• ସାକାହାରୀ ବ୍ୟଞ୍ଜନ ରନ୍ଧନ ବାବଦ ମୂଲ୍ୟ ବୃଦ୍ଧି ଯୋଗୁ ଏପରି ପରିସ୍ଥିତି ଉପୁଜିଛି
  • ମୁଖ୍ୟ ରୂପେ ପିଆଜ, ଖାଇବା ତେଲ, ରୋଷେଇ ଗ୍ୟାସ୍ ଓ ଚିକେନ ମୂଲ୍ୟ ବୃଦ୍ଧି ଘର ରନ୍ଧା ରୋଷେଇ ଖର୍ଚ୍ଚ ବୃଦ୍ଧି କରିଛି\
  • ମାସିକ ଆଧାରରେ ଜୁଲାଇରେ ଥାଳି ଦର ଜୁନ ତୁଳନାରେ ୨ ପ୍ରତିଶତ ବଢିଛି।

ମୁମ୍ବାଇ: ଘରେ ଭୋଜନ ପାଇଁ ରନ୍ଧା ହେଉଥିବା ଖାଦ୍ୟ ବାବଦ ବ୍ୟୟ ଜୁଲାଇ ମାସରେ ଢେର ବଢି ଯାଇଛି। ବାର୍ଷିକ ଆଧାରରେ ଦେଖିଲେ ଏହି ସମୟରେ ସାକାହାରୀ ଥାଳି ମୂଲ୍ୟରେ ପାଖାପାଖି ୪% ବୃଦ୍ଧି ହୋଇଛି। ଏହି ସମୟରେ ଆମିଷ ଭୋଜନ ଥାଳି ପାଖାପାଖି ୯% ମହଙ୍ଗା ହୋଇଛି। ମୁଖ୍ୟ ରୂପେ ପିଆଜ, ଖାଇବା ତେଲ, ରୋଷେଇ ଗ୍ୟାସ୍ ଓ ଚିକେନ ମୂଲ୍ୟ ବୃଦ୍ଧି ଘର ରନ୍ଧା ରୋଷେଇ ଖର୍ଚ୍ଚ ବୃଦ୍ଧି କରିଛି। କ୍ରିସିଲ ଇଣ୍ଟେଲିଜେନ୍ସୀ ଦ୍ୱାରା ଶୁକ୍ରବାର ଜାରି ରିପୋର୍ଟରୁ ଏହା ଜଣାପଡିଛି।

ଜୁଲାଇ ମାସରେ ସାକାହାରୀ ବ୍ୟଞ୍ଜନ ରନ୍ଧନ ବାବଦ ମୂଲ୍ୟ ବୃଦ୍ଧି ଯୋଗୁ ଏପରି ପରିସ୍ଥିତି ଉପୁଜିଛି। ବାର୍ଷିକ ଆଧାରରେ ପିଆଜ ମୂଲ୍ୟରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଖାଇବା ତେଲ ଓ ରୋଷେଇ ଗ୍ୟାସ୍ ମୂଲ୍ୟରେ ଯଥାକ୍ରମେ ୧୧ ଓ ୧୦ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି। ଆମିଷ ଥାଳି ମାମଲାରେ ରନ୍ଧନ ଗ୍ୟାସ୍ ଓ ଚିକେନ ମୂଲ୍ୟ ବୃଦ୍ଧି ଥାଳିକୁ ମହଙ୍ଗା କରିଛି। ଚିକେନ ମୂଲ୍ୟରେ ଏହି ସମୟରେ ପାଖାପାଖି ୧୪% ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ ପିଆଜ ମୂଲ୍ୟ ଉଚ୍ଚସ୍ତରକୁ ଛୁଇଁଥିଲା। କାରଣ ବଜାରକୁ ପୁରୁଣା ଷ୍ଟକ୍ ମହଙ୍ଗା ପିଆଜ ଆସିଥିଲା।

ଏହା ଛଡା ମାର୍ଚ୍ଚ ଓ ଏପ୍ରିଲ ମାସରେ ମହାରାଷ୍ଟ୍ରରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ ଫସଲ ଓ ଷ୍ଟୋରେଜ ପ୍ରଭାବିତ ହୋଇଥିଲା। ଏଣୁ ଯୋଗାଣ ଉପରେ ପ୍ରଭାବ ପଡିଥିଲା। ତେବେ ଆଳୁ ଓ ଟମାଟର ଦର ହ୍ରାସ ପରିସ୍ଥିତିକୁ ଅନେକାଂଶରେ ନିୟନ୍ତ୍ରିତ କରିଛି। ଆଳୁ ଦର ବାର୍ଷିକ ଆଧାରରେ ୧୨% ଓ ଟମାଟର ଦାମ ୨ ପ୍ରତିଶତ ହ୍ରାସ ହୋଇଛି। ଅଧିକ ଜମିରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି ଯୋଗୁ ଦର ନିୟନ୍ତ୍ରିତ ରହିଛି। ସେହିପରି ଟମାଟର ବିଳମ୍ବରେ ରୋପଣ ଓ ଜୁଲାଇରେ ଅଧିକ ଅମଳ ଦର ସ୍ଥିର ରଖିଛି।

ମାସିକ ଆଧାରରେ ଜୁଲାଇରେ ଥାଳି ଦର ଜୁନ ତୁଳନାରେ ୨ ପ୍ରତିଶତ ବଢିଛି। ଏହାର ମୁଖ୍ୟ କାରଣ ହେଉଛି ପିଆଜର ଦର ୨୩ ପ୍ରତିଶତ ପର୍ଯ୍ୟନ୍ତ ବଢିଯିବା ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏହି ସମୟରେ ଆମିଷ ଥାଳି ଦର ଜୁନ ମାସ ଅନୁସାରେ ପାଖାପାଖି ସ୍ଥିର ରହିଛି। କାରଣ ବ୍ରାୟଲର ଟିକେନ ଦରରେ ଆନୁମାନିକ ୨ ପ୍ରତିଶତ ହ୍ରାସ ଅନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ସନ୍ତୁଳିତ କରିଛି।