ନୂଆଦିଲ୍ଲୀ: ଲାପତା ଲେଡିସ୍ ଆକ୍ଟର ସତେନ୍ଦ୍ର ସୋନୀଙ୍କୁ ନିର୍ଦ୍ଦେଶକ ପାଉଣା ନ ଦେଇ ହତ୍ୟା ଧମକ ଦେବା ମାମଲାରେ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍(AICWA) ଚିନ୍ତା ପ୍ରକଟ କରିଛି। ଏହି ଘଟଣାରେ ନିର୍ଦ୍ଦେଶକ ପୁଷ୍ପେନ୍ଦ୍ର ସିଂହଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଏଆଇସିଡବ୍ଲୁଏ ମଧ୍ୟପ୍ରଦେଶ ସରକାରଙ୍କୁ ଅନୁରୋଧ କରିଛି।

ରବିବାର ଲାପତା ଲେଡିଜ୍ର ଫେମସ ଆକ୍ଟର ସତେନ୍ଦ୍ର ସୋନୀ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଘଟଣା ବିଷୟରେ କାନ୍ଦି କାନ୍ଦି ଜଣାଇଥିଲେ। ଭିଡିଓରେ ସେ କହିଥିଲେ ଯେ ସେ ମଧ୍ୟପ୍ରଦେଶ ମହିୟର ଫିଲ୍ମ ଶୁଟିଂ ପାଇଁ ଆସିଥିଲେ। ଫିଲ୍ମର ନାଁ ପେଡ୍ ପାଲକି। ଏହାର ନିର୍ଦ୍ଦେଶ ଓ ପ୍ରଯୋଜକ ଥିବା ପୁଷ୍ପେନ୍ଦ୍ର ସିଂହ ତାଙ୍କୁ ଫିଲ୍ମର ସାଇନିଂ ଆମାଉଣ୍ଟ ୫୦ ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ଫିଲ୍ମ ଶୁଟିଂ ସମୟରେ ଦେବେ ବୋଲି କହିଥିଲେ। ଶୁଟିଂର କିଛିଦିନ ପରେ ଟଙ୍କା ମାଗିବାରୁ ନିର୍ଦ୍ଦେଶକ ସତେନ୍ଦ୍ରଙ୍କୁ ଫିଲ୍ମରୁ ବାହାର କରିଦେବାକୁ ଧମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ ସତେନ୍ଦ୍ର ସୋନୀ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ସହକର୍ମୀମାନଙ୍କୁ ୧୦ ମିନିଟ୍ ମଧ୍ୟରେ ହୋଟେଲ ଖାଲି କରିବାକୁ କୁହାଯାଇଥିଲା ଏବଂ ପୁଷ୍ପେନ୍ଦ୍ର ସେମାନଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ସତେନ୍ଦ୍ର ଏବଂ ତାଙ୍କର ଦୁଇଜଣ ସହକର୍ମୀ ସୁରକ୍ଷିତ ଭାବରେ ମୁମ୍ବାଇ ଫେରିଆସିବାରେ ସଫଳ ହୋଇଥିଲେ। ଏହି ମାମଲାରେ 'ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍' ଅଭିନେତା ସତେନ୍ଦ୍ର ସୋନିଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଘଟଣାର ଏକ ନିରପେକ୍ଷ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛି।

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କଲା ସିନେ ସଂଗଠନ

ତେନ୍ଦ୍ରଙ୍କ ଇନଷ୍ଟାରେ ଭିଡିଓକୁ ଏକ୍ସରେ ଶେୟାର କରି ଏଆଇସିଡବ୍ଲୁଏ ଲେଖିଛି “ସତେନ୍ଦ୍ର ସୋନିଙ୍କ ଦ୍ୱାରା ସେୟାର କରାଯାଇଥିବା ଦୁଃଖପୂର୍ଣ୍ଣ ଭିଡିଓଟିରେ ସେ ଅନୁଭବ କରିଥିବା ଯନ୍ତ୍ରଣା ଏବଂ ଦୁଃଖ ସ୍ପଷ୍ଟ ଦେଖାଯାଉଛି। ତାଙ୍କର ଅଭିଯୋଗ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗରେ କଳାକାର ଏବଂ ଶ୍ରମିକମାନଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। କୌଣସି କଳାକାର କିମ୍ବା ଶ୍ରମିକ ଏଭଳି ବ୍ୟବହାରର ଶିକାର ହେବା ଉଚିତ୍ ନୁହେଁ। ଅନେକ ଶ୍ରମିକ ଏବଂ କଳାକାର ଅଭିଯୋଗ କରନ୍ତି ଯେ, ସେମାନଙ୍କୁ କାମର ପ୍ରତିଶ୍ରୁତି ଦେଇ ଚଳଚ୍ଚିତ୍ର ସୁଟିଂ ପାଇଁ ଡକାଯାଏ, କିନ୍ତୁ ପରେ ପାରିଶ୍ରମିକ ପ୍ରଦାନରେ ବିଳମ୍ବ କରାଯାଏ କିମ୍ବା ମନା କରିଦିଆଯାଏ। ଏପରିକି, ଯେତେବେଳେ ସେମାନେ ନିଜର ପ୍ରାପ୍ୟ ଦାବି କରନ୍ତି, ସେତେବେଳେ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରାଯାଏ ବୋଲି ଅଭିଯୋଗ ହୁଏ। ଏଭଳି ଅଭିଯୋଗଗୁଡ଼ିକ ଗୁରୁତର ଧ୍ୟାନ ଆକର୍ଷଣ କରିବା ଆବଶ୍ୟକ।”

ଏଆଇସିଡବ୍ଲୁଏ ଆହୁରି କହିଛି "ସାର୍ବଜନୀନ ଭାବେ ନିଜର ଦୁଃଖଭରା ଭିଡିଓ ଶେୟାର କରି, ସତେନ୍ଦ୍ର ସୋନି ଏହି ସମସ୍ୟାଗୁଡ଼ିକୁ ସର୍ବସାଧାରଣଙ୍କ ଦୃଷ୍ଟିକୁ ଆଣିଛନ୍ତି ଏବଂ କଳାକାର ଓ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଦୁର୍ଦ୍ଦଶାକୁ ଉପସ୍ଥାପନ କରିଛନ୍ତି। ଏହା କୌଣସି ସାମାନ୍ୟ ବିଷୟ ନୁହେଁ। ମଧ୍ୟପ୍ରଦେଶ ସରକାର ଏହି ବିଷୟକୁ ଗୁରୁତର ସହ ନେଇ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ସୁନିଶ୍ଚିତ କରିବା ଉଚିତ। ପ୍ରତ୍ୟେକ ଶ୍ରମିକ ଏବଂ କଳାକାର ସମ୍ମାନ, ସମୟାନୁବର୍ତ୍ତୀ ପାରିଶ୍ରମିକ ଏବଂ ଭୟମୁକ୍ତ ପରିବେଶ ପାଇବାର ଅଧିକାରୀ। ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ (AICWA), ମଧ୍ୟପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବଙ୍କୁ ନିବେଦନ କରୁଛି ଯେ, ଅଭିନେତା ସତେନ୍ଦ୍ର ସୋନିଙ୍କ ଅଭିଯୋଗ ଆଧାରରେ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ଏଫଆଇଆର୍ (FIR) ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ମଧ୍ୟପ୍ରଦେଶରେ କାର୍ଯ୍ୟରତ କଳାକାର ଓ ଶ୍ରମିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ।"

ମଧ୍ୟପ୍ରଦେଶରେ ଫିଲ୍ମ ସୁଟିଂ ସମୟରେ ସତେନ୍ଦ୍ର ସୋନିଙ୍କ ସହ କ'ଣ ଘଟିଥିଲା?

ପେମସ ଫିଲ୍ମ 'ଲାପତା ଲେଡିଜ୍' ଏବଂ 'ମିର୍ଜାପୁର' ପରି ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ଥିବା ସତେନ୍ଦ୍ର ସୋନି ରବିବାର ଖୁବ ଡରିଯାଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ କାନ୍ଦି କାନ୍ଦି କହୁଛନ୍ତି ଯେ ଫିଲ୍ମ ନିର୍ମାତା ପୁଷ୍ପେନ୍ଦ୍ର ସିଂହ ତାଙ୍କୁ ଏବଂ ତାଙ୍କର ଅନ୍ୟ ସହଯୋଗୀ ଅଭିନେତାଙ୍କୁ 'ପେଡ୍ ପାଲଖି' ଫିଲ୍ମରୁ ବାହାର କରି ଦେଇଛନ୍ତି। ସେମାନେ ୮ ଦିନ ଶୁଟିଂ ସାରି ପାରିଶ୍ରମିକ ମାଗିବା ପରେ ନିର୍ଦ୍ଦେଶକ ପୁଷ୍ପେନ୍ଦ୍ର ସିଂହ ତାଙ୍କୁ ଧମକ ଦେଇ ଫିଲ୍ମରୁ ବାହାର କରିଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଭିଡିଓରେ ସତେନ୍ଦ୍ର କହିଛନ୍ତି, "ମୁଁ ପୁଷ୍ପେନ୍ଦ୍ର ସିଂହଙ୍କ ଦ୍ୱାରା ନିର୍ଦ୍ଦେଶିତ 'ପେଡ୍ ପାଲଖି' ନାମକ ଏକ ଫିଲ୍ମ କରିବା ପାଇଁ ମଇହାର ଆସିଥିଲି। ସେ ଆମକୁ ସାଇନିଂ ଆମାଉଣ୍ଟ ବାବଦରେ ୫୦,୦୦୦ ଟଙ୍କା ଦେଇଥିଲେ। ସେ କହିଥିଲେ ଯେ ସୁଟିଂ ଚାଲିଥିବା ସମୟରେ ଆମକୁ ପାରିଶ୍ରମିକ ଦିଆଯିବ। ଆମେ ସୁଟିଂ ଆରମ୍ଭ କରିବାର ୮ ଦିନ ହୋଇଗଲାଣି, କିନ୍ତୁ ଯେତେବେଳେ ଆମେ ତାଙ୍କୁ ପଇସା ମାଗିଲୁ, ସେ ଆମକୁ ପ୍ୟାକଅପ୍ କରି ହୋଟେଲ ଛାଡ଼ି ଚାଲିଯିବାକୁ କହିଲେ। ହୋଟେଲ୍ରେ ଦେଖା ଦେଲେ ତୁମକୁ ମାରିଦେବି ବୋଲି ଧମକ ଦେଇଛନ୍ତି।"

ଏହି ଅଭିଯୋଗ କରିବା ବେଳେ ସତେନ୍ଦ୍ର ସୋନି ସୋସିଆଲ୍ ମିଡିଆ ସାମ୍ନାରେ କାନ୍ଦି ପକାଇଥିଲେ। ସତେନ୍ଦ୍ର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଫିଲ୍ମର ଅଭିନେତ୍ରୀ ପ୍ରଗତି ଚୌହାନ, ଯିଏ କି ନିର୍ଦ୍ଦେଶକଙ୍କ ପତ୍ନୀ, ସେ ମଧ୍ୟ ତାଙ୍କ ସହ ଅଭଦ୍ର ଭାଷା ବ୍ୟବହାର କରିଛନ୍ତି ଏବଂ ଗାଳିଗୁଲଜ କରିଛନ୍ତି। ଭୟଭୀତ ହୋଇ ସେ ତୁରନ୍ତ ହୋଟେଲ ଛାଡ଼ି ପଳାଇଥିଲେ। ତାଙ୍କ ସହ ଅଭିନେତା ଶ୍ରୀଧର ଦୁବେ ଏବଂ ପଙ୍କଜ ଶର୍ମା ମଧ୍ୟ ସେଠାରୁ ବାହାରି ଆସିଥିଲେ।