ଉଦଳା ୨୮।୯: ଶୂନଶାନ ଗାଁ ରାସ୍ତା, ନିରବି ଯାଇଛି କୋଳାହଳ । କିଏ ଗାଁ ରାସ୍ତାରେ ଥିବା ଚାନ୍ଦିନୀ ଉପରେ ବସି ରହିଛି ତ ଆଉ କିଏ ଉଜୁଡା ଘର ଆଗରେ ଏକା ଭଙ୍ଗା କାନ୍ଥକୁ ଚାହିଁ ବସିଛି । ଆଉ କିଏ ହାତରେ ଠେଙ୍ଗା ଧରି ଘର ଆଗରେ ବୁଲୁଛି । ପୁଣି କିଏ ପଲିଥିନ ତଳେ ରାତି ଅନିଦ୍ରା ରହି ଟିକିଏ ବିଶ୍ରାମ ଦେବାକୁ ଚେଷ୍ଟା କରୁଛି । ପୁଣି କିଏ ଗୃହପାଳିତ ପଶୁଙ୍କୁ ଜଗି ରହୁଛି । ହସଖୁସିରେ ଜୀବନ ବିତୁଥିବା ଗାଁରେ ଏବେ ଖାଁ ଖାଁ ପରିବେଶ । ମୟୂରଭଞ୍ଜ ଉଦଳା ବ୍ଲକ୍ ପଣସଗଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଗାଁରେ ବିଭୀଷିକା ରଚିଛି ଲଗାଣ ବର୍ଷା । ଦେଓ ନଦୀରେ ବନ୍ୟା ଜଳ ଆସିବାରୁ ପୁରା ଗାଁ ବୁଡ଼ି ନଦୀର ପାଣି ଲହଡ଼ି ମାରିଥିଲା । ଅଚାନକ ପାଣି ଆସିବା ଯୋଗୁଁ ଜୀବନ ବଞ୍ଚାଇ ଘର ଛାଡ଼ି ବାହାରକୁ ଚାଲି ଯାଇଥିଲେ ଗାଁ ଲୋକେ । ପାଣି ଛାଡ଼ିବା ପରେ ଫେରି ନିଜ ଘରକୁ ଚିହ୍ନିବା ହୋଇଛି କଷ୍ଟ । କେଉଁଠି ମାଟିର ଘର ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ତ ଆଉ କେଉଁଠି ଆସବାବପତ୍ର, ଧାନ ଚାଉଳ ସବୁ ନଷ୍ଟ ।

ଘରକୁ ଫେରି ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରୁନାହିଁ । ଦୁଇ ଦିନ ପରେ ମଧ୍ୟ ସ୍ୱାଭାବିକ ହୋଇନାହିଁ ଜୀବନ । ଦିନରେ ଯେ କୌଣସି ପ୍ରକାରେ ସମୟ ବିତିଯାଉଥିଲେ ମଧ୍ୟ ରାତି ହେଲେ ବଢୁଛି ବିପଦ । ବନ୍ୟା ପାଣି ଘେରରେ ରହୁଛି ସାପ ଓ ଅନ୍ୟ ଜନ୍ତୁଙ୍କ ଭୟ ।

Also Read:- ୧୪ କି.ମି. ବେଗରେ ଆଗକୁ ବଢୁଛି ଅବପାତ, ସନ୍ଧ୍ୟାରେ ନେବ ଗଭୀର ଅବପାତର ରୂପ

ରାତି ହେଲେ ବନ୍ୟା ପାଣି ଘେରରେ ଥିବା ଲୋକଙ୍କ ଛାତିରେ ପଶେ ଛନକା । କାଳେ କିଛି ଅଘଟଣ ଘଟିଯିବ କି, ସେହି ଆଶଙ୍କାରେ ଥାଆନ୍ତି ଲୋକେ । ପାଣି କମିବାର ଦୁଇ ଦିନ ପରେ କେବଳ ସରକାରୀ ବାବୁ ନାଁ ଠିକଣା ପଚାରି ଚାଲି ଯାଇଥିଲେ ସୁଦ୍ଧା କୌଣସି ସହାୟତା ମିଳିନାହିଁ ।