେ ଯାତ୍ରା ଓ ସାର୍ବଜନିକ କାର୍ଯ୍ୟକ୍ରମରେ ଷ୍ଟାଲିନଙ୍କୁ ସୁରକ୍ଷା ଯୋଗାଇ ଦେବେ। ଅଧିକାରୀମାନେ ଏହି ପରିବର୍ତ୍ତନକୁ ସୁରକ୍ଷା ହଟାଇବା ବଦଳେ ମୁତୟନକୁ ତର୍କ ସଙ୍ଗତ କରିବାର ପଦକ୍ଷେପ ବୋଲି କହିଛନ୍ତି। ନୂଆ ସୁରକ୍ଷା ବ୍ୟବସ୍ଥା ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ଯେଉଁ ପର୍ଯ୍ୟନ୍ତ ପରବର୍ତ୍ତି ସମୀକ୍ଷା ନ ହୋଇଛି।

ତାମିଲନାଡୁରେ ଭିଆଇପି ଓ ଭିଭିଆଇପିଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ପ୍ରତି ୬ ମାସରେ ସମୀକ୍ଷା ହୁଏ। ଏହି ପ୍ରକ୍ରିୟାରେ ଗୁଇନ୍ଦା ରିପୋର୍ଟ, ବିପଦର ପ୍ରକୃତି ଓ ତତ୍କାଳୀକତା ସମୀକ୍ଷା କରାଯାଏ। କମିଟି ରିପୋର୍ଟ ଆଧାରରେ ସୁରକ୍ଷା ଶ୍ରେଣୀକୁ କାୟମ ରଖାଯାଏ, ବଢାଯାଏ କିମ୍ବା ହ୍ରାସ କରାଯାଏ। ଏହି ସୁରକ୍ଷା ଶ୍ରେଣୀ ହ୍ରାସ ନିଷ୍ପତ୍ତି ଷ୍ଟାଲିନ ଓ ଡିଏମକେକୁ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ସୋଚନୀୟ ପରାଜୟ ମିଳିବାର କିଛି ମାସ ପରେ ନିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ସୁରକ୍ଷାରେ ପରିବର୍ତ୍ତନ ସମ୍ପୂର୍ଣ୍ଣ ରୂପେ ପେଷାଦାର ବିପଦ ଆକଳନ ଉପରେ ଆଧାରିତ। ଏପରି ସୁରକ୍ଷା ପ୍ରାପ୍ତ ଲୋକଙ୍କ ରାଜ୍ୟସ୍ତରୀୟ ନିୟମିତ ସମୀକ୍ଷାର ଅଂଶବିଶେଷ ଥିଲା। ଏହାର କୌଣସି ରାଜନୈତିକ ସ୍ଥିତି ଅଥବା ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ।