ନୂଆଦିଲ୍ଲୀ: ଭାରତ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇ ରାଷ୍ଟ୍ରପତ ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ସୁପ୍ରିମକୋର୍ଟ କଲେଜିୟମର କାର୍ଯ୍ୟପ୍ରଣାଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କେଲଜିୟମର ଗତ କିଛି ସୁପାରିଶରେ କେବଳ ଗୋଟିଏ ସମୁଦାୟକୁ ଗୁରୁତ୍ୱ ଦିଆଯାଉଛି । ସେ ଦାବି କରିଛନ୍ତି ଯେ ଏହାଦ୍ୱାରା ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ମହିଳା ଏବଂ ଅନ୍ୟ ଯୋଗ୍ୟ ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଉଛି । ଏହି ଚିଠିର କପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ମଧ୍ୟ ପଠାଇଛନ୍ତି ।

ଜଷ୍ଟିସ୍ ଗଭାଇ ରାଷ୍ଟ୍ରପତିଙ୍କୁ କଲେଜିୟମର ସଦ୍ୟତମ ସୁପାରିଶରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଏଥିପାଇଁ ସେ ସଂସଦରେ ଉପସ୍ଥାପିତ ପରିସଂଖ୍ୟାନ ଉଲ୍ଲେଖ କରିଛନ୍ତି । ଚିଠିରେ ସେ କହିଛନ୍ତି, ୨୦୧୮ରୁ ଆଜି ଯାଏଁ ଦେଶର ବିଭିନ୍ନ ହାଇକୋର୍ଟରେ ନିଯୁକ୍ତ କରାଯାଇଥିବା ମୋଟ ୭୧୫ ଜଜଙ୍କ ମଧ୍ୟରୁ କେବଳ ୨୨ ଏସସି, ୧୬ ଏସଟି, ୮୯ ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ୩୭ ସଂଖ୍ୟାଲଘୁ ସମୁଦାୟରୁ ଅଛନ୍ତି ।

ସେ କହିଛନ୍ତି ଯେ ୨୦୨୧ରୁ ୨୦୨୬ ଜାନୁଆରୀ ମଧ୍ୟରେ ହୋଇଥିବା ନିଯୁକ୍ତିର ପ୍ରାୟ ୮୦ ପ୍ରତିଶତ ପଦ ସମାନ୍ୟ ବର୍ଗର ଖାତାକୁ ଯାଇଛି, ଅନ୍ୟପଟେ ଓବିସି ବର୍ଗକୁ ୧୪ ପ୍ରତିଶତରୁ ବି କମ ପ୍ରତିନିଧିତ୍ୱ ମିଳିଛି । ଜଷ୍ଟିସ୍ ଗଭାଇ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଦେଶର ମୋଟ ଜନସଂଖ୍ୟାର ପାଞ୍ଚ ପ୍ରତିଶତରୁ ବି କମ୍ ଅଂଶ ଥିବା ଏକ ବିଶେଷ ସମୁଦାୟର ସୁପ୍ରିମକୋର୍ଟର ୪୦ ପ୍ରତିଶତରୁ ଅଧିକ ଆସନରେ କବଜା ରହିଛି ।

ଜଷ୍ଟିସ୍ ଗଭାଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଚିଠିରେ ସେ ଲେଖିଛନ୍ତି ଯେ ପୂର୍ବରୁ ଏକ ଛୋଟ ହାଇକୋର୍ଟକୁ ବଦଳି ହୋଇଥିବା ଜଣେ ମୁଖ୍ୟ ବିଚାରପତିଙ୍କୁ ଏବେ ଏକ ବଡ଼, ଅଧିକ ପ୍ରମୁଖ ହାଇକୋର୍ଟ ପାଇଁ ସୁପାରିଶ କରାଯାଉଛି । ସେ ଯୁକ୍ତି ଦେଇଛନ୍ତି ଯେ ଅନ୍ୟ କାହାକୁ ସ୍ଥାନ ଦେବା ପାଇଁ ଜଣେ ଦକ୍ଷ ମୁଖ୍ୟ ବିଚାରପତିଙ୍କୁ ବଦଳି କରାଯାଇଛି । ପୂର୍ବତନ ମୁଖ୍ୟ ବିଚାରପତି ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ ସେ ନିଜେ ଏହି ନିଷ୍ପତ୍ତି ନେଇଥିବା କଲେଜିୟମର ଅଂଶ ଥିଲେ । ସେ କହିଛନ୍ତି ଯେ ଏହି ବିଫଳତା ପାଇଁ କିଛି ଦାୟିତ୍ୱ ଆମ ସମସ୍ତଙ୍କର, କିନ୍ତୁ ସାମ୍ବିଧାନିକ ନୈତିକତାକୁ ଉଦ୍ଧୃତ କରି, ଏହା ପଛରେ ଥିବା କାରଣ ପ୍ରକାଶ କରିବାକୁ ସେ ମନା କରିଦେଇଛନ୍ତି ।