ନୂଆଦିଲ୍ଲୀ: ତାମିଲନାଡ଼ୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ଅନବିଲ୍ ମହେଶ ପୋୟାମୋଝିଙ୍କୁ ଗିରଫ କରାଯାଇଛି । ୧୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚେନ୍ନାଇ ପୋଲିସର କେନ୍ଦ୍ରୀୟ ଅପରାଧ ଶାଖା ଏହି ଗରିଫଦାରୀ କରିଛି । ସରକାରୀ ମଞ୍ଜୁରି ପ୍ରଦାନ ପ୍ରତିଶ୍ରୁତି ଦେଇ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଟଙ୍କା ନେବା ଅଭିଯୋଗର ତଦନ୍ତ ପରେ ଏହି ଗିରଫଦାରୀ ହୋଇଛି । ୧୭୭ଟି ସ୍କୁଲ ଠାରୁ ଏହିପରି ଟଙ୍କା ନିଆଯାଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ।

ଡିଜିଟାଲ୍ ଡିଭାଇସରୁ ମିଳିଥିବା ସାମଗ୍ରୀ ଏବଂ ପଚରାଉଚରା ସମୟରେ ରେକର୍ଡ କରାଯାଇଥିବା ବୟାନ ଆଧାରରେ ଡିଏମକେ ନେତା ମହେଶଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ପରେ ପୋଲିସ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ଲାଗୁ କରିଥିଲା । ସେପଟେ ପୂର୍ବତନ ମନ୍ତ୍ରୀ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ବିରୋଧରେ ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି ।

ସେପଟେ ବିରୋଧୀ ଡିଏମକେ ଶାସକ ଟିଭିକେ ସରକାର ଉପରେ ରାଜନୈତିକ ବିରୋଧୀମାନଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛି । ବିରୋଧୀମାନଙ୍କୁ ଟାର୍ଗେଟ୍ କରିବା ପାଇଁ ଶାସକ ଦଳ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ।

ସୋମବାର ମାଡ୍ରାସ ହାଇକୋର୍ଟ ମହେଶଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ଏହି ଗିରଫଦାରୀ ହୋଇଛି । ଜଷ୍ଟିସ ଭି.ଲକ୍ଷ୍ମୀନାରାୟଣ ପୂର୍ବତନ ମନ୍ତ୍ରୀଙ୍କ ଗିରଫଦାରୀ ବିରୁଦ୍ଧରେ ଅନ୍ତରୀଣ ସୁରକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି । ମହେଶ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ ପୃଥକ ଭାବରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ତାମିଲନାଡୁର ଘରୋଇ ବିଦ୍ୟାଳୟ ସଂଘର ସମ୍ପାଦକ ଡିସି ଏଲାଙ୍ଗୋଭାନଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା । ଏଲାଙ୍ଗୋଭାନ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପଞ୍ଜିକୃତ ନ ଥିବା ସଂଗଠନ ତାମିଲନାଡୁ ଘରୋଇ ବିଦ୍ୟାଳୟ ସଂଘର ପ୍ରତିଷ୍ଠାତା-ସଭାପତି ଏବଂ କୋଷାଧ୍ୟକ୍ଷ ଦାବି କରୁଥିବା ବିଟି ଆରାସକୁମାର ଏବଂ ମୁଥୁକୁମାର ୧୦୦ କୋଟି ଟଙ୍କାରୁ ଅଧିକ ଆଦାୟ କରିଛନ୍ତି । ଅଭିଯୁକ୍ତମାନେ ସରକାରଙ୍କଠାରୁ ସ୍ଥାୟୀ ସ୍ୱୀକୃତି, ସ୍କୁଲଗୁଡ଼ିକର ଉନ୍ନତିକରଣ ପାଇଁ ଅନୁମୋଦନ ଏବଂ ଅନ୍ୟାନ୍ୟ ବୈଧାନିକ ଅନୁମତି ପାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ସେତେବେଳେ କ୍ଷମତାରେ ଥିବା ଡିଏମକେ ପାଇଁ "ପାର୍ଟି ଫଣ୍ଡ" ନାଁରେ ଏହି ଟଙ୍କା ସଂଗ୍ରହ କରାଯାଇଥିଲା । କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ ହୋଇ ନଥିଲା କି ଟଙ୍କା ମଧ୍ୟ ଫେରସ୍ତ ହୋଇ ନଥିଲା ।