ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏସ୍.ୱାଇ.କ୍ୟୁରେସି କହିଛନ୍ତି ଯେ ଡ.ମନମୋହନ ସିଂହ ନିର୍ବାଚନ ଆୟୋଗଙ୍କୁ ଗଭୀର ସମ୍ମାନ କରୁଥିଲେ। କ୍ୟୁରେସି ଏକ ଘଟଣାକୁ ମନେ ପକାଇ କହିଛନ୍ତି ଯେ ଦେଶରେ ୟୁପିଏ ସରକାର କାଳରେ ଯେବେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀମାନଙ୍କ ଫାଲତୁ ବୟାନବାଜୀ ସମ୍ପର୍କରେ ସୂଚିତ କରାଗଲା ସେତେବେଳେ ମନମୋହନ ସିଂହ କହିଥିଲେ ଯେ ‘ଯଦି ଆପଣ ଏମିତି ଭାବୁଛନ୍ତି, ମୁଁ ଆତ୍ମହତ୍ୟା କରିଦେବି’। କ୍ୟୁରେସି ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ‘ଏହା ଶୁଣି ମୁଁ ହତବାକ ହୋଇ ପଡିଥିଲି, କାରଣ ଏପରି ଶୁଣିବାକୁ ମୁଁ ପ୍ରସ୍ତୁତ ନଥିଲି’। ମନମୋହନ ସିଂହଙ୍କୁ ଶାନ୍ତ କରିବାକୁ ପାଖାପାଖି ୧୫-୨୦ ମିନିଟ୍ ଲାଗି ଯାଇଥିଲା। କ୍ୟୁରେସି କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଉପରେ କୌଣସି ଅଭିଯୋଗ ମନମୋହନ ସିଂହଙ୍କୁ ସ୍ୱୀକାର ନଥିଲା।

୨୦୧୨ ବିଧାନସଭା ନିର୍ବାଚନ ଘଟଣା
ଏହି ଘଟଣାଟି ୨୦୧୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ କାଳର। ନିର୍ବାଚନ ଆୟୋଗ ତତ୍କାଳୀନ କେନ୍ଦ୍ରୀୟ ଆଇନ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସଲମାନ ଖୁର୍ସିଦଙ୍କୁ ତାଙ୍କ ଟିପ୍ପଣୀ ପାଇଁ ଚେତାବନୀ ଦେଇଥିଲେ। କ୍ୟୁରେସି କହିଛନ୍ତି ଯେ ସେତେବେଳେ ଖୁର୍ସିଦ କହିଥିଲେ ଯେ ଯଦି ତାଙ୍କ ପାର୍ଟି ସରକାର ଗଢେ ତେବେ ସଂଖ୍ୟାଲଘୁଙ୍କ ସଂରକ୍ଷଣ କୋଟା ବଢାଇ ଦିଆଯିବ। ଏ ନେଇ ବିଜେପି ତୁରନ୍ତ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଆଣିଥିଲା। ନିର୍ବାଚନ ଆୟୋଗ ଏହାକୁ ଗୁରୁତର ସହ ଗ୍ରହଣ କରିଥିଲେ ଖୁର୍ସିଦଙ୍କୁ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନର ଦୋଷୀ କରିଥିଲେ। ଏହା ପରେ କିଛି କଂଗ୍ରେସ ନେତା ନିର୍ବାଚନ ଆୟୋଗ ଓ କ୍ୟୁରେସିଙ୍କ ବିରୋଧରେ ଅନର୍ଗଳ କହିବା ଆରମ୍ଭ କରିଦେଇଥିଲେ।

ହରିଶ ଖରେଙ୍କ ସହ ହୋଇଥିଲା ବାର୍ତ୍ତା
କ୍ୟୁରେସି ହରିଶ ଖରେଙ୍କ ସହ ସେତେବେଳେ ତାଙ୍କ କଥାବାର୍ତ୍ତା ମନେ ପକାଇଛନ୍ତି। ହରିଶ ଖରେ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ଥିଲେ। କ୍ୟୁରେସି କହିଛନ୍ତି ଯେ ଥରେ ଯେତେବେଳେ ଖରେଙ୍କୁ ସେ ଭେଟିଲେ କହିଥିରେ ‘ଏପରି ଦାୟିତ୍ୱହୀନ କଥାକୁ ବରଦାସ୍ତ କରାଯାଇ ପାରିବନି’। କ୍ୟୁରେସି ଖରେଙ୍କୁ କହିଥିଲେ ଯଦି ଏହି କଥା ଗଣମାଧ୍ୟମରେ ଆସେ, ସରକାରଙ୍କ ଲାଗି ସମସ୍ୟା ହୋଇପାରେ। ଏଥିରେ ଖରେ ପଚାରିଥିଲେ ଏ କଥା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ପଡିବ? କ୍ୟୁରେସି କହିଥିଲେ ଯେ ଏ କଥା ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ। ତା ପରଦିନ କ୍ୟୁରେସିଙ୍କୁ ମନମୋହନ ସିଂହଙ୍କ ଫୋନ ଆସିଥିଲା। କ୍ୟୁରେସି ଏ କଥା ତାଙ୍କ ରଚିତ ପୁସ୍ତକ ‘ଇଣ୍ଡିଆ ଆଣ୍ଡ ଆଇ: ଏ ହଣ୍ଡ୍ରେଡ ମେମୋରିଜ, ନଟ ମେମୋର’ରେ ଉଲ୍ଲେଖ କରିଛନ୍ତି।