ନୂଆଦିଲ୍ଲୀ: ନେପାଳରେ ପ୍ରବଳ ବନ୍ୟା ଏବଂ ଭୂସ୍ଖଳନ ପରେ ନଦୀ ମାଧ୍ୟମରେ ବିହାରକୁ ପାଣି ସହ ଅଜଣା ପ୍ରଜାତିର ମାଛ ଭାସି ଆସୁଛନ୍ତି। ଏହି ମାଛ ଖାଇ କିଛି ଲୋକ ଅସୁସ୍ଥ ହୋଇପଡ଼ିବା ପରେ ବିହାର ସରକାରଙ୍କ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ କଡ଼ା ଚେତାବନୀ ଜାରି କରାଯାଇଛି।

ବନ୍ୟା ଜଳରେ ବର୍ଜ୍ୟବସ୍ତୁ, ମୃତ ଜୀବଜନ୍ତୁ ଓ ପ୍ରଦୂଷିତ ନାଳର ପାଣି ମିଶିଥିବାରୁ ଏହି ମାଛଗୁଡ଼ିକ ସଂକ୍ରାମକ ଜୀବାଣୁ ଦ୍ୱାରା ଦୂଷିତ। ତେଣୁ ସ୍ଥିତି ସାଧାରଣ ହେବା ଯାଏଁ ବନ୍ୟା ପାଣିରୁ ମାଛ ଧରିବା, ବିକ୍ରି କରିବା କିମ୍ବା ଖାଇବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସରକାର ଚେତାବନୀ ଦେଇଛନ୍ତି ଯେ, ଅଜଣା କିମ୍ବା ଅସାଧାରଣ ଦିଶୁଥିବା ମାଛ ଆଦୌ ଖାଆନ୍ତୁ ନାହିଁ । ବନ୍ୟା ପାଣିରୁ ଧରାଯାଇଥିବା ମାଛ ବିକ୍ରି କିମ୍ବା କ୍ରୟ କରନ୍ତୁ ନାହିଁ। ମାଛ ଖାଇବା ପରେ ବାନ୍ତି, ଝାଡ଼ା, ପେଟ ବିନ୍ଧା, ମୁଣ୍ଡ ବୁଲାଇବା କିମ୍ବା ନିଶ୍ୱାସ ନେବାରେ କଷ୍ଟ ହେଲେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ। କୌଣସି ଅଜଣା ମାଛ ଦେଖିଲେ ସ୍ଥାନୀୟ ମତ୍ସ୍ୟ ଅଧିକାରୀଙ୍କୁ ଜଣାନ୍ତୁ।

ନେପାଳରୁ ଭାସି ଆସୁଥିବା ବନ୍ୟା ଜଳରେ କେବଳ ମାଛ ନୁହେଁ, ବରଂ ନଷ୍ଟ ହୋଇଥିବା ବ୍ରିଜ୍, ଜଳବିଦ୍ୟୁତ୍ ପ୍ରକଳ୍ପର ଭଙ୍ଗା ଅଂଶ, ଘରୋଇ ସାମଗ୍ରୀ, ଭାସମାନ ଗାଡ଼ି, ଗ୍ୟାସ୍ ସିଲିଣ୍ଡର ଏବଂ ମଣିଷ ଓ ପଶୁଙ୍କ ମୃତଦେହ ଭାସି ଆସୁଛି। ଫଳରେ ଏହି ପାଣି ଦ୍ବାରା ଜଳବାହିତ ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଝାଡ଼ା, ହଇଜା, ଟାଇଫଏଡ୍, ଏବଂ ହେପାଟାଇଟିସ୍-A ଓ E ବ୍ୟାପିବାର ବଡ଼ ବିପଦ ରହିଛି। ସେହିଭଳି ଜମି ରହିଥିବା ପାଣି ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ଓ ଚିକୁନଗୁନିଆ ବୃଦ୍ଧି ପାଇପାରେ। ଦୂଷିତ ପାଣି ସଂସ୍ପର୍ଶରେ ଆସିଲେ ତ୍ୱଚା ଓ ଆଖି ରୋଗ ହୋଇପାରେ।

ନେପାଳ ସୀମାନ୍ତ ବିହାରର ୭ଟି ଜିଲ୍ଲାରେ ( ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ସୀତାମଢ଼ୀ, କିଶନଗଞ୍ଜ, ପୂର୍ଣ୍ଣିଆ ଓ ଅରରିଆ) ଭୂତଳ ଜଳରେ ପୂର୍ବରୁ ଆର୍ସେନିକ୍ (Arsenic) ଏବଂ ଆଇରନର ପରିମାଣ ସୁରକ୍ଷିତ ସୀମାଠାରୁ ଅଧିକ ଥିଲା। ଏବେ ବନ୍ୟା ପାଣି ଏହି ଜଳଉତ୍ସଗୁଡ଼ିକୁ ଅଧିକ ପ୍ରଦୂଷିତ କରୁଥିବାରୁ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଚାଷଜମି କ୍ଷତିଗ୍ରସ୍ତ ହେବା ଯୋଗୁଁ ଆଗାମୀ ଦିନରେ ପନିପରିବା ଓ ଖାଦ୍ୟଶସ୍ୟର ଅଭାବ ଦେଖାଦେବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।