ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ସମାନତାକୁ ପ୍ରୋତ୍ସାହିତ କରିବା ସମ୍ବନ୍ଧୀୟ ନୂତନ ନିୟମଗୁଡ଼ିକୁ ନେଇ କେନ୍ଦ୍ର ସରକାର ପୁନର୍ବାର ବିଚାର କରୁଛନ୍ତି । ଏହି ନିୟମଗୁଡ଼ିକ ସମୀକ୍ଷା ପାଇଁ ଏକ କମିଟି ଗଠନ କରିବା ଉପରେ ବିଚାର କରାଯାଉଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଣାଇଛନ୍ତି । ସରକାରଙ୍କ କହିବା କଥା ଯେ ନିୟମଗୁଡ଼ିକୁ ଏପରି ତିଆରି କରାଯିବା ଦରକାର, ଯାହାକୁ ନେଇ କୌଣସି ବି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ କିମ୍ୱା ଆଶଙ୍କା ନ ରହିବା ଦରକାର । ସୁପ୍ରିମକୋର୍ଟଙ୍କୁ ସରକାର ଏହି ନିୟମଗୁଡ଼ିକର ସମୀକ୍ଷା ପାଇଁ ଏକ କମିଟି ଗଠନ କରିବା କଥା କହିଛନ୍ତି । ବର୍ତ୍ତମାନ ଏହି ନିୟମଗୁଡ଼ିକ ଉପରେ ରୋକ୍ ଜାରି ରହିଛି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଚାରି ସପ୍ତାହ ପରେ ହେବ ।

ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚନା ଦେଇଥିଲେ ଯେ ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ସେ କହିଥିଲେ ଯେ ସରକାର ପ୍ରତ୍ୟେକ ଛାତ୍ରଙ୍କ ସ୍ୱାର୍ଥକୁ ଏବଂ ଯୁବପିଢ଼ିର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ଚାହାନ୍ତି । ପ୍ରଧାନ ବିଚାରପତି ଟିପ୍ପଣୀ ଦେଇଥିଲେ ଯେ ସମସ୍ତ ଛାତ୍ରଙ୍କ ସ୍ୱାର୍ଥ ଜରୁରି । ଶୁଣାଣି ଚାରି ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି ।

ୟୁଜିସି ଜାନୁଆରୀ ୨୦୨୬ରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ, ୨୦୨୬କୁ ଅଧିସୂଚିତ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଜାତିଭିତ୍ତିକ ବୈଷମ୍ୟ ଏବଂ ଅସମାନତା ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା । ଏହି ନିୟମାବଳୀ ୨୦୧୨ର ପୁରୁଣା ସମାନତା ନିୟମାବଳୀର ସ୍ଥାନ ନେଇଥିଲା । ନୂତନ ନିୟମାବଳୀରେ ଜାତିଭିତ୍ତିକ ବୈଷମର ପରିଭାଷାକୁ ନେଇ ବିବାଦ ଉପୁଜିଥିଲା ।

ନିୟମ ୩(୧)(ସି) ଅନୁଯାୟୀ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ସଦସ୍ୟଙ୍କ ପ୍ରତି ଅନୁଚିତ ବ୍ୟବହାରକୁ ଜାତିଭିତ୍ତିକ ବୈଷମ୍ୟ ଭାବରେ ପରିଭାଷିତ କରାଯାଇଥିଲା । ନିୟମକୁ ବିରୋଧ କରୁଥିବା ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ ନିୟମରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପର୍ଯ୍ୟାପ୍ତ ଭାବରେ ସୁରକ୍ଷା ନାହିଁ । ସେମାନେ ଯୁକ୍ତି ଦେଇଥିଲେ ଯେ ନିୟମର ପରିଭାଷା ଏବଂ ବ୍ୟବସ୍ଥାଗୁଡ଼ିକ ଏକପାଖିଆ ହୋଇପାରେ ଏବଂ ସଂରକ୍ଷିତ ବର୍ଗ ବାହାରେ ଥିବା ଛାତ୍ରଛାତ୍ରୀମାନଙ୍କ ପ୍ରତି ବୈଷମ୍ୟ ସୃଷ୍ଟି କରିପାରେ । ଅନ୍ୟପଟେ ନିୟମର ସମର୍ଥକମାନେ ଯୁକ୍ତି ଦେଇଥିଲେ ଯେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଭିତ୍ତିକ ବୈଷମ୍ୟକୁ ରୋକିବା ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ।

ଜାନୁଆରୀରେ ସ୍ଥଗିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଜାନୁଆରୀ ୨୦୨୬ରେ ନୂତନ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରିଥିଲେ । କୋର୍ଟ ନିୟମାବଳୀର ଭାଷା ଅସ୍ପଷ୍ଟ ଏବଂ ଅପବ୍ୟବହାରର ସମ୍ଭାବନା ଥିବା ପାଇଥିଲେ । ପରବର୍ତ୍ତୀ ସମୟରେ, ସୁପ୍ରିମକୋର୍ଟ ୨୦୨୬ ଏହା ଉପରେ ସ୍ଥଗିତା ଦେଶ ଜାରି କରିଥିଲେ । ଏକ ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ ଭାବରେ ପୁରୁଣା ୨୦୧୨ ନିୟମାବଳୀ କାର୍ଯ୍ୟକାରୀ ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାର ଅର୍ଥ ହେଉଛି ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନତା ଏବଂ ଭେଦଭାବ ସହିତ ଜଡିତ ବିଷୟଗୁଡ଼ିକ ପାଇଁ ୨୦୧୨ ନିୟାମକ ଢାଞ୍ଚା କାର୍ଯ୍ୟକାରୀ ରହିବ ।

କେନ୍ଦ୍ର ସରକାର ଅଗଷ୍ଟରେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଜଣାଇଥିଲେ ଯେ ନୂତନ ନିୟମଗୁଡ଼ିକର ପୁନର୍ବିଚାର କରାଯାଉଛି । ଆଜିର ଶୁଣାଣି ସମୟରେ ସରକାର ସେଗୁଡ଼ିକୁ ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରିବା ନେଇ ତାଙ୍କ ଯୋଜନା ସ୍ପଷ୍ଟ କରିଛନ୍ତି ।