ଜଳେଶ୍ବର ୨୮।୯: ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ । ଜଳେଶ୍ୱର ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସୋମବାର ସକାଳ ୭ଟା ସୁଦ୍ଧା ଜଳସ୍ତର ୧୦.୨୬ ମିଟରରେ ପ୍ରବାହିତ ହେଉଛି ପାଣି । ଉପର ମୁଣ୍ଡରେ ପାଣି କମୁଛି ସତ ହେଲେ ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବେବି ଲାଗି ରହିଛି ।

ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତ ଅସ୍ତି, ମଧୁପୁରା, ବାଲିଆପାଳ, ବିଷ୍ଣୁପୁର, ଜାମକୁଣ୍ଡା ଆଦି ପଞ୍ଚାୟତର ୨୫ରୁ ଅଧିକ ଗାଁରେ ୪୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଗାଁ ଦାଣ୍ଡରେ ପାଣିର ସୁଅ ଛୁଟିଛି । ଲୋକମାନେ ଯାତାୟାତ ପାଇଁ କିଏ ପାଣିରେ ପଶି ଯାଉଛି ତ ଆଉ କିଏ ବୋଟ୍ ଆଉ କାଠ ଡଙ୍ଗାର ସାହାରା ନେଉଛନ୍ତି । ଜୁଆଡେ ଦେଖିବ ଖାଲି ପାଣି ହିଁ ପାଣି ।

ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଲହଡି ମାରୁଛି । ଚାଷବାସ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି । ଏ ଅଞ୍ଚଳରେ ବନ୍ୟାପାଣି ନିଷ୍କାସନ ହେବାକୁ ଆହୁରି ୯ରୁ ୧୦ ଦିନ ସମୟ ଲାଗିବ । ତେବେ ଆଜି ଟିକେ ବନ୍ୟା ପାଣି କମିବାରୁ ଘରୁ ଲୋକମାନେ ବାହାରକୁ ବାହାରିଛନ୍ତି । ପିଲାଛୁଆ ମାନଙ୍କ ମୁହଁରେ ଦାନା ଦେବା ପାଇଁ ।

Also Read:- ସୋମବାର ବି ଗୃହ ଅଚଳ, ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଅନ୍ୟପଟେ ବାଲିଆପାଳ ଅଞ୍ଚଳ ଧାନ, ପାନ, ମୀନର ଅଞ୍ଚଳ ହୋଇଥିବା ବେଳେ ବାରମ୍ବାର ବନ୍ୟା ଆସି ଲୋକଙ୍କ ଧନଜୀବନ ନଷ୍ଟ ହେଉଥିଲା ବେଳେ ସ୍ଥାୟୀ ପ୍ରତିକାର ପାଇଁ ବନ୍ୟା ପୀଡିତ ମାନେ ଦାବି କରିଛନ୍ତି ।