ଉଦଳା ୨୮।୯: ଶୂନଶାନ ଗାଁ ରାସ୍ତା, ନିରବି ଯାଇଛି କୋଳାହଳ । କିଏ ଗାଁ ରାସ୍ତାରେ ଥିବା ଚାନ୍ଦିନୀ ଉପରେ ବସି ରହିଛି ତ ଆଉ କିଏ ଉଜୁଡା ଘର ଆଗରେ ଏକା ଭଙ୍ଗା କାନ୍ଥକୁ ଚାହିଁ ବସିଛି । ଆଉ କିଏ ହାତରେ ଠେଙ୍ଗା ଧରି ଘର ଆଗରେ ବୁଲୁଛି । ପୁଣି କିଏ ପଲିଥିନ ତଳେ ରାତି ଅନିଦ୍ରା ରହି ଟିକିଏ ବିଶ୍ରାମ ଦେବାକୁ ଚେଷ୍ଟା କରୁଛି । ପୁଣି କିଏ ଗୃହପାଳିତ ପଶୁଙ୍କୁ ଜଗି ରହୁଛି । ହସଖୁସିରେ ଜୀବନ ବିତୁଥିବା ଗାଁରେ ଏବେ ଖାଁ ଖାଁ ପରିବେଶ । ମୟୂରଭଞ୍ଜ ଉଦଳା ବ୍ଲକ୍ ପଣସଗଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଗାଁରେ ବିଭୀଷିକା ରଚିଛି ଲଗାଣ ବର୍ଷା । ଦେଓ ନଦୀରେ ବନ୍ୟା ଜଳ ଆସିବାରୁ ପୁରା ଗାଁ ବୁଡ଼ି ନଦୀର ପାଣି ଲହଡ଼ି ମାରିଥିଲା । ଅଚାନକ ପାଣି ଆସିବା ଯୋଗୁଁ ଜୀବନ ବଞ୍ଚାଇ ଘର ଛାଡ଼ି ବାହାରକୁ ଚାଲି ଯାଇଥିଲେ ଗାଁ ଲୋକେ । ପାଣି ଛାଡ଼ିବା ପରେ ଫେରି ନିଜ ଘରକୁ ଚିହ୍ନିବା ହୋଇଛି କଷ୍ଟ । କେଉଁଠି ମାଟିର ଘର ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ତ ଆଉ କେଉଁଠି ଆସବାବପତ୍ର, ଧାନ ଚାଉଳ ସବୁ ନଷ୍ଟ ।