ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଦ୍ୱାରା ଏକ କେସ୍ ଫାଇଲ ହଜିଯିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏ ସମ୍ପର୍କରେ ସୂଚନା ମିଳିବାମାତ୍ରେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ସିଜେଆଇ ନିଜେ ଏହି ମାମଲା ଦେଖିବେ ଓ ଯାଞ୍ଚ କରିବେ ବୋଲି ବୁଧବାର କହିଛନ୍ତି। ସିଜେଆଇ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠରେ ଜନୈକ ଓକିଲ କହିଛନ୍ତି ଯେ ସେ ଚଳିତମାସ ପ୍ରାରମ୍ଭରେ ଏକ ପିଟିସନ ଦାଖଲ କରିଥିଲେ, ହେଲେ ତାହା ଏ ପର୍ଯ୍ୟନ୍ତ ସୂଚୀବଦ୍ଧ ହୋଇ ନାହିଁ।

ଓକିଲ ଏ ନେଇ ରେଜିଷ୍ଟ୍ରାରଙ୍କୁ ପତ୍ର ଲେଖିଥିବା ସୂଚିତ କରିଛନ୍ତି, ସେ କହିଛନ୍ତି ଯେ ଲାଗୁଛି ରେଜିଷ୍ଟ୍ରି ଫାଇଲ ହଜାଇ ଦେଇଛନ୍ତି। ତେବେ ମାମଲାର ଗୁରୁତ୍ୱକୁ ନଜରରେ ରଖି ସେ ପୀଠଙ୍କୁ ଅନୁରୋଧ କରିଛନ୍ତି ଯେ ପିଟିସନକୁ ସୂଚୀବଦ୍ଧ କରାଯାଉ। ଏଥିରେ ସିଜେଇଆଇ କହିଛନ୍ତି ଯେ ଯଦି ରେଜିଷ୍ଟ୍ରି ଫାଇଲ ହଜାଇ ଦେଇଛନ୍ତି ତେବେ ଏହା ଏକ ଗୁରୁତର ମାମଲା। ଯଦି ଆମ ରେଜିଷ୍ଟ୍ରିରେ ଜରୁରି ମାମଲାର ଫାଇଲ ହଜୁଛି ତେବେ ଆପଣ କ’ଣ ଭାବୁଛନ୍ତି ଆମେ କେବଳ ସୂଚୀବଦ୍ଧ କରିବାକୁ ଆଦେଶ ଦେବୁ? ଆମକୁ ଆଉ କିଛି ଅଧିକ କରିବାକୁ ପଡିବ। ମାମଲା ସମ୍ପର୍କରେ ଆପଣ ପୂରା ସୂଚନା ଦିଅନ୍ତୁ। ମୁଁ ଏହି ଅବହେଳାର ତଦନ୍ତ କରିବାକୁ ଚାହୁଁଛି ଓ ଏହା ପଛର କାରଣ ଜାଣିବାକୁ ଚାହୁଁଛି। ଏଣୁ ସେ ଆଡଭୋକେଟ-ଅନ୍-ରେକର୍ଡଙ୍କୁ ଆଜି ହିଁ ମୋ ନିକଟରେ ଅଭିଯୋଗ କରନ୍ତୁ ବୋଲି ଆଦେସ ଦେଇଛନ୍ତି।

ଏହା ପୂର୍ବରୁ ଗତ ମେ ମାସରେ ମଧ୍ୟ ସିଜେଆଇଙ୍କ ନେତୃତ୍ୱ କରୁଥିବା ପୀଠ ରେଜିଷ୍ଟ୍ରିଙ୍କୁ କଡ଼ା ତାଗିଦ କରିଥିଲେ ଓ ତାଙ୍କ ଆଚରଣକୁ ଅତ୍ୟନ୍ତ ଖରାପ ବୋଲି କହିଥିଲେ। ପୀଠଙ୍କର କହିବା କଥା ଥିଲା ରେଜିଷ୍ଟ୍ରି ଅଧିକାରୀ ନିଜକୁ ‘ସୁପର ଚିଫ୍ ଜଷ୍ଟିସ୍ ଅଫଇଣ୍ଡିଆ ଭାବୁଛନ୍ତି’। ପୀଠ ଏହି ଟିପ୍ପଣୀ ନିବେଶ ଠକେଇ ସମ୍ପର୍କିତ ଜନୈକ ଅଭିଯୁକ୍ତଙ୍କ ଜାମିନ ନିବେଦନ ଶୁଣାଣି କାଳରେ କହିଥିଲେ।