ଢେଙ୍କାନାଳ ୨୭।୩: ଆଉ ନାହାନ୍ତି ପୂର୍ବତନ ସାଂସଦ ତଥା ଦୁଇ ଥରର ବିଧାୟକ ଡ଼ଃ ନାରାୟଣ ସାହୁ । ୮୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ଥିଲେ ।

ସ୍ବର୍ଗତ ଡ଼ଃ ନାରାୟଣ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଗେହ୍ଲେଇକାଟେଣୀ ଗ୍ରାମରେ । ୧୯୭୧ରୁ ୧୯୭୭ ମସିହା ପର୍ଯ୍ୟନ୍ତ ପାଲଲହଡା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରୁ କ୍ରମାଗତ ଭାବେ ଦୁଇ ଥର ବିଧାୟକ ଥିଲେ । ପରେ ଭାରତୀୟ ଜାତୀୟ କଂଗ୍ରେସରୁ ମଧ୍ୟ ୧୯୮୦-୧୯୮୪ ମସିହା ପର୍ଯ୍ୟନ୍ତ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ସ୍ବର୍ଗତ ଡ଼ଃ ନାରାୟଣ ସାହୁଙ୍କ ଜଣେ ଲୋକ ପ୍ରତିନିଧି ଭାବେ ଉଭୟ ପାଲଲହଡ଼ା ବିଧାନସଭା ଓ ଦେବଗଡ଼ ଲୋକସଭା ନିର୍ବାସିଗଣ ମଣ୍ଡଳୀରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତେବେ ତାଙ୍କର ପାଠ ପଢ଼ିବାର ନିଶା ତାଙ୍କୁ ଘାରିଥିଲା । ଫଳରେ ସେ ୧୯୮୪ ମସିହାରେ ରାଜନୀତିରୁ ସନ୍ନ୍ୟାସ ନେବା ପରେ ପୁଣି ଥରେ ଛାତ୍ର ଜୀବନକୁ ଫେରିଥିଲେ । ଆଉ ୮୧ ବର୍ଷ ବୟସରେ ସେ ୨୦୦୯ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ପିଜି ଏବଂ ୮୧ ବର୍ଷ ବୟସରେ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ୍ ଲାଭ କରିଥିଲେ । ଏପରିକି ସେ ଅନେକ ବହି ଓ ଉପନ୍ୟାସ ମଧ୍ୟ ଲେଖିଛନ୍ତି ।

Also Read:- Army Chief: ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି

ସ୍ୱର୍ଗତ ଡ଼ଃ ନାରାୟଣ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲା ବର୍ତ୍ତମାନର ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ସେତେବେଳେ ପାଲଲହଡ଼ା ବିଧାନସଭା ଓ ଦେବଗଡ଼ ଲୋକସଭା ମଣ୍ଡଳୀ ଅଧୀନରେ ରହିଥିଲା । ତାଙ୍କର ତାଙ୍କର ୪ ଝିଅ ଓ ୨ ପୁଅ ରହିଛନ୍ତି । ଗତ ୪ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଅପରାହ୍ନ ୧୨ଟା ୨୩ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।