ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ୨୦୨୭-୨୮ ପ୍ରସ୍ତୁତିକୁ ନେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରଣ ନଭେମ୍ୱର ୧୬ରୁ ୨୬ ମଧ୍ୟରେ ଭିନ୍ନ ଭିନ୍ନ ଷ୍ଟେକହୋଲ୍ଡର୍ସଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକର ଉଦ୍ଦେଶ୍ୟ ବଜେଟ୍ ତିଆରି କରିବା ପୂର୍ବରୁ ତ୍ରୁଣମୂଳ ସ୍ତରର ଆବଶ୍ୟକତା, ନୂଆ ଯୋଜନା ଏବଂ ସଂସ୍କାର ଉପରେ ପରାମର୍ଶ ନେବା ଥିଲା ।

ଏହି ବୈଠକରେ ୧୩ ଭିନ୍ନ ଭିନ୍ନ ସେକ୍ଟର ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ ନେଇଥିଲେ । ଏଥିରେ ଉଦ୍ୟେଗ ଜଗତର ଲୋକ, ବିଶେଷଜ୍ଞ, ଶିକ୍ଷାବିତ୍, ଅର୍ଥଶାସ୍ତ୍ରୀ, ବିନିର୍ମାଣ, ଏମଏସଏମଇ ଏବଂ ଷ୍ଟାର୍ଟଅପ୍, ପୁଞ୍ଜି ବଜାର, ବ୍ୟାଙ୍କିଂ-ବୀମା, ଚାଷୀ, ଗ୍ରାମୀଣ ବିକାଶ ସହ ଜଡ଼ିତ ଲୋକ ଏବଂ ଯୁବ ପ୍ରତିନିଧି ସାମିଲ ଥିଲେ ।

ପ୍ରଥମ ଥର ଯୁବ ପ୍ରତିନିଧିମାନଙ୍କ ସହ ଏକ ପରାମର୍ଶ ବୈଠକ କରାଯାଇଛି । ଆର୍ଥିକ କାର୍ଯ୍ୟ ବିଭାଗର ସଚିବ ଅନୁରାଧା ଠାକୁର, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ.ଭି. ଅନନ୍ତ ନାଗେଶ୍ୱରନ ଏବଂ ସମ୍ୱନ୍ଧୀୟ ମନ୍ତ୍ରଣାଳୟର ସଚିବ ତଥା ବରିଷ୍ଠ ଅଧିକାରୀ ଏହି ଚର୍ଚ୍ଚାରେ ସାମିଲ ଥିଲେ । ଏହି ସମୟରେ ଦେଶର ମାନବ ପୁଞ୍ଜି, ବିନିର୍ମାଣ କ୍ଷମତା, କୃଷି ଉତ୍ପାଦନ କ୍ଷମତା ଏବଂ ରୋଜଗାର ସୃଜନକୁ ଗତି ଦେବା ପାଇଁ ଅନେକ ଠୋସ୍ ସୁପାରିଶ ସାମନାକୁ ଆସିଛି ।

ବୈଠକରେ ଏହି ସବୁ ପ୍ରସଙ୍ଗରେ ଆଲୋଚନା
-ଜୈବିକ ସାର ଏବଂ ଆଧୁନିକ ବାୟୋଟେକ୍ କୃଷି ସାମଗ୍ରୀକୁ ଦେଶରେ ନିର୍ମାଣ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉ ।
-ଦେଶରେ ଉପଲବ୍ଧ ହାର୍ଡୱେୟର ହିସାବରେ ସ୍ୱତନ୍ତ୍ର କ୍ଷେତ୍ର ପାଇଁ ଏଆଇ ମଡେଲ୍ ତିଆରି କରାଯାଉ, ଫଳରେ ଭାରତର ପ୍ରତିଯୋଗିତା କ୍ଷମତା ବଢ଼ିପାରିବ ।
-କ୍ଷୁଦ୍ର ଉଦ୍ୟୋଗ ଏବଂ ଛୋଟ ବିତ୍ତୀୟ ସଂସ୍ଥାନରେ ସାଇବର ସୁରକ୍ଷା ଏବଂ ସ୍ୱଚ୍ଛତାକୁ ନେଇ ସଚେତନତା ଅଭିଯାନ ଚଲାଯାଉ ।
-ଗ୍ରାମାଞ୍ଚଳର ଯୁବକ ଏବଂ ଶ୍ରମିକମାନଙ୍କୁ ଚାଷ କାର୍ଯ୍ୟରୁ ଦୂରେଇ ଅଣକୃଷି କାର୍ଯ୍ୟ ଏବଂ ସ୍ଥାୟୀ ବ୍ୟବସାୟ ଆଡକୁ ନେବା ପାଇଁ ଠୋସ୍ ପଦକ୍ଷେପ ନିଆଯିବା ଉଚିତ ।
- ବଜେଟରେ ଶିକ୍ଷା ଉପରେ ଏକ ବିଶେଷ ଧ୍ୟାନ ଦିଆଯାଇପାରେ, ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ପ୍ରତ୍ୟେକ ପିଲା ଯେପରି ପଞ୍ଚମ ଶ୍ରେଣୀ ଶେଷ ସୁଦ୍ଧା ଖବରକାଗଜ ପଢିପାରିବେ ଏବଂ ବୁଝିପାରିବେ, ସେଥିପାଇଁ ଏକ ଅଭିଯାନ ସାରା ଦେଶରେ ଚଳାଯିବା ଉଚିତ ।
- ସହରାଞ୍ଚଳରେ ସୁଲଭ ଗୃହ ଯୋଗାଇବା ପାଇଁ ଭଡ଼ା ଘରକୁ ପ୍ରୋତ୍ସାହିତ କରାଯିବା ଉଚିତ ।
- ଶିକ୍ଷା ପରେ ଯୁବକମାନଙ୍କୁ ସ୍ଥାନୀୟ ଚାକିରି ଏବଂ ଉଦ୍ୟୋଗୀ ସୁଯୋଗ ପ୍ରଦାନ କରିବା ପାଇଁ ଛୋଟ ସହରଗୁଡ଼ିକରେ ଭିତ୍ତିଭୂମିର ଦ୍ରୁତ ବିସ୍ତାର କରିବାକୁ ପରାମର୍ଶ ।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଏହି ସାମୂହିକ ସୁପାରିଶଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନବସୃଜନ ଆଧାରିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ଅର୍ଥନୀତିକୁ ପ୍ରସ୍ତୁତ କରିବା । ବଜେଟ୍ ପୂର୍ବରୁ ଆଲୋଚନା ସରକାରଙ୍କ ଅଂଶଗ୍ରହଣମୂଳକ ନୀତିର ଏକ ଅଂଶ, ଯାହା ବଜେଟ୍ ଚୂଡ଼ାନ୍ତ କରିବା ପୂର୍ବରୁ ଦେଶର ବିଭିନ୍ନ ବର୍ଗର ଆବଶ୍ୟକତା ଏବଂ ପ୍ରାଥମିକତାକୁ ଅନ୍ତର୍ଭୁକ୍ତ କରେ ।