ଭୁବନେଶ୍ୱର ୦୫।୧୧ : ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତା ଦାବି । କେନ୍ଦ୍ରୀୟ ଟିମ୍ ଆଗରେ ୨ ହଜାର ୫୨୬ କୋଟି ଟଙ୍କାର କ୍ଷୟକ୍ଷତି ସହାୟତା ଦାବି ରଖିଛି ରାଜ୍ୟ ସରକାର । ଗଞ୍ଜାମ, ଗଜପତି ଓ କନ୍ଧମାଳର ପ୍ରାଥମିକ କ୍ଷୟକ୍ଷତି ଆକଳନ ଆଧାରରେ ଏହି ଦାବି ରଖାଯାଇଛି । କେବଳ କ୍ଷୟକ୍ଷତି ଭରଣା ନୁହେଁ, ତିନି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସ୍ଥାୟୀ ମୁକାବିଲା ପାଇଁ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ମଧ୍ୟ ଦାବି କରିଛି ଓଡ଼ିଶା । ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରାଯିବ । କେନ୍ଦ୍ରୀୟ ଟିମର ସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଏସ୍ଆରସି ରାଜେଶ ପ୍ରଭାକର ପାଟିଲ । 

ସେ ଆହୁରି ମଧ୍ୟ କହିଛନ୍ତି  ବାତ୍ୟା ଓ ବନ୍ୟାରେ ଛାରଖାର ହୋଇଛି ଗଞ୍ଜାମ, ଗଜପତି ଓ କନ୍ଧମାଳ । ଅନେକ ଅଞ୍ଚଳରେ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଓ ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷୟକ୍ଷତିର ଭରଣା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ପାଇଁ କେନ୍ଦ୍ରୀୟ ସହାୟତା ଲୋଡ଼ିଛି ଓଡ଼ିଶା । ତିନି ଜିଲ୍ଲାର ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁସାରେ କେନ୍ଦ୍ରୀୟ କମିଟି ଆଗରେ ୨ ହଜାର ୫୨୬ କୋଟି ଟଙ୍କାର ସହାୟତା ଦାବି ରଖାଯାଇଛି । ଏଥିରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ଆଧାର କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଦାବି କେବଳ ତତ୍କାଳୀନ କ୍ଷୟକ୍ଷତି ଭରଣାରେ ସୀମିତ ନାହିଁ । ଭବିଷ୍ୟତରେ ଏଭଳି ବାତ୍ୟା ଓ ବନ୍ୟାର ପ୍ରଭାବକୁ କମାଇବା ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ମଧ୍ୟ ମାଗିଛି ରାଜ୍ୟ ।

Also Read:-History of Tulasi Kshetra : ଗୋଟିଏ ଗାଈର କ୍ଷୀରଧାରାରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଆବିର୍ଭାବ, ହେଲେ କାହିଁକି ଝରିଥିଲା ରକ୍ତ ?

ଅନ୍ୟପଟେ କେନ୍ଦ୍ରୀୟ ଟିମର ଓଡ଼ିଶା ଗସ୍ତ ଏବଂ କ୍ଷୟକ୍ଷତି ଅନୁଧ୍ୟାନ ପ୍ରକ୍ରିୟା ଶେଷ ହୋଇଛି । ଆଠ ଜଣିଆ କେନ୍ଦ୍ରୀୟ କମିଟି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ବୈଠକ କରିଥିଲେ କେନ୍ଦ୍ରୀୟ ଟିମ୍ । ଏହି ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି କ୍ଷୟକ୍ଷତି ଓ ଆବଶ୍ୟକ ସହାୟତା ସମ୍ପର୍କରେ ତଥ୍ୟ ରଖିଥିଲେ ।

ସ୍ଥିତି ଅନୁଧ୍ୟାନ ସମୟରେ ପ୍ରାଥମିକ ରିପୋର୍ଟ ତୁଳନାରେ ଅଧିକ କ୍ଷୟକ୍ଷତି ହୋଇଥିବା କେନ୍ଦ୍ରୀୟ ଟିମ୍ ଅନୁଭବ କରିଥିବା ଏସ୍ଆର୍ସି ସୂଚନା ଦେଇଛନ୍ତି । ତେଣୁ ବିଭିନ୍ନ ବିଭାଗରୁ ଚୂଡ଼ାନ୍ତ ତଥ୍ୟ ସଂଗ୍ରହ କରାଯାଉଛି । ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହେବ । ଏହାପରେ ରାଜ୍ୟ ସରକାର ଆନୁଷ୍ଠାନିକ ଭାବେ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ । ଏବେ ରାଜ୍ୟର ନଜର କେନ୍ଦ୍ରୀୟ ସହାୟତା ଉପରେ । ୨୫୨୬ କୋଟିର କ୍ଷୟକ୍ଷତି ସହାୟତା ଏବଂ ୧୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି ଉପରେ କେନ୍ଦ୍ର ସରକାର କି ନିଷ୍ପତ୍ତି ନେଉଛନ୍ତି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ।